Home News ପ୍ରତିଷ୍ଠା ଦିବସରେ ମହିଳା କାର୍ଡ

ପ୍ରତିଷ୍ଠା ଦିବସରେ ମହିଳା କାର୍ଡ

ଭୁବନେଶ୍ୱର: ପ୍ରତିଷ୍ଠା ଦିବସ ଅବସରରେ ମହିଳା କାର୍ଡ ଖେଳିଛି ବିଜେଡି । ମହିଳା ସଂରକ୍ଷଣ କଥା ଉଠେଇ ଜାତୀୟ ଦଳ ଗୁଡିକୁ ଟାର୍ଗେଟ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନାରୀ ଶକ୍ତିର ବିକାଶରେ ଦେଶର ବିକାଶ । ନାରୀର ସଶକ୍ତିକରଣ ନ କଲେ ଦେଶର ପ୍ରଗତି ଅସମ୍ଭବ । ବିକାଶଶୀଳ ଦେଶଙ୍କ ସହ ପ୍ରତିଯୋଗିତା କରିବାକୁ ହେଲେ ଆମ ଦେଶର ନାରୀ ଶକ୍ତିକୁ ଆଗେଇବାକୁ ପଡ଼ିବ ।

ମହିଳା ସଶକ୍ତିକରଣର କଥା ଉଠାଇ ନବୀନ କହିଛନ୍ତି ଯେ ମା’ମାନେ ହେଉଛନ୍ତି ସମାଜ ରଥର ଅଖ । ସେମାନଙ୍କ ବିନା ଏହି ରଥ ଆଗକୁ ବଢିପାରିବ ନାହିଁ । ବିଜୁ ବାବୁଙ୍କ ଭାଷାରେ ମା’ ଭଉଣୀ ଘର ଚଳାଇଲେ, ପଞ୍ଚାୟତ, ଜିଲ୍ଲା ପରିଷଦ ମଧ୍ୟ ସମ୍ଭାଳି ପାରିବେ । ୧୯୯୨ ମସିହାରେ ବିଜୁ ବାବୁ ପଞ୍ଚାୟତ ଅର୍ବାନ ବଡ଼ି ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ, ଯାହାକି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲା । ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ଦଳ ପଞ୍ଚାୟତସ୍ତରରେ ମହିଳାଙ୍କ ପ୍ରତିନିଧିତ୍ୱ ପାଇଁ ବିଜେଡି ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି । ଏପରିକି ୨୦୧୯ ଲୋକସଭା ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳ ଟିକେଟ ଦେଇଛି ।

ଜାତୀୟ ଦଳ ମହିଳାଙ୍କୁ ନେଇ ନିଜର ଇସ୍ତାହାରରେ ବହୁତ ବଡ ବଡ଼ କଥା କୁହନ୍ତି । କିନ୍ତୁ ନିର୍ବାଚନ ସରିବା ପରେ ସବୁ ଭୁଲି ଯାଆନ୍ତି । ବିଜେଡି ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ମହିଳାଙ୍କ ସଂରକ୍ଷଣ ନିମନ୍ତେ ସଂସଦରେ ଦାବି ଜୋର କରିବ । ବିଧାନସଭା, ରାଜ୍ୟସଭା, ଲୋକସଭାର ପ୍ରତି ଅଧିବେଶନରେ ମହିଳାଙ୍କ ସଂରକ୍ଷଣ କଥା ଜାତୀୟ ଦଳମାନଙ୍କୁ ମନେ ପକାଇଦେବ । ମହିଳାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ଉଭୟ ରାଜ୍ୟ ଓ ଜାତୀୟ ସ୍ତରରେ ଲଢାଇ ଜାରି ରଖିବ ବିଜେଡି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭାରତର ସବୁ ମହିଳାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବୁ ଓ ଗାଁ ଗାଁରେ ମହିଳାଙ୍କୁ ସଚେତନ କରାଇବୁ । ଏପରିକି ଏହାକୁ ଏକ ଆନ୍ଦୋଳନର ରୂପ ଦେବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଏହି ଅବସରରେ ଦଳର ନେତା ଓ କର୍ମୀମାନେ ପ୍ରତିଷ୍ଠା ଦିବସରୁ ଜନସେବାରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଦଳର ସମସ୍ତ ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ପର୍ଯ୍ୟବେକ୍ଷକ, ସାଂସଦ, ବିଧାୟକ, ବିଧାୟିକା, ବିଧାୟକ ପ୍ରାର୍ଥୀ, ପ୍ରମୁଖ ଦଳୀୟ ସଙ୍ଗଠନର ରାଜ୍ୟ ସଭାପତି, ଜିଲା, ବ୍ଲକ ଓ ନଗର ସଭାପତିଙ୍କୁ ପତ୍ର ଲେଖି ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟବାସୀଙ୍କ ସେବାରେ ନିଜକୁ ପୁନଃ ସମର୍ପିତ କରି ରାଜ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇବାକୁ ସେ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବେ ଗ୍ରହଣ କରି କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ ଉଦବୋଧନ ଦେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଦୁର୍ନୀତିର ମୂଳୋତ୍ପାଟନ କରିଛନ୍ତି, ଯେଉଁଥି ପାଇଁ ଏ ଦଳ ଆଗକୁ ଆଗକୁ ବଢିଚାଲିଛି । ସେ ଭୋକର ଭୂଗୋଳର ଚିତ୍ର ପରିବର୍ତ୍ତନ କରିଛନ୍ତି । ଏବେ ଦଳ ପାଇଁ ପ୍ରତ୍ୟେକ କର୍ମୀ ଅତି କମରେ ୪ ରୁ ୫ ଘଣ୍ଟା ସମୟ ଦେବାକୁ ଆହ୍ୱାନ ଦେଇଛନ୍ତି ।