Home Education ୬୧ ପ୍ରତିଶତ ପୁରୁଷ ଦଶମ ଶ୍ରେଣୀ ମାଡି ନାହାନ୍ତି

୬୧ ପ୍ରତିଶତ ପୁରୁଷ ଦଶମ ଶ୍ରେଣୀ ମାଡି ନାହାନ୍ତି

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ବ୍ୟାପକ ପ୍ରଗତି ଅଣାଯାଇଥିବା ଘେନି ପ୍ରଚାର ଚାଲିଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ । ଓଡିଶାରେ ପ୍ରାୟ ୬୭ ପ୍ରତିଶତ ମହିଳା ଓ ୬୧ ପ୍ରତିଶତ ପୁରୁଷ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ନାହାନ୍ତି । ଏକଥା ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ।

କେବଳ ଓଡିଶା ନୁହେଁ, ଦେଶର ଅଧିକାଂଶ ରାଜ୍ୟର ଶିକ୍ଷା ସମ୍ବନ୍ଧିୟ ଚିତ୍ର ଏଭଳି କରୁଣ । ଏହି ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ ସମଗ୍ର ଦେଶରେ ବର୍ଷ ବର୍ଷ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠ ପଢିଥିବା ମହିଳାଙ୍କ ହାର ୪୧ପ୍ରତିଶତ ଥିବାବେଳେ ଏ କ୍ଷେତ୍ରରେ ପୁରୁଷଙ୍କ ହାର ୫୦.୨ ପ୍ରତିଶତ । ଏଥିରୁ ନାରୀ ଶିକ୍ଷା କ୍ଷେତ୍ରରେ ଦେଶ ଢେର ପଛରେ ଥିବାର ବିକଳ ଚିତ୍ର ମିଳୁଥିବାବେଳେ ପୁରୁଷମାନଙ୍କ ମଧ୍ୟରୁ ପ୍ରାୟ ଅଧା ମଧ୍ୟ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଯାଇପାରିନଥିବା ଜଣାପଡିଛି ।

ତେବେ ଭାରତରେ ମହିଳାଙ୍କ କ୍ଷେତ୍ରରେ ସାକ୍ଷରତା ହାର ୭୧.୫ ଓ ପୁରୁଷଙ୍କ କ୍ଷେତ୍ରରେ ସାକ୍ଷରତା ହାର ୮୪.୪ ପ୍ରତିଶତ ରେକର୍ଡ କରାଯାଇଥିବାବେଳେ ଓଡିଶାରେ ମହିଳା ସାକ୍ଷରତା ହାର ୬୯.୫ ଓ ପୁରୁଷ ସାକ୍ଷରତା ହାର ୮୪.୬ ପ୍ରତିଶତ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଗତ ଜନଗଣନାର ତଥ୍ୟ ଅନୁଯାୟୀ ଭାରତବର୍ଷରେ ନିରକ୍ଷରଙ୍କ ସଂଖ୍ୟା ପାଖାପାଖି ୨୯କୋଟି ଥିଲା ଯାହା ସେତେବେଳର ଯୁକ୍ତରାଷ୍ଟ୍ର ଆମେରିକାର ମୋଟ୍‍ ଜନସଂଖ୍ୟାର ପାଖାପାଖି ।

ଏହାଛଡା ଯେଉଁମାନେ ବିଦ୍ୟାଳୟରେ ଅଧାରୁ ପାଠ ଛାଡିଛନ୍ତି କିମ୍ବା ଅଷ୍ଟମ ନବମ ଶ୍ରେଣୀରେ ପହଞ୍ଚିବା ବେଳକୁ ସାଧାରର ମିଶାଣ ଫେଡାଣ କରିପାରୁ ନାହାନ୍ତି ଅଥବା ତୃତୀୟ ଚତୁର୍ଥ ଶ୍ରେଣୀର ପାଠ ଜାଣୁ ନାହାନ୍ତି ସେମାନଙ୍କ ସଂଖ୍ୟାକୁ ହିସାବକୁ ନେଲେ ଦେଶରେ ପ୍ରକୃତ ଶିକ୍ଷିତ ଲୋକଙ୍କ ପ୍ରତିଶତ କେତେ ତାହା ସହଜରେ ଅନୁମେୟ ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ରିପୋର୍ଟର ତଥ୍ୟ ପୁଣି କହୁଛି ଯେ ୬ବର୍ଷ କିମ୍ବା ତଦୁର୍ଧ ବୟସର ଝିଅଙ୍କ ମଧ୍ୟରୁ ମାତ୍ର ୭୧.୮ ପ୍ରତିଶତ ସେମାନଙ୍କ ଜୀବନରେ କେବେ ବିଦ୍ୟାଳୟ ବାରଣ୍ଡା ମାଡିଥିଲେ । ଏହି ହାର ଓଡିଶା କ୍ଷେତ୍ରରେ ୭୧.୫ ପ୍ରତିଶତ ରହିଛି । ତେବେ ଓଡିଶା ସମେତ ସମଗ୍ର ଦେଶରେ ଶିଶୁ ମୃତ୍ୟୁହାର କମୁଥିବା ଏଥିରେ କୁହାଯାଇଛି । ଜନ୍ମଲାଭ କରୁଥିବା ପ୍ରତି ହଜାରେ ନବଜାତକଙ୍କ ମଧ୍ୟରୁ ପ୍ରାୟ ୨୫ଜଣ ମୃତ୍ୟୁବରଣ କରୁଥିବାବେଳେ ଓଡିଶାରେ ଏହି ହାର ୨୭ରେ ରହିଛି ।

ସେହିଭଳି ସାମଗ୍ରିକ ଭାବେ ଶିଶୁ ମୃତ୍ୟୁହାର ଜାତୀୟ ସ୍ତରରେ ୩୫.୨ ଥିବାବେଳେ ଓଡିଶାରେ ଏହା ୩୬.୩ ଥିବା ଭାରତ ସରକାରଙ୍କ ହିସାବ କହୁଛି । ୫ବର୍ଷ ବୟସରେ ପହଞ୍ଚିବା ପୂର୍ବରୁ ଆମ ଦେଶରେ ପ୍ରତି ହଜାରରେ ପ୍ରାୟ ୪୨ଜଣ ଶିଶୁଙ୍କ ମୃତ୍ୟୁ ଘଟୁଥିବାବେଳେ ଓଡିଶାରେ ଏହି ସଂଖ୍ୟା ୪୧ରେ ରହିଛି ।

ରକ୍ତହୀନତା ଓ ପୁଷ୍ଟିହୀନତା ସମସ୍ୟା କମିବା ପରିବର୍ତ୍ତେ ଆମ ଦେଶରେ ବଢି ଚାଲିଛି । ୨୦୧୫-୧୬ ବର୍ଷର ସର୍ଭେ ରିପୋର୍ଟ ଅନୁଯାୟୀ ଭାରତରେ ୬ମାସରୁ ୫ବର୍ଷ ବୟସର ଶିଶୁଙ୍କ ମଧ୍ୟରୁ ୫୮.୬ ପ୍ରତିଶତ ରକ୍ତହୀନତାର ଶିକାର ହେଉଥିବାବେଳେ ୨୦୧୯-୨୧ ବର୍ଷର ସର୍ଭେ ମୁତାବକ ଏହି ହାର ୬୭.୧ ପ୍ରତିଶତକୁ ବଢିଛି ।

ଓଡିଶାରେ ମଧ୍ୟ ଏହି ସମୟ ମଧ୍ୟରେ ଉକ୍ତ ବୟସର ଶିଶୁମାନଙ୍କ କ୍ଷେତ୍ରରେ ରକ୍ତହୀନତା ହାର ୪୪.୬ ରୁ ୬୪.୨ ପ୍ରତିଶତକୁ ବୃଦ୍ଧି ପାଇଛି । ୧୫ରୁ ୪୯ ବର୍ଷ ବୟସ୍କା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୫୨.୨ ପ୍ରତିଶତ ଓ ଅଣଗର୍ଭବତୀଙ୍କ ମଧ୍ୟରୁ ୫୭.୨ ପ୍ରତିଶତ ରକ୍ତହୀନତା ଭୋଗୁଥିବାବେଳେ ଓଡିଶାରେ ଏହି ହାର ଯଥାକ୍ରମେ ୬୪.୩ ଓ ୬୧.୮ ପ୍ରତିଶତ ରହିଛି । ଏହି ବୟସର ପୁରୁଷଙ୍କ ମଧ୍ୟରେ ଦେଶରେ ୩୧.୧ ପ୍ରତିଶତ ରକ୍ତହୀନତାର ଶିକାର ହେଉଥିବାବେଳେ ଓଡିଶାରେ ତାହା ୩୦ ପ୍ରତିଶତ ଦର୍ଶାଯାିଛି । (ତଥ୍ୟ)