Home General ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ

ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ହେବ ଆତ୍ମନିର୍ଭରଶୀଳ । ନୂତନ ଭାବେ ଗଠିତ ୭ଟି ପ୍ରତିରକ୍ଷା କମ୍ପାନୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ଏହା କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି କାର୍ଯ୍ୟକ୍ରମରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜ ନାଥ ସିଂହ ଏବଂ ରକ୍ଷା ରାଜ୍ୟ ମନ୍ତ୍ରୀ ଶ୍ରୀ ଅଜୟ ଭଟ୍ଟ ଅନ୍ୟମାନଙ୍କ ସହିତ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଆଜି ବିଜୟାଦଶମୀର ଶୁଭ ଉତ୍ସବ ତଥା ଏହି ଦିନ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ପୂଜା କରିବାର ପରମ୍ପରାକୁ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, ଭାରତରେ ଆମେ ଶକ୍ତିକୁ ସୃଷ୍ଟିର ମାଧ୍ୟମ ଭାବରେ ଦେଖୁ । ସେ କହିଛନ୍ତି ଯେ ସମାନ ଆବେଗ ସହିତ ରାଷ୍ଟ୍ର ଶକ୍ତିଶାଳୀ ଦିଗରେ ଗତି କରୁଛି ।

ସେ ଡଃ. ଏପିଜେ ଅବଦୁଲ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଡଃ. କଲାମ ନିଜ ଜୀବନକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା କହିଥିଲେ ଏବଂ ଯୁଦ୍ଧାସ୍ତ୍ର କାରଖାନାର ପୁନଃ ର୍ନିମାଣ ଏବଂ ୭ ଟି କମ୍ପାନୀ ଗଠନ ତାଙ୍କ ସୁଦୃଢ ଭାରତର ସ୍ୱପ୍ନକୁ ଶକ୍ତି ଦେବ । ନୂତନ ପ୍ରତିରକ୍ଷା କମ୍ପାନୀଗୁଡିକ ବିଭିନ୍ନ ସଂକଳ୍ପଗୁଡିକର ଏକ ଅଂଶ ଯାହାକି ଭାରତର ସ୍ୱାଧୀନତାର ଏହି ଅମୃତ କାଳ ସମୟରେ ଦେଶ ପାଇଁ ଏକ ନୂତନ ଭବିଷ୍ୟତ ଗଢିବାକୁ ଚେଷ୍ଟା କରୁଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି କମ୍ପାନୀଗୁଡିକ ସୃଷ୍ଟି କରିବାର ନିଷ୍ପତ୍ତି ଦୀର୍ଘ ଦିନ ଧରି ଅଟକି ରହିଥିଲା ଏବଂ ଏହି ୭ ଟି ନୂତନ କମ୍ପାନୀ ଭବିଷ୍ୟତରେ ଦେଶର ସାମରିକ ଶକ୍ତି ପାଇଁ ଏକ ଦୃଢ ଆଧାର ସୃଷ୍ଟି କରିବ ବୋଲି ବିଶ୍ୱାସ ବ୍ୟକ୍ତ କରିଥିଲେ । ଭାରତୀୟ ଯୁଦ୍ଧାସ୍ତ୍ର କାରଖାନାର ଗୌରବମୟ ଅତୀତକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହି କମ୍ପାନୀଗୁଡିକର ନବୀକରଣକୁ ଅଣଦେଖା କରାଯାଇଥିଲା, ଯାହା ଦ୍ୱାରା ଅସ୍ତ୍ରଶସ୍ତ୍ର ଆବଶ୍ୟକତା ପାଇଁ ବିଦେଶୀ ଯୋଗାଣକାରୀଙ୍କ ଉପରେ ଦେଶର ର୍ନିଭରଶୀଳତା ଦେଖାଦେଇଥିଲା । ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବାରେ ଏହି ୭ ପ୍ରତିରକ୍ଷା କମ୍ପାନୀ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ନୂତନ କମ୍ପାନୀଗୁଡ଼ିକ ଆତ୍ମ ନିର୍ଭର ଭାରତ ଲକ୍ଷ୍ୟ ସହିତ ଆମଦାନୀ ବଦଳାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ୬୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଖରିଦ ପାଇଁ ବରାଦ ପାଇବା ଏହି କମ୍ପାନୀଗୁଡିକରେ ଦେଶର ବଢୁଥିବା ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।

ନିକଟ ଅତୀତରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଂସ୍କାରକୁ ସେ ମନେ ପକାଇ ଦେଇଛନ୍ତି ଯାହା ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱାସ, ସ୍ୱଚ୍ଛତା ଏବଂ ପ୍ରଯୁକ୍ତିବିଦ୍ୟା ଚାଳିତ ଆଭିମୁଖ୍ୟ ସୃଷ୍ଟି କରିଛି । ଜାତୀୟ ସୁରକ୍ଷା ମିଶନରେ ଆଜି ବେସରକାରୀ ଏବଂ ସରକାରୀ କ୍ଷେତ୍ର ହାତ ମିଳାଉଛନ୍ତି ବୋଲି ସେ କହିଛନ୍ତି । ସେ ଉତ୍ତରପ୍ରଦେଶ ଏବଂ ତାମିଲନାଡୁ ପ୍ରତିରକ୍ଷା କରିଡରକୁ ନୂତନ ଆଭିମୁଖ୍ୟର ଉଦାହରଣ ଦେଇଛନ୍ତି । ଯୁବପିଢୀ ଓ ଏମଏସ୍‍ଏମଇ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଥିବାବେଳେ ବିଗତ ବର୍ଷଗୁଡିକରେ ନୀତି ପରିବର୍ତ୍ତନର ଫଳାଫଳକୁ ଦେଶ ଦେଖୁଥିବାର ସେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ଆମର ପ୍ରତିରକ୍ଷା ରପ୍ତାନି ୩୨୫ ପ୍ରତିଶତ ବୃଦ୍ଧି ପାଇଛି ।

ସେ କହିଛନ୍ତି ଯେ ଏହା ଆମର ଲକ୍ଷ୍ୟ ଯେ ଆମର କମ୍ପାନୀଗୁଡିକ କେବଳ ସେମାନଙ୍କ ଉତ୍ପାଦରେ ପାରଦର୍ଶୀତା ପ୍ରତିଷ୍ଠା କରନ୍ତି ନାହିଁ ବରଂ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୁଅନ୍ତି । ସେ ଅନୁରୋଧ କରିଛନ୍ତି ଯେ ପ୍ରତିଯୋଗିତାମୂଳକ ମୂଲ୍ୟ ଆମର ଶକ୍ତି, ଗୁଣବତ୍ତା ଏବଂ ବିଶ୍ୱସନୀୟତା ଏବଂ ଆମର ପରିଚୟ ହେବା ଉଚିଚ ।  ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏକବିଂଶ ଶତାବ୍ଦୀରେ ଯେକୌଣସି ରାଷ୍ଟ୍ର କିମ୍ବା କୌଣସି କମ୍ପାନୀର ଅଭିବୃଦ୍ଧି ଏବଂ ବ୍ରାଣ୍ଡ ମୂଲ୍ୟ ଏହାର ଆରଆଣ୍ଡଡି ଏବଂ ନୂତନତ୍ୱ ଦ୍ୱାରା ର୍ନିଣ୍ଣୟ କରାଯାଏ । ସେ ନୂତନ କମ୍ପାନୀଗୁଡିକୁ ନିବେଦନ କରିଛନ୍ତି ଯେ ଗବେଷଣା ଏବଂ ନବସୃଜନ ସେମାନଙ୍କ କାର୍ଯ୍ୟ ସଂସ୍କୃତିର ଏକ ଅଂଶ ହେବା ଉଚିତ, ଯାହା ଦ୍ୱାରା ସେମାନେ କେବଳ ଏହାକୁ ଧରିବେ ନାହିଁ ବରଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ନେତୃତ୍ୱ ନେବେ । ଏହି ପୁନଃ ର୍ନିମାଣ ନୂତନ କମ୍ପାନୀଗୁଡିକୁ ନୂତନତ୍ୱ ଏବଂ ପାରଦର୍ଶୀତା ପାଇଁ ଅଧିକ ସ୍ୱାଧୀନତା ପ୍ରଦାନ କରିବ ଏବଂ ନୂତନ କମ୍ପାନୀଗୁଡିକ ଏହିପରି ପ୍ରତିଭାକୁ ଉତ୍ସାହିତ କରିବା ଉଚିତ ବୋଲି ସେ କହିଛନ୍ତି । ପରସ୍ପରର ଗବେଷଣା ଏବଂ ପାରଦର୍ଶିତାକୁ ଏହି କମ୍ପାନୀଗୁଡିକ ମାଧ୍ୟମରେ ଏହି ନୂତନ ଯାତ୍ରାର ଏକ ଅଂଶ ହେବାକୁ ସେ ଷ୍ଟାର୍ଟ ଅପ୍ ମାନଙ୍କୁ ଅନୁରୋଧ କରିଥିଲେ ।

ସେ କହିଛନ୍ତି ଯେ ସରକାର ଏହି ନୂତନ କମ୍ପାନୀଗୁଡ଼ିକୁ କେବଳ ଏକ ଉତ୍ତମ ଉତ୍ପାଦନ ପରିବେଶ ନୁହେଁ ବରଂ ସଂପୂର୍ଣ୍ଣ କାର୍ଯ୍ୟ ସ୍ୱାଧୀନତା ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ କର୍ମଚାରୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣରୂପେ ସୁରକ୍ଷିତ ରଖିବାକୁ ସରକାର ନିଶ୍ଚିତ କରିଛନ୍ତି ।

ଉନ୍ନତ କାର୍ଯ୍ୟ ସ୍ୱାଧୀନତା, ଦକ୍ଷତାବୃଦ୍ଧି, ନୂତନ ଅଭିବୃଦ୍ଧି ସମ୍ଭାବନା ଏବଂ ଉଦ୍ଭାବନକୁ ଉନ୍ମୁକ୍ତ କିରବାକୁ ଯୁଦ୍ଧାସ୍ତ୍ର କାରଖାନା ବୋର୍ଡକୁ ଏକ ସରକାରୀ ବିଭାଗରୁ ସାତଟି ୧୦୦% ସରକାରୀ ମାଲିକାନା କର୍ପୋରେଟ୍ ସଂସ୍ଥାରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତଦନୁଯାୟୀ ୭ଟି କମ୍ପାନୀ ଗଠନ ହୋଇଛି ଏବଂ ଏହି କମ୍ପାନୀଗୁଡ଼ିକ ହେଉଛି: ମୁନିସନ୍ ଇଣ୍ଡିଆ ଲିମିଟେଡ୍ (ଏମ୍‍ଆଇଏଲ); ଆରମୋର୍ଡ ଭେଇକିଲ୍‍ ନିଗମ ଲିମିଟେଡ୍ (ଏଭିଏଏନ୍‍ଆଇ); ଆଡଭାନ୍ସ ଉଇପନ ଆଣ୍ଡ ଇକ୍ୟୁପମେଣ୍ଟ ଇଣ୍ଡିଆ ଲିମିଟେଡ୍ (ଏଡବ୍ଲ୍ୟୁଇ ଇଣ୍ଡିଆ); ଟ୍ରୁପ୍ କମ୍ଫଟ୍‍ସ ଲିମିଟେଡ୍ (ଟିସିଏଲ); ଯନ୍ତ୍ର ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍‍); ଇଣ୍ଡିଆ ଅପ୍ଟେଲ ଲିମିଟେଡ୍ (ଆଇଓଏଲ୍‍) ଏବଂ ଗ୍ଲାଇଡର୍ସ ଇଣ୍ଡିଆ ଲିମିଟେଡ୍ (ଜିଆଇଏଲ୍‍) ।