Home Mining ପ୍ରତିବର୍ଷ ବଢୁଛି ଲୁହାପଥର ରପ୍ତାନି

ପ୍ରତିବର୍ଷ ବଢୁଛି ଲୁହାପଥର ରପ୍ତାନି

ଭୁବନେଶ୍ୱର : ଆର୍ନ୍ତଜାତୀୟ ବଜାରରେ ଲୁହାପଥରର ଆକାଶଛୁଆଁ ଦର ଓଡିଶାର ଅର୍ଥନୀତିକୁ ସହାୟ ହୋଇଥିବାବେଳେ ରାଜ୍ୟରୁ ଉତ୍ପାଦିତ ଲୁହାପଥରର ଅଧାରୁ ଅଧିକ ରାଜ୍ୟ ବାହାରକୁ ରପ୍ତାନି ହେଉଛି । ପ୍ରତିବର୍ଷ ରପ୍ତାନି ପରିମାଣ ମଧ୍ୟ ବଢିବାରେ ଲାଗିଛି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୭-୧୮ ବର୍ଷରେ ରାଜ୍ୟରେ ଯେତିକି ଲୁହାପଥର ଉତ୍ପାଦିତ ହୋଇଥିଲା ତାହାର ପାଖପାଖି ୪୫ ପ୍ରତିଶତ ରାଜ୍ୟ ଭିତରେ ବିନିଯୋଗ ହୋଇଥିବାବେଳେ ରାଜ୍ୟ ବାହାରକୁ ୫୨ ପ୍ରତିଶତରୁ ଅଧିକ ଯାଇଥିଲା । ସେହିବର୍ଷ ଉତ୍ପାଦିତ ମୋଟ୍‍ ଲୁହାପଥରର ୩.୩୭ ପ୍ରତିଶତ ରପ୍ତାନି ହୋଇଥିଲା ।

ସେହିଭଳି ୨୦୧୮-୧୯ ବର୍ଷରେ ରାଜ୍ୟରେ ଭିତରେ ବିନିଯୋଗ ହେଉଥିବା ଲୁହାପଥରର ପରିମାଣ ବୃଦ୍ଧି ପାଇଥିଲା । ମୋଟ୍‍ ଉତ୍ପାଦିତ ଲୁହାପଥର ମଧ୍ୟରୁ ୪୮ ପ୍ରତିଶତ ରାଜ୍ୟ ଭିତରେ ବିନିଯୋଗ ହୋଇଥିବାବେଳେ ୪୯ ପ୍ରତିଶତ ରାଜ୍ୟ ବାହାରକୁ ଯାଇଥିଲା । ରପ୍ତାନି ପରିମାଣ ଥିଲା ୨.୪୦ ପ୍ରତିଶତ ।

ଏହା ପରବର୍ଷଠାରୁ କିନ୍ତୁ ରାଜ୍ୟ ଭିତରେ ଉତ୍ପାଦିତ ଲୁହାପଥରର ବିନିଯୋଗ କମିବାରେ ଲାଗିଛି । ୨୦୧୯-୨୦ ବର୍ଷରେ ଉତ୍ପାଦିତ ଲୁହାପଥରର ୪୨.୩୪ ପ୍ରତିଶତ ରାଜ୍ୟ ଭିତରେ ବିନିଯୋଗ ହୋଇଥିବାବେଳେ ୪୬.୧୪ ପ୍ରତିଶତ ରାଜ୍ୟ ବାହାରକୁ ଯାଇଥିଲା ଏବଂ ରପ୍ତାନି ପରିମାଣ ବୃଦ୍ଧି ପାଇ ୧୧.୫୧ ପ୍ରତିଶତରେ ପହଞ୍ଚିଥିଲା ।

୨୦୨୦-୨୧ ବର୍ଷରେ ରାଜ୍ୟରେ ଲୁହାପଥରର ବ୍ୟବହାର ମୋଟ୍‍ ଉତ୍ପାଦନର ୪୦ ପ୍ରତିଶତରୁ ସାମାନ୍ୟ ଅଧିକ ଥିବାବେଳେ ରାଜ୍ୟ ବାହାରକୁ ଯାଉଥିବା ଲୁହାପଥର ପରିମାଣ ହ୍ରାସ ପାଇ ୩୯.୧୪ ପ୍ରତିଶତରେ ପହଞ୍ଚିଥିଲା । ସେହିବର୍ଷ କିନ୍ତୁ ରପ୍ତାନି ପରିମାଣ ୨୦ ପ୍ରତିଶତକୁ ଟପି ଯାଇଥିଲା ।

ବିଦେଶକୁ ଲୁହାପଥର ରପ୍ତାନି ବୃଦ୍ଧି ପାଇବା ସହିତ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ସରକାରଙ୍କ ଟିକସ ଆଦାୟ ପରିମାଣ ବୃଦ୍ଧି ପାଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଖଣି ଓ ଖଣିଜ କ୍ଷେତ୍ରରୁ ୧୩,୭୦୦ କୋଟି ଟଙ୍କାର ରାଜସ୍ୱ ପାଇବାର ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ସେପ୍ଟେମ୍ବର ଶେଷସୁଦ୍ଧା ଏହି କ୍ଷେତ୍ରରୁ ରେକର୍ଡ ପରିମାଣର ୧୮,୮୪୧ କୋଟି ୫୪ଲକ୍ଷ ଟଙ୍କାର ରାଜସ୍ୱ ମିଳି ସାରିଲାଣି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତବର୍ଷ ଏପ୍ରିଲ୍‍ରୁ ସେପ୍ଟେମ୍ବର ମଧ୍ୟରେ ଆଦାୟ ଖଣିଜ ରାଜସ୍ୱରେ ୨୨୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏହି ଧାରା ଅବ୍ୟାହତ ରହିଲେ ଚଳିତ ବର୍ଷ ଖଣିଜ ରାଜସ୍ୱ ପରିମାଣ ୪୦ହଜାର କୋଟି ଟଙ୍କାକୁ ଟପିଯିବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି ।

କୋଭିଡ ମହାମାରୀ ଯୋଗୁଁ ରାଜ୍ୟ ଭିତରେ ଲୁହପଥର ବ୍ୟବହାର ହ୍ରାସ ପାଇଥିବାବେଳେ ରପ୍ତାନି ବୃଦ୍ଧି ଯୋଗୁଁ ରାଜକୋଷ ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଛି । ତେବେ ଇସ୍ପାତ କାରଖାନାରେ ବ୍ୟବହୃତ କୋଇଲାର ଆର୍ନ୍ତଜାତିକ ମୂଲ୍ୟ ବଢିଥିବାରୁ ବହୁ ଛୋଟ ଛୋଟ ଲୁହ କାରଖାନା ବନ୍ଦ କିମ୍ବା ଉତ୍ପାଦନ ହ୍ରାସ କରୁଥିବାରୁ ରାଜ୍ୟରେ ଲୁହପଥର ବ୍ୟବହାର ମଧ୍ୟ ହ୍ରାସ ପାଇବାର ଅନ୍ୟତମ କାରଣ ହୋଇଛି । (ତଥ୍ୟ)