Home Energy ପ୍ରତିବର୍ଷ ବଢୁଛି ବିଜୁଳି ବିକ୍ରି

ପ୍ରତିବର୍ଷ ବଢୁଛି ବିଜୁଳି ବିକ୍ରି

ଭୁବନେଶ୍ୱର : ବିଦ୍ୟୁତ୍‍ ଦରବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହେଉଥିବେଳେ ବିଜୁଳି ବିକ୍ରି ବାବଦରେ ସରକାରଙ୍କ ରାଜସ୍ୱ ଆୟ ପ୍ରତିବର୍ଷ ବଢିବାରେ ଲାଗିଛି । ଗତ ୭ବର୍ଷ ମଧ୍ୟରେ ବିଜୁଳି ବିକ୍ରିରୁ ସରକାର ୩ହଜାର କୋଟିରୁ ଅଧିକ ରାଜସ୍ୱ ପାଇଲେଣି ।

ମିଳିଥିବା ସୂଚନା ଅନୁଯାୟୀ ୨୦୧୬-୧୭ ବର୍ଷରେ ରାଜ୍ୟ ସରକାର ବଳକା ବିଦ୍ୟୁତ୍‍କୁ ବ୍ରିକ୍ରିକରି ୮୯କୋଟି ୩୩ଲକ୍ଷ ଟଙ୍କା ପାଇଥିଲେ । ସେହିବର୍ଷ ବିଜୁଳି ଅଦଳ ବଦଳ ଓ ଦ୍ୱିପାକ୍ଷିକ ରାଜିନାମା ବ୍ୟବସ୍ଥାରେ ୩୨୧ ନିୟୁତ୍‍ ୟୁନିଟ୍‍ ବିଜୁଳି ଅନ୍ୟ ରାଜ୍ୟକୁ ଦେଇଥିଲେ । ୨୦୧୭-୧୮ ବର୍ଷରେ ବିଜୁଳି ବିକ୍ରିରୁ ୧୪୨କୋଟି ୨୬ଲକ୍ଷ ଟଙ୍କା ମିଳିଥିବାବେଳେ ବିକ୍ରି ହୋଇଥିଲା ୩୦୬ ନିୟୁତ ୟୁନିଟ୍‍ ବିଜୁଳି ।

ଏହା ପରବର୍ଷ ଅର୍ଥାତ୍‍ ୨୦୧୮-୧୯ ରେ ସରକାର ବିଜୁଳି ବିକ୍ରିରୁ ୩୭୬ କୋଟି ଟଙ୍କା ପାଇଥିବାବେଳେ ୨୦୧୯-୨୦ ବର୍ଷରେ ୫୭୪କୋଟି ୮୫ଲକ୍ଷ ଟଙ୍କାର ରାଜସ୍ୱ ପାଇଥିଲେ । ସେହିବର୍ଷ ବିକ୍ରି ହୋଇଥିବା ବିଜୁଳିର ପରିମାଣ ୧୭୨୭ ନିୟୁତ ୟୁନିଟ୍‍ ରହିଥିଲା । ୨୦୨୧-୨୨ ବର୍ଷର ଜାନୁୟାରୀ ସୁଦ୍ଧା ସରକାର ବିଜୁଳି ବିକ୍ରିରୁ ୧୩୧୧କୋଟି ୭୯ଲକ୍ଷ ଟଙ୍କା ପାଇଥିବାବେଳେ ଅନ୍ୟ ରାଜ୍ୟଗୁଡିକୁ ପ୍ରାୟ ୫ହଜାର ନିୟୁତ ୟୁନିଟ୍‍ ବିଜୁଳି ବିକ୍ରି କରିଛନ୍ତି । ଫେବୃୟାରୀ ସୁଦ୍ଧା ବିକ୍ରି ହୋଇଥିବା ବଳକା ବିଜୁଳିର ପରିମାଣ ୫୫୮୫ ନିୟୁତ ୟୁନିଟ୍‍ରେ ପହଞ୍ଚିଥିଲା ।

ରାଜ୍ୟ ଭିତରୁ ବିଭିନ୍ନ ଉତ୍ସରୁ ମିଳୁଥିବା ବିଜୁଳି ସହିତ ଅନ୍ୟାନ୍ୟ ସୂତ୍ରରୁ ପାଖପାଖି ୩୦ହଜାର ନିୟୁତ ୟୁନିଟ୍‍ ମିଳୁଥିବାବେଳେ ଏହା ରାଜ୍ୟର ଚାହିଦା ମେଣ୍ଟାଇବା ସହିତ ଓଡିଶା ସରକାର ଅନ୍ୟ ରାଜ୍ୟକୁ ବିଜୁଳି ବିକ୍ରି କରୁଛନ୍ତି । ରାଜ୍ୟରେ ସାଧାରଣ ଉପଭୋକ୍ତାଙ୍କ ସହିତ ବ୍ୟବସାୟିକ, ଶିଳ୍ପ, କୃଷି କ୍ଷେତ୍ର ସହିତ ଅନ୍ୟାନ୍ୟ କ୍ଷେତ୍ରକୁ ବିଜୁଳି ଯୋଗାଇ ଦିଅଯାଉଛି । ସାଧାରଣ ଉପଭୋକ୍ତାଙ୍କୁ ସର୍ବାଧିକ ବିଜୁଳି ଟିପିସିଓଡିଏଲ୍‍ ଯୋଗାଉଥିବାବେଳେ ଶିଳ୍ପକୁ ସର୍ବାଧିକ ବିଜୁଳି ଟିପିଡବ୍ଲ୍ୟୁଓଡିଏଲ୍‍ ଯୋଗାଉଛି । କୃଷି କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ବିଜୁଳି ପରିମାଣ ୫୦୦ ନିୟୁତ ୟୁନିଟ୍‍ରୁ କମ୍‍ ରହିଥିାବବେଳେ ଟିପିଡବ୍ଲ୍ୟୁଓଡିଏଲ୍‍ ବି ଏ କ୍ଷେତ୍ରରେ ଆଗରେ ରହିଛି ।

ତେବେ ବିଜୁଳି କ୍ଷତିର କାରଣ ଦର୍ଶାଇ ଦର ବଢାଇବାପାଇଁ ବାରମ୍ବାର ଓଇଆରସିଙ୍କ ଦ୍ୱାରସ୍ଥ ହେଉଥିବା କମ୍ପାନୀମାନେ କିନ୍ତୁ ବାକିଆ ବିଜୁଳି ଆଦାୟ କରିପାରୁ ନାହାନ୍ତି । ବୃହତ୍‍ ଶିଳ୍ପସଂସ୍ଥା ଉପରେ ବିଭିନ୍ନ ବିତରଣ କମ୍ପାନୀର ୩୬୫କୋଟି ଟଙ୍କାରୁ ଅଧିକ ବାକିଆ ଗଡୁଥିବାବେଳେ ମଧ୍ୟ ଶିଳ୍ପ ଉପରେ ଏହି ପରିମାଣ ୩୩ କୋଟି ଟଙ୍କା ରହିଛି । ଶିଳ୍ପସଂସ୍ଥାଗୁଡିକ ବିଭିନ୍ନ ଆଳ ଦେଖାଇ ଏପରିକି ମାମଲା ରୁଜୁ କରି ବାକି ଗଡାଇ ଚାଲୁଛନ୍ତି ।

କେବଳ ଶିଳ୍ପସଂସ୍ଥା ନୁହନ୍ତି ବିଭିନ୍ନ ସରକାରୀ ବିଭାଗ ଉପରେ ବି ୨୪୨ କୋଟି ଟଙ୍କାର ବାକି ଗଡୁଛି । ଠିକଣା ସମୟରେ ଏମାନଙ୍କ ଠାରୁ ଅର୍ଥ ଆଦାୟ କରିନପାରିବା ଫଳରେ ବିତରଣ କମ୍ପାନୀମାନେ ଖରିଦ କରୁଥିବା ବିଦ୍ୟୁତ୍‍ ବାବଦ ଦେୟ ଗ୍ରିଡ୍‍କୋକୁ ଦେଇପାରୁ ନାହାନ୍ତି । ଏଥିଯୋଗୁଁ ଉଭୟ ସଂସ୍ଥାର କ୍ଷତି ବଢି ବଢି ଚାଲିଛି । (ତଥ୍ୟ)