Home General ପ୍ରକୃତ ଚାଷୀଙ୍କୁ ରେକର୍ଡରେ ଦରଜ କର

ପ୍ରକୃତ ଚାଷୀଙ୍କୁ ରେକର୍ଡରେ ଦରଜ କର

ଭୁବନେଶ୍ୱର : ବିଭିନ୍ନ କଲ୍ୟାଣକାରୀ ଯୋଜନାର ଲାଭ ପ୍ରକୃତ ଚାଷୀଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ଥିବାବେଳେ ଏମାନଙ୍କ ନାମ ରେକର୍ଡ ଅଫ୍‍ ରାଇଟ୍‍ରେ ଦରଜ ପାଇଁ ରାଜ୍ୟ ସରକାର ଜିଲ୍ଲପାଳମାନଙ୍କୁ କହିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ମର୍ମରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି ।

ରାଜ୍ୟର ବିଭିନ୍ନ ତହସିଲରେ ଜମି ମାଲିକଙ୍କ ଚୂଡାନ୍ତ ରେକର୍ଡ ଅଫ୍‍ ରାଇଟ୍‍ସ ତାଲିକା ୧୯୬୦ ଓ ୧୯୯୦ ରେ ହୋଇଥିବା ବନ୍ଦୋବସ୍ତରେ ପ୍ରକାଶ ପାଇଥିଲା ଏବଂ ସେବେଠାରୁ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଫଳରେ ଏହି ରେକର୍ଡ ଅଫ ରାଇଟ୍‍ର ଦୁଇ ନମ୍ବର ସ୍ଥାନରେ ଏବେ ବି ପ୍ରକୃତ ଚାଷୀଙ୍କ ପୂର୍ବପୁରୁଷଙ୍କ ନାମ ରହିଛି । ଏଥି ଯୋଗୁଁ ପିଏମ୍‍ କିଷାନ ଭଳି କଲ୍ୟାଣକାରୀ ଯୋଜନାର ଲାଭ ସେମାନେ ପାଇପାରୁ ନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିଯୋଗୁଁ ପ୍ରକୃତ ଚାଷୀମାନେ ବ୍ୟାଙ୍କରୁ ସହଜରେ କୃଷି କିମ୍ବା ଅନ୍ୟାନ୍ୟ ଋଣ ପାଇବାରେ ସମସ୍ୟାରେ ପଡୁଛନ୍ତି । ଏଥିଯୋଗୁଁ ଇ-ପାଉତି ପୋର୍ଟାଲ ଜରିଆରେ ରାଜସ୍ୱ ସଂଗ୍ରହରେ ମଧ୍ୟ ସମସ୍ୟା ଉପୁଜୁଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଓଡିଶା ଜମିଜମା ସଂସ୍କାର ଆଇନ୍‍ ୧୯୬୦ ଓ ୧୯୬୫ ଧାରା ଅନୁଯାୟୀ ସହ ଅଂଶୀଦାରଙ୍କ ମଧ୍ୟରେ ପାରସ୍ପରିକ ସହମତି ଭିତ୍ତିରେ ଜମିକୁ ଭାଗ କରାଯାଇ ପାରିବ ।

ଅତରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଓଡିଶା ସର୍ଭେ ଆଣ୍ଡ ସେଟେଲମେଣ୍ଟ ଅଧିନିୟମ ୧୯୬୨ରେ ଥିବା ବ୍ୟବସ୍ଥ ଅନୁଯାୟୀ ତହସିଲଦାର ନିଜେ କିମ୍ବା ଅଧସ୍ତନ ଅଧିକାରୀଙ୍କ ରିପୋର୍ଟ ଆଧାରରେ ରେକର୍ଡ ଅଫ୍‍ ରାଇଟ୍‍କୁ ନିଜଆଡୁ ସଂଶୋଧନ କରିପାରିବେ । ତେଣୁ ତହସିଲଦାର ଓ ଅତିରିକ୍ତ ତହସିଲଦାର ଭଳି କ୍ଷେତ୍ର ସ୍ତରୀୟ ଅଧିକାରୀମାନଙ୍କୁ କ୍ୟାମ୍ପକୋର୍ଟ ଜରିଆରେ ଏଭଳି ମାମଲାକୁ ଚିହ୍ନଟ କରିବା ସହିତ ଧାର୍ଯ୍ୟ ସମୟ ମଧ୍ୟରେ ତାହାର ସମାଧାନ ସହିତ ବାସ୍ତବ ସ୍ଥିତିକୁ ରେକର୍ଡ ଅଫ୍‍ ରାଇଟ୍‍ସରେ ସାମିଲ ପାଇଁ କହିଛନ୍ତି । ସେ ଆହୁରି ମଧ୍ୟ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ରାଜସ୍ୱ ରଥ ଜରିଆରେ ଏହାର ବ୍ୟାପକ ପ୍ରଚାର ପ୍ରସାର କରିବାକୁ କହିଛନ୍ତି । ଏହି ଅଭିଯାନକୁ ସଫଳ କରିବାପାଇଁ ଏଡିଏମ୍‍ ଓ ଉପଜିଲ୍ଲାପାଳମାନେ ସ୍ୱତନ୍ତ୍ର ଅଭିଯାନ ଚଳାଇବାପାଇଁ ନିର୍ଦ୍ଦେଶ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । (ତଥ୍ୟ)