Home Election ପୌର ଭୋଟ ପାଇଁ ଜମିଲାଣି ଭୋଜି ଭାତ

ପୌର ଭୋଟ ପାଇଁ ଜମିଲାଣି ଭୋଜି ଭାତ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିବା ପୂର୍ବରୁ ସହରାଞ୍ଚଳର ଭୋଟରମାନଙ୍କୁ ନିଜ ପଟକୁ ଆଣିବାପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମିବା ସହିତ ନେତାମାନେ ବି ସହାୟତାର ହାତ ବଢାଇଲେଣି ।

ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପରେ ପରେ ପୌର ନିର୍ବାଚନ କରାଇବାକୁ ରାଜ୍ୟ ନିର୍ବାଚନ କମିଶନ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ସହିତ ପୌର ର୍ନିବାଚନରେ ପ୍ରାର୍ଥୀମାନେ କେତେ ଅର୍ଥ ଖର୍ଚ୍ଚ କରିପାରିବେ ଓ କେତୋଟି ଗାଡି ବ୍ୟବହାର କରିପାରିବେ ତାହାର ବି ତାଲିକା ପ୍ରକାଶ କରିଛନ୍ତି । ଏବେ ଖାଲି ତାରିଖ ଘୋଷଣା ସହିତ ଆଦର୍ଶ ଆଚରଣବିଧିକୁ ଅପେକ୍ଷା ।

ଯେହେତୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଚଳିତମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଛି, ଏହାପରେ ଯେକୌଣସି ସମୟରେ ପୌର ର୍ନିବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇପାରେ ବୋଲି ଆଶାୟୀ ପ୍ରାର୍ଥୀମାନେ ଆକଳନ କରୁଛନ୍ତି । ତଦନୁଯାୟୀ ସେମାନେ ଏବେଠାରୁ ନିଜ ନିଜ ଅଞ୍ଚଳର ଭୋଟରଙ୍କୁ ମନାଇବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ଖୋଦ୍‍ ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ସରସ୍ୱତୀ ପୂଜା ଭୋଜି ଆଳରେ ବଡ ବଡ ଭୋଜିର ଆୟୋଜନ ହେଉଛି । ପୂଜା ପରେ କେତେକ ସ୍ଥାନରେ ଆମିଷ ଭୋଜି ସହିତ ଅନ୍ୟାନ୍ୟ ଆସର ବି ଜମୁଛି । ଏଥିରେ ସାଧାରଣତଃ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମ୍ପର୍କୀୟମାନେ ପୁରୋଧା ସାଜୁଛନ୍ତି । ଆଗାମୀ ଦିନରେ ଲଗାତାର ଭୋଜି ଆୟୋଜନ ପାଇଁ ବି କେତେକ ସ୍ଥାନରେ ପ୍ରସ୍ତୁତି ଚାଲିଛି ।

ପୌର ଭୋଟର ଫଳାଫଳ ସାଧାରଣତଃ ବସ୍ତିବାସିନ୍ଦାଙ୍କ ମତଦାନ ଉପରେ ନିର୍ଭର କରୁଥିବାରୁ ସେମାନଙ୍କୁ କିଭଳି ନିଜ ପଟକୁ ଆଣିହେବ ସେଥିପାଇଁ ପ୍ରାର୍ଥୀମାନେ ଲାଗି ପଡିଛନ୍ତି । ତେବେ ଅନେକ ବସ୍ତି ଅଞ୍ଚଳର ଲୋକେ ଏବେ ନିଜ ନିଜ ଗାଁରେ ନିର୍ବାଚନ ପ୍ରଚାର ଓ ଭୋଟ ଦେବାପାଇଁ ପଳାଇଛନ୍ତି । ଏମାନେ ଯେଭଳି ଗାଁ ଭୋଟ ଦେଇ ତୁରନ୍ତ ଫେରିବେ ସେଥିପାଇଁ ସେମାନଙ୍କ ସହିତ ଯୋଗାଯୋଗ ଚାଲିଛି । ଯଦି କୌଣସି ଠାରେ ଲୋକେ ଆସିବାକୁ ଥତମତ ହୁଅନ୍ତି ତେବେ ସେମାନଙ୍କୁ ଗାଡି ପଠାଇ ଆଣିବାପାଇଁ ବି ପ୍ରସ୍ତୁତି ଚାଲିଥିବା ସୂଚନା ମିଳୁଛି ।

ଏଥି ସହିତ ପୌର ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସହରର ସମସ୍ତ ହିତାଧିକାରୀ ଯେଭଳି ସୁରୁଖୁରୁରେ ରାସନ ଓ ଭତ୍ତା ପାଇବେ ସେଥିପାଇଁ ବି ସ୍ଥାନୀୟ ନେତାମାନେ ତତ୍ପର ହୋଇ ଉଠିଛନ୍ତି । ଏଥି ସହିତ ଷ୍ଟ୍ରିଟ୍‍ ଭେଣ୍ଡରମାନଙ୍କୁ ଦିଆଯାଉଥିବା ସହାୟତା ଯେଭଳି ଅଧିରୁ ଅଧିକ କ୍ଷୁଦ୍ର ବ୍ୟବସାୟୀ ପାଇବେ ସେଥିପାଇଁ ବି ସହରୀ ନେତାମାନେ ଲାଗି ପଡିଛନ୍ତି ।

ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ନେତାମାନେ ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ପୋଷ୍ଟର ବ୍ୟାନର ଲଗାଇବା ଆରମ୍ଭ କରିଥିବାବେଳେ ପ୍ରଶାସନ ଯେଭଳି କୌଣସି ବସ୍ତିରେ ଭଙ୍ଗାରୁଜା ନକରେ ତାହା ଉପରେ ମଧ୍ୟ ନଜର ରଖିଛନ୍ତି । ତେବେ ପୌରାଞ୍ଚଳର ଚୂଡାନ୍ତ ଭୋଟର ତାଲିକାରେ କେତେକ ସ୍ଥାନରେ ବସ୍ତି ଭୋଟରଙ୍କ ନାଁ କଟିବା ଏବେ ଆଶାୟୀ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇଛି । ସେମାନଙ୍କୁ କିଭଳି ତାଲିକାରେ ଭର୍ତ୍ତି କରାଯିବ ସେଥିପାଇଁ ବି ଉଦ୍ୟମ ଚାଲିଛି ।

ତେବେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ପୌର ନିର୍ବାଚନ ପାଇଁ ସେମାନଙ୍କ ପ୍ରାର୍ଥୀ ତାଲିକା କିମ୍ବା ନିର୍ବାଚନୀ କାର୍ଡ ଖେଳି ନଥିବାରୁ ଆଗାମୀ ଦିନରେ ଭୋଜି ରାଜନୀତି ସହିତ ଭୋଟରଙ୍କୁ ନିଜ ପଟକୁ ଆଣିବା ଉଦ୍ୟମ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି । (ତଥ୍ୟ)