Home Election ପୌର ନିର୍ବାଚନ ପାଇଁ ସହରାଞ୍ଚଳରେ ଉତ୍ସୁକତା

ପୌର ନିର୍ବାଚନ ପାଇଁ ସହରାଞ୍ଚଳରେ ଉତ୍ସୁକତା

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଏବେ ରାଜ୍ୟର ସହରାଞ୍ଚଳରେ ଉତ୍ସୁକତା ବଢିବାରେ ଲାଗିଛି । ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ଓଡ଼ିଶାରେ ହୋଇପାରେ ପୌର ନିର୍ବାଚନ । ଫେବୃୟାରୀ ମାସରେ ୫ ପର୍ଯ୍ୟାୟରେ ମତ ଗ୍ରହଣ ପରେ ଫଳାଫଳ ପ୍ରକାଶ ପାଇବ ଏବଂ ତାହା ପରେ ପରେ ନିର୍ଦ୍ଧାରିତ ଦିନରେ ସମଗ୍ର ରାଜ୍ୟରେ ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚିତ ହେବେ । ଏହି ପ୍ରକ୍ରିୟା ସରିବା ପରେ ପୌର ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ସମ୍ଭାବନା ରହିଛି ।

ପୌର ନିର୍ବାଚନ ଲାଗି ଇତିମଧ୍ୟରେ କେଉଁ ପୌର ସଂସ୍ଥାର କେଉଁ ୱାର୍ଡ କେଉର୍ ବର୍ଗଙ୍କ ଲାଗି ସଂରକ୍ଷିତ ରହିବ ଏବଂ କେଉଁଠି କେଉଁ ବର୍ଗର ଅଧ୍ୟକ୍ଷ, ଉପାଧ୍ୟକ୍ଷ ତଥା ମେୟର ଓ ଡେପୁଟି ମେୟର ରହିବେ ସେଥିଘେନି ଆପତ୍ତି ଅଭିଯୋଗ ଆହ୍ୱାନ ପରେ ଇତିମଧ୍ୟରେ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ପୌରାଞ୍ଚଳଗୁଡିକର ଭୋଟର ତାଲିକା ମଧ୍ୟ ଚୂଡାନ୍ତ ହୋଇଛି ।

ଓଡ଼ିଶାରେ ଏବେ ୧୧୪ଟି ପୌରସଂସ୍ଥା ରହିଛି । ସେଥିମଧ୍ୟରୁ ୫ଟି ମ୍ୟୁନିସିପାଲ କର୍ପୋରେସନ ଥିବାବେଳେ ୪୮ଟି ପୌରପାଳିକା ଓ ୬୧ଟି ବିଜ୍ଞପିତ ଅଞ୍ଚଳ ପରିଷଦ ରହିଛି । ତେବେ ଭୁବନେଶ୍ୱର, କଟକ, ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିର୍ବାଚନ କରାଯିବା ଚୂଡାନ୍ତ ହୋଇଥିବା ବେଳେ ବିଭିନ୍ନ କାରଣରୁ ୫ବର୍ଷ ତଳେ ଗଢ଼ା ଯାଇଥିବା ସମ୍ବଲପୁର ଓ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ ପାଇଁ କିନ୍ତୁ ନିର୍ବାଚନ ହେଉନାହିଁ । ଏଠାରେ ଉଲ୍ଲେଖନୀୟ ଯେ ୨/୩ ବର୍ଷ ଧରି ରାଜ୍ୟର ପ୍ରାୟ ସମସ୍ତ ପୌର ସଂସ୍ଥାରେ ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିସାରିଛି ।

ପୌର ନିର୍ବାଚନ ପାଇଁ ସଂରକ୍ଷଣ ଏକ ବଡ ବାଧକ ସାଜିଛି । ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାମାନଙ୍କ ଲାଗି ସଂରକ୍ଷଣ କ୍ଷେତ୍ରରେ ଆଇନଗତ ପ୍ରତିବନ୍ଧକ ନଥିବା ବେଳେ ପଛୁଆବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ବଡ ସମସ୍ୟା ଭାବେ ଉଭା ହୋଇଛି । ରାଜ୍ୟ ସରକାର ଏ କ୍ଷେତ୍ରରେ ପଛୁଆବର୍ଗଙ୍କ ଲାଗି ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବାକୁ ଆଇନଗତ ପଦକ୍ଷେପ ନେଇଥିଲେ ।

ତେବେ ଅଦାଲତ ଝଟକା ଯୋଗୁଁ ଏହି ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା ୧୧.୨୫ ପ୍ରତିଶତକୁ କମାଇବାକୁ ବାଧ୍ୟ ହୋଇଥିବା ବେଳେ ଏବେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ତାଲିକାରେ ପଛୁଆବର୍ଗଙ୍କୁ ବାଦ୍‍ ଦେଇଛନ୍ତି । ପୌର ନିର୍ବାଚନ କ୍ଷେତ୍ରରେ ମଧ୍ୟ ଏହାର ପୁନରାବୃତ୍ତି ହେବାକୁ ଯାଉଛି ।

ସରକାରୀ ଭାବେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନଥିଲେ ମଧ୍ୟ ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳମାନେ ପଞ୍ଚାୟତ ନିର୍ବାଚନରେ ପ୍ରାୟ ୫୦ ପ୍ରତିଶତ ଆସନରେ ନିଜ ନିଜ ଦଳୀୟ ପ୍ରାର୍ଥୀ ଛିଡା କରିଥିବା ଦାବି ରଖୁଛନ୍ତି । ସେହିଭଳି ପୌର ନିର୍ବାଚନ କ୍ଷେତ୍ରରେ ମଧ୍ୟ ବିଜେଡି ପଛୁଆବର୍ଗରୁ ଅନ୍ୟୂନ ୪୦ ପ୍ରତିଶତ ପ୍ରାର୍ଥୀ ଛିଡା କରାଇବେ ବୋଲି କହୁଥିବା ବେଳେ ବିଜେପି ଓ କଂଗ୍ରେସ ବି ଅନୁରୂପ ଘୋଷଣା କରିବା ସହ ପଛୁଆବର୍ଗଙ୍କ ଲାଗି ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରଖିବା ପାଇଁ ଅଡି ବସିଛନ୍ତି ।

ପୌରାଞ୍ଚଳଗୁଡିକରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ସହ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଅନେକ ଆଶାୟୀଙ୍କ ପ୍ରାର୍ଥୀତ୍ୱର ଆଶା ମଉଳି ଯାଇଛି । ତେବେ ପଞ୍ଚାୟତ ନିର୍ବାଚନରେ କ୍ଷମତାସୀନ ବିଜେଡି ପୂର୍ବାପେକ୍ଷା ଢ଼େର ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିବା ବେଳେ ପଞ୍ଚାୟତ ପରେ ପରେ ପୌର ନିର୍ବାଚନ ହେଲେ ଏଥିରୁ ଅଧିକ ଫାଇଦା ମିଳିପାରେ । ସେତେବେଳକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ସରି ଯାଇଥିବ ଏବଂ କେନ୍ଦ୍ର ଓ ରାଜ୍ୟ ବଜେଟ୍‍ ମଧ୍ୟ ଆସି ସାରିଥିବ । ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାର ପୌରାଞ୍ଚଳରେ ୫୦ ଲକ୍ଷରୁ ଅଧିକ ମତଦାତା ରହିଛନ୍ତି । (ତଥ୍ୟ)