Home News in Odia ପୌର ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ପୌର ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ୱର : ବିଧାନସଭାର ବଜେଟ୍‍ ଅଧିବେଶନ ଏବଂ ପଞ୍ଚାୟତ ଓ ପୌର ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ କିଛି ଅଦଳବଦଳ ହୋଇପାରେ ବୋଲି ଦଳୀୟ ନେତାଙ୍କ ମଧ୍ୟରେ ଜୋରଦାର ଚର୍ଚ୍ଚା ଚାଲିଛି । ତେବେ କିଏ ନୂଆ ମନ୍ତ୍ରୀ ହେବେ, କିଏ ବାଦ୍‍ ପଡିବେ ଓ ଆଉ କାହାର ବିଭାଗରେ ଅଦଳବଦଳ ହେବ କି ନାହିଁ ସେ ସଂକ୍ରାନ୍ତରେ ନିଷ୍ପତ୍ତି କେବଳ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କର ।

ଦଳୀୟ ଭିତ୍ତିରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡିର ଏକତରଫା ବିଜୟ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ଏକ ପ୍ରକାର ଧରାଶାୟୀ ହୋଇଛନ୍ତି । ବିଜେଡି ୫୩ ପ୍ରତିଶତରୁ ଅଧିକ ଭୋଟ ଜିଲ୍ଲା ପରିଷଦ ନିର୍ବାଚନରେ ପାଇଥିବା ବେଳେ ବିଜେପି ୩୦ ଓ କଂଗ୍ରେସ ୧୩ ପ୍ରତିଶତରେ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଛନ୍ତି । ତେବେ ବିଜେଡିର ସଂଗଠନ ଦାୟିତ୍ୱରେ ଥିବା ନେତାମାନେ ପୌର ନିର୍ବାଚନରେ ଦଳୀୟ ଭୋଟ ହାର ଆହୁରି ଅଧିକ ବଢ଼ାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଏ କାମରେ ବି ଅନେକ ମନ୍ତ୍ରୀ ଓ ବିଧାୟକ ଲାଗିଛନ୍ତି ।

ରାଜ୍ୟରେ ବିଜେଡି ୩୦ରୁ ୩୦ଟି ଯାକ ଜିଲ୍ଲା ପରିଷଦ ଦଖଲ କରିବାକୁ ଯାଉଛି । କେବଳ ଏଥିପାଇଁ ଆନୁଷ୍ଠାନିକ ଭାବେ ନିର୍ବାଚନ ଆସନ୍ତା ୧୩ ତାରିଖରେ ହେବାକୁ ଥିବାବେଳେ ଏବେ ଜିଲ୍ଲା ପରିଷଦ ସଭାପତି ଓ ଉପସଭାପତି ପଦବୀ ହାତେଇବା ପାଇଁ ଅନେକ ଆଶାୟୀ ଲବି ଚଳାଇଛନ୍ତି । ତେବେ ଅନ୍ୟୂନ ୧୫ଟି ଜିଲ୍ଲା ପରିଷଦରେ ସଭାପତି ପଦବୀ ମହିଳାମାନେ ସମ୍ଭାଳିବାକୁ ରହିଛି ।

୩୧୪ଟି ପଞ୍ଚାୟତ ସମିତି ମଧ୍ୟରୁ ବିଜେଡି ପାଖାପାଖି ୩୦୦ଟିରେ ଅଧ୍ୟକ୍ଷ ପଦବୀ ହାସଲ କରିବ ବୋଲି ଲକ୍ଷ୍ୟ ରଖିଥିବା ଦଳୀୟ ନେତାମାନେ କହୁଛନ୍ତି । ସରପଞ୍ଚ, ସମିତି ସଦସ୍ୟ ଓ ୱାର୍ଡମେମ୍ବର ପାଇଁ ଦଳୀୟ ଚିହ୍ନରେ ନିର୍ବାଚନ ହୋଇନଥିଲେ ବି ଏହି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କ ଭିତରୁ କିଏ କେଉଁ ଦଳର ତାହା ସ୍ଥାନୀୟ ଲୋକଙ୍କୁ ବେଶ୍‍ ଜଣା । ସମିତି ସଭ୍ୟମାନେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବାଛିବେ । କାଳେ ଏଥିରେ କିଛି ଗଡବଡ ହୋଇଯିବ ସେହି ଆଶଙ୍କାରେ ନିଜ ନିଜର ସମର୍ଥିତ ସମିତି ସଭ୍ୟମାନଙ୍କୁ ଏବେ ଅଞ୍ଚଳ ବାହାରେ ବିଭିନ୍ନ ସ୍ଥାନରେ ରଖାଯାଇଛି । ଏହା ଉପରେ ବି ବିଭିନ୍ନ ଦଳର ନେତୃବୃନ୍ଦ ଆଖି ରଖିଛନ୍ତି ।

ସେହିଭଳି ଚଳିତମାସ ୨୪ ତାରିଖରେ ହେବାକୁ ଥିବା ୧୦୯ଟି ପୌର ସଂସ୍ଥା ନିର୍ବାଚନରେ ବିଜେଡି ପଞ୍ଚାୟତ ରେକର୍ଡଠାରୁ ଅଧିକ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି । ଏଥିଲାଗି ପ୍ରତ୍ୟେକ ୱାର୍ଡ ଉପରେ ଦଳର କର୍ମକର୍ତ୍ତା ଓ ପର୍ଯ୍ୟବେକ୍ଷକମାନେ ସଜାଗ ଦୃଷ୍ଟି ରଖିଛନ୍ତି । ଯେଉଁଠି ନିର୍ବାଚନ ଫଳାଫଳ ଖରାପ ହେବ ସେଠି ଆଗାମୀ ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟନ କ୍ଷେତ୍ରରେ ବି ବ୍ୟତିକ୍ରମ ହେବାର ଆଶଙ୍କା ରହିଥିବାରୁ ଏବେ ସ୍ଥାନୀୟ ନେତାମାନେ ପୁରା ଦମ୍‍ ଖଟାଇ ଲାଗି ପଡିଛନ୍ତି । ପୌର ନିର୍ବାଚନ ଦୃଷ୍ଟିରୁ ନିୟମିତ ବଜେଟ ନ ଆସି କାମଚଳା ବଜେଟ ଚଳିତ ମାସ ଶେଷ ପୂର୍ବରୁ ଅନୁମୋଦିତ ହେବାର ଆବଶ୍ୟକତା ରହିଛି ।

୨୦୧୯ର ସାଧାରଣ ନିର୍ବାଚନ ପୂର୍ବରୁ ଅନେକ ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରୀତ୍ୱ ଦାୟିତ୍ୱରୁ ଅବ୍ୟାହତି ଦେଇ ସେମାନଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ କାର୍ଯ୍ୟରେ ବିଜେଡି ନିୟୋଜନ କରିଥିଲା ଏବଂ ଏହାର ଭଲ ଫଳ ବି ଗତ ବିଧାନସଭା ନିର୍ବାଚନ ଓ ବର୍ତ୍ତମାନ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହୋଇଛି । ଏ ପରିପ୍ରେକ୍ଷୀରେ ଏଥର ବି କିଛି ମନ୍ତ୍ରୀଙ୍କୁ ପୁଣି ସାଂଗଠନିକ କାମରେ ପୁରା ସମୟ ନିୟୋଜନ କରିବା ପାଇଁ ଚର୍ଚ୍ଚା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ସେତେବେଳେ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବାର ସମ୍ଭାବନା ଥିବା କୁହାଯାଉଛି । (ତଥ୍ୟ)