Home News in Odia ପୌର ନିର୍ବାଚନ କେବେ ?

ପୌର ନିର୍ବାଚନ କେବେ ?

ଭୁବନେଶ୍ୱର : ରାଜ୍ୟର ସମସ୍ତ ମହାନଗର ନିଗମ ସମେତ ୧୧୦ଟି ପୌରସଂସ୍ଥାରେ ପ୍ରାୟ ଦୁଇ ବର୍ଷ ଧରି ନିର୍ବାଚିତ ଜନପ୍ରତିନିଧି ନାହାନ୍ତି । ଏଗୁଡ଼ିକର କେବେ ନିର୍ବାଚନ ହେବ ସେଥିଘେନି କେହି ସ୍ପଷ୍ଟ ଭାବେ କିଛି କହୁନାହାନ୍ତି । ଫଳରେ ପୌରସଂସ୍ଥାଗୁଡ଼ିକରେ ନିର୍ବାଚିତ ପ୍ରତିନିଧିମାନଙ୍କର ଆବଶ୍ୟକତା ଅଛି କି ନାହିଁ ସେଥିଘେନି ପ୍ରଶ୍ନବାଚୀ ଉପୁଜୁଛି ।

ଓଡ଼ିଶାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଓ ମହାନଗର ନିଗମକୁ ମିଶାଇ ୧୧୪ଟି ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥା ରହିଛି । ଏଥିମଧ୍ୟରୁ ନୂଆକରି ଗଠନ କରାଯାଇଥିବା କେବଳ ୪ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚିତ ପ୍ରତିନିଧି ଥିବା ବେଳେ ଅନ୍ୟ ୧୧୦ଟିରେ ଦୀର୍ଘବର୍ଷ ତଳୁ କାଉନ୍‍ସିଲର୍‍, କର୍ପୋରେଟର୍‍, ମେୟର, ଡେପୁଟୀ ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଆଦି ନାହାନ୍ତି ।

ଏମାନଙ୍କ ଅନୁପସ୍ଥିତିରେ ପ୍ରଶାସନିକ ଅଧିକାରୀମାନେ ଏହି ନଗର ଉନ୍ନୟନ ସଂସ୍ଥାଗୁଡ଼ିକ ଚଳାଉଛନ୍ତି । ଫଳରେ ସାଧାରଣ ଲୋକେ ଅଭାବ ଅସୁବିଧା ଜଣେଇବା ପାଇଁ ନାକେଦମ୍‍ ହେଉଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟିରେ ଅଭିଯୋଗ ଜଣାଇବାକୁ ଥିବା ହେଲ୍ପଲାଇନ୍‍ ନମ୍ବରକୁ ଅନେକ ସ୍ଥଳରେ ଅଚଳ ଷ୍ଟ୍ରୀଟ୍‍ ଲାଇଟ୍‍ ଜଳାଇବା ପାଇଁ ବାରମ୍ବାର ଅଭିଯୋଗ କଲେ ବି ବିଶେଷ କିଛି ଫଳ ହେଉନାହିଁ । ଅନ୍ୟାନ୍ୟ ପୌରସେବା କ୍ଷେତ୍ରରେ ବି ଅନୁରୂପ ସମସ୍ୟା ।

ଯେତେବେଳେ ବି ଫୋନ୍‍ କରାଯାଉଛି ସେଥିରୁ ଅଧିକାଂଶ ସମୟ କେହି ଫୋନ୍‍ ନ ଉଠାଇ କେବଳ କମ୍ପ୍ୟୁଟରୀକୃତ ଉତ୍ତରରେ କାର୍ଯ୍ୟ ନିର୍ବାହୀମାନେ ବ୍ୟସ୍ତ ଥିବାରୁ ଅପେକ୍ଷା କରିବାକୁ ଆଶ୍ୱାସନା ମାତ୍ର ଦିଆଯାଉଛି । ଏ ପରିପ୍ରେକ୍ଷୀରେ ରାଜଧାନୀ ସମେତ ବିଭିନ୍ନ ନଗରାଞ୍ଚଳରେ ଯୋଜନାର ବାଟବଣା କରାଯାଇ ବାରମ୍ବାର ସଡ଼କ ଭଙ୍ଗାଗଢ଼ାଠାରୁ ଆରମ୍ଭ କରି ନାଳ ପୋତା ନାଳ ଖୋଳା ଆଦିରେ ବିପୁଳ ଅର୍ଥ ବରବାଦ ହେଉଥିବା ଖୋଦ୍‍ ରାଜଧାନୀର ବହୁ ପୂର୍ବତନ କର୍ପୋରେଟର ସ୍ୱୀକାର କରୁଛନ୍ତି ।

ଅଭିଯୋଗ ହେଉଛି ଯେ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ପାଇଁ ଓଡ଼ିଶାରେ ସାମ୍ବିଧାନିକ ଓ ଆଇନ୍‍ଗତ ବ୍ୟବସ୍ଥା ନ ଥିବା ଏବଂ ଏ ପ୍ରସଙ୍ଗରେ ବିଭିନ୍ନ ଆଇନ୍‍ ଅଦାଲତ ବାରମ୍ବାର ସ୍ପଷ୍ଟ ରାୟ ଦେଇଥିବା ସତ୍ତ୍ୱେ ରାଜ୍ୟ ସରକାର ପୌର ସଂସ୍ଥାଗୁଡ଼ିକ ଲାଗି ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ରଖିବା ଯୋଗୁ ଏକପ୍ରକାର ବିଶୃଙ୍ଖଳା ଉପୁଜିଛି ।

୬୫ ପ୍ରତିଶତରୁ ଊର୍ଦ୍ଧ୍ୱ ସ୍ଥାନ ସଂରକ୍ଷଣ ଆଳରେ ୱାର୍ଡଗୁଡ଼ିକର ସଂରକ୍ଷଣ କରାଯିବାରୁ ଏହା ବିରୁଦ୍ଧରେ ମାମଲା ହାଇକୋର୍ଟରୁ ସୁପ୍ରିମ୍‍କୋର୍ଟ ପର୍ଯ୍ୟନ୍ତ ଯାଇ ଚୂଡ଼ାନ୍ତ ରୂପ ନେଇଥିଲେ ମଧ୍ୟ ପୌର ସଂସ୍ଥାଗୁଡ଼ିକର ତ୍ରୁଟିପୂର୍ଣ୍ଣ ୱାର୍ଡ ସଂରକ୍ଷଣ ବ୍ୟବସ୍ଥାରେ ଏଯାବତ୍‍ ସଂଶୋଧନ ହୋଇନାହିଁ । ଫଳରେ ୧୧୦ଟି ପୌରସଂସ୍ଥାର ନିର୍ବାଚିତ ପ୍ରତିନିଧି ନ ଥିବାରୁ ଏଗୁଡ଼ିକରେ ଅମଲାତାନ୍ତ୍ରିକ ନିୟନ୍ତ୍ରଣ ବଢ଼ିଛି ।

ତେବେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଖୁବ୍‍ଶୀଘ୍ର ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନର ଏ ଦିଗରେ ପଦକ୍ଷେପ ନେବେ ଏବଂ ଠିକଣା ସମୟରେ ପୌର ସଂସ୍ଥାଗୁଡ଼ିକ ଲାଗି ନିର୍ବାଚନ କରାଯିବ । କେବଳ ୱାର୍ଡ ସଂରକ୍ଷଣ ଓ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଶେଷ ହେବା ପରେ କେଉଁ ପୌର ସଂସ୍ଥାର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ କେଉଁ ବର୍ଗଙ୍କ ଲାଗି ସଂରକ୍ଷିତ ରହିବ ତାହା ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ଆଧାର କରି କରାଯିବ । ତେବେ ଏହି ପ୍ରକ୍ରିୟା ଲାଗି ଅଧିକ ସମୟ ଲାଗିପାରେ ।

ଏଠାରେ ଉଲ୍ଲେଖନୀୟ ଯେ ସଂସଦ ଓ ବିଧାନସଭାର ଆସନ ଖାଲିପଡ଼ିଲେ କିମ୍ବା ଏହି ସାମ୍ବିଧାନିକ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ପୂରିଲେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରାର୍ଥୀ ନିର୍ବାଚନ କରିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ପୌର ପ୍ରତିନିଧି ଚୟନ କ୍ଷେତ୍ରରେ ଏହାର ଅନୁପାଳନ କରାଯାଉନଥିବାରୁ ବିଭିନ୍ନ ପୌରସଂସ୍ଥାର କାଉନ୍‍ସିଲର୍‍, କର୍ପୋରେଟର, ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଆଦି ପଦବୀ ପାଇଁ ଦୀର୍ଷ ଧରି ଅପେକ୍ଷା କରିଥିବା ଆଶାୟୀମାନଙ୍କର ଧୈର୍ଯ୍ୟଚ୍ୟୁତି ଘଟିବାରେ ଲାଗିଛି । (ତଥ୍ୟ)