Home General ପୋଷ୍ଟ ଅଫିସରେ ଧିମା ନେଟ୍‍ ସମସ୍ୟା

ପୋଷ୍ଟ ଅଫିସରେ ଧିମା ନେଟ୍‍ ସମସ୍ୟା

ଭୁବନେଶ୍ୱର : ପୋଷ୍ଟ ଅଫିସରେ ଧିମା ଇଣ୍ଟରନେଟ୍‍ ଯୋଗୁଁ ଲୋକେ ଏବେ ହନ୍ତସନ୍ତ । ଅର୍ଥ ଜମା ଠାରୁ ଆରମ୍ଭକରି ଚିଠିଟିଏ ପଠାଇବାପାଇଁ ବି ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ଖୋଦ୍‍ ରାଜଧାନୀରେ ବି ଡାକ ବିଭାଗର ନେଟ୍‍ ସମସ୍ୟା ଦେଖାଯାଉଛି ।

ରାଜ୍ୟର ପ୍ରାୟ ସମସ୍ତ ଡାକଘରେ କମ୍ପ୍ୟୁଟର ମାଧ୍ୟମରେ କାର୍ଯ୍ୟ ହେଉଛି । ଏଥିପାଇଁ କମ୍ପ୍ୟୁଟର, ପ୍ରିଣ୍ଟର, ଜେନେରେଟର ସହିତ ଡାକ ବିଭାଗ ଇଣ୍ଟରନେଟ୍‍ ବି ଯୋଗାଇଛି । ତେବେ ଡାକ ବିଭାଗ ଯୋଗାଇଥିବା ଇଣ୍ଟରନେଟ୍‍ ବ୍ୟବସ୍ଥା ଅତ୍ୟନ୍ତ ଧିମା ରହୁଛି । ଖୋଦ୍‍ ରାଜଧାନୀରେ ଅଧିକ ‘ବ୍ୟାଣ୍ଡ୍‍ୱିଦ୍‍’ ଯୋଗାଣ ହୋଇଥିଲେ ମଧ୍ୟ ତାହା ଠିକଣା ଭାବେ କାର୍ଯ୍ୟ କରୁନାହିଁ । ଫଳରେ ଟଙ୍କା ଜମା, ଉଠାଣ ସହିତ ସ୍ପିଡ୍‍ପୋଷ୍ଟ, ମନିଅର୍ଡର ଆଦି ପାଇଁ ଆସୁଥିବା ଲୋକେ ବହୁ ସମୟ ଧରି ଅପେକ୍ଷା କରୁଛନ୍ତି ।

ଗାଁ ଗହଳରେ ଏହି ସମସ୍ୟା ଅତି ଉତ୍କଟ ଆକାର ଧାରଣ କରିଛି । ଦିନ ଦିନ ଧରି ନେଟ୍‍ ସମସ୍ୟା ଯୋଗୁଁ ଡାକଘର କର୍ମଚାରୀମାନେ ହାତବାନ୍ଧି ବସୁଛନ୍ତି । ଫଳରେ ଟଙ୍କା ଜମା କିମ୍ବା ଉଠାଣ ସହିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆସୁଥିବା ଲୋକେ ଅପେକ୍ଷା କରି କରି ଫେରୁଛନ୍ତି । ଏଥିଯୋଗୁଁ ଗାଁ ଗହଳର ବହୁ ଲୋକେ ଏବେ ଡାକଘର ସେବାରେ ଅସନ୍ତୁଷ୍ଟ ହେବାରେ ଲାଗିଛନ୍ତି ।

ଉଲ୍ଲେଖନୀୟ ଯେ ନିଜ ନିଜର ସଞ୍ଚିତ ଅର୍ଥର ସୁରକ୍ଷା ଦୃଷ୍ଟିରୁ ଗାଁ ଗହଳର ଲୋକଙ୍କ୍‍ ପ୍ରଥମ ପସନ୍ଦ ହେଉଛି ଡାକଘର । ଏଠାରେ ଟଙ୍କା ଜମା ରଖିବାପାଇଁ ସେଭଳି ସର୍ବନିମ୍ନ ଧାର୍ଯ୍ୟ ସୀମା ନଥିବା ଏବଂ ଏସ୍‍ଏମ୍‍ଏସ୍‍ ଭଳି ସେବା ପାଇଁ ଦେୟ ଦେବାକୁ ପଡୁନଥିବାରୁ ଲୋକେ ଡାକଘରେ ନିଜ ନିଜର ଅର୍ଥ ରଖିବାପାଇଁ ବେଶ୍‍ ଆଗ୍ରହ ପ୍ରକାଶ କରୁଛନ୍ତି ।

ସେହିଭଳି ରାଜ୍ୟରେ ଚିଟଫଣ୍ଡ ଠକେଇ ପରେ ଲୋକେ ସେମାନଙ୍କ କଷ୍ଟାର୍ଜିତ ଧନକୁ ଡାକଘରେ ରଖିବାକୁ ଉଚିତ୍‍ ମଣୁଛନ୍ତି । ଏଥି ସହିତ ଡାକଘର ଜରିଆରେ ଏବେ ଇ-କମର୍ସ ବ୍ୟବସାୟ ଜୋରଦାର ଭାବେ ହେଉଥିବାରୁ ଗାଁ ଗହଳର ଲୋକଙ୍କ ଅନ୍‍ଲାଇନ୍‍ରେ ସାମଗ୍ରୀ ବି ଆସୁଛି । ହେଲେ ଡାକ ବିଭାଗର ଧିମା ଇଣ୍ଟରନେଟ୍‍ ଏ କ୍ଷେତ୍ରରେ ବଡ ବାଧକ ସାଜିଛି । ତେଣୁ ଲୋକଙ୍କୁ ଠିକଣା ସମୟରେ ସେବା ଯୋଗାଣ ପାଇଁ ଡାକ ବିଭାଗ ଇଣ୍ଟରନେଟ୍‍ ବ୍ୟବସ୍ଥାରେ ସୁଧାର ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)