Home News in Odia ପେଟ୍ରୋଲ ପମ୍ପରୁ ହୋର୍ଡିଂ ଖୋଲିବ କଂଗ୍ରେସ

ପେଟ୍ରୋଲ ପମ୍ପରୁ ହୋର୍ଡିଂ ଖୋଲିବ କଂଗ୍ରେସ

ଭୁବନେଶ୍ୱର : ଆଗାମୀ ୫ ଦିନ ଭିତରେ ଯଦି ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣ ନ କରନ୍ତି ତେବେ ଯୁବ କଂଗ୍ରେସ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପରୁ ଜନସାଧରଣଙ୍କ ଟିକସରେ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଲାଗିଥିବା ହୋର୍ଡିଂକୁ ଖୋଲିବ ଏବଂ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଆଇନ୍‌କୁ ହାତକୁ ନେବାକୁ ପଛଘୁଂଚା ଦେବ ନାହିଁ ।

ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ଅଭିନବ ଉପାୟରେ କାର୍‌, ମୋଟର ସାଇକେଲ୍‌କୁ ଠେଲି ଠେଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନ ଅଭିମୁଖେ ବାହାରି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ ।

ବର୍ତମାନ ସମଗ୍ର ମାନବ ଜାତି କରୋନା ମହାମାରୀ କବଳରୁ ସଂପୂର୍ଣ୍ଣ ଭାବେ ମୁକ୍ତି ପାଇନଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପରିଲକ୍ଷିତ ହୋଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଅର୍ନ୍ତଜାତୀୟ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ବ୍ୟାରେଲ୍ ପିଛା ୫୦ ଡଲାର ଥିବା ବେଳେ କିପରି ଭାବେ ଏହା ବଜାରରେ ପାଖାପାଖି ୯୦ ଟଙ୍କାରେ ବିକ୍ରୀ ହେଉଛି । ଏଥିରୁ ଜଣାପଡୁଛି ଉଭୟ ସରକାର ଲୋକମାନଙ୍କୁ ଟିକସ ବାବଦରେ ଲୁଟୁଛନ୍ତି । ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି ।

ବିଗତ ୧ ମାସ ଭିତରେ ଗ୍ୟାସ ଦର ୧୫୦ ଟଙ୍କା ବୃଦ୍ଧି ପାଇ ୮୫୦ ଟଙ୍କାରେ ପହଂଚିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱପ୍ନ ଦେଖାଇଥିବା ଆଚ୍ଛେ ଦିନ ଲୋକଙ୍କ ପାଇଁ ପରିହାସ ପାଲଟିଛି । ବିଗତ କିଛି ମାସ ହେବ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା । ଏବେ ତା’ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି କରିବା ବୋଝ ଉପରେ ଲଳିତା ବିଡା ସଦୃଶ ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି ।

ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବିଭାଗରେ ସଂପୂଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ଏଥିରୁ ପ୍ରମାଣିତ ହୋଇଛି । ରାଜ୍ୟ ସରକାର ମଧ୍ୟ ନିଜ ଦଳୀୟ ପାଣ୍ଠି ବଢ଼ାଇବା ପାଇଁ ଟିକସ ହ୍ରାସ କରୁନାହାନ୍ତି । ଯୁବ କଂଗ୍ରେସ ସଭାପତି ଡକ୍ଟର ଲେଙ୍କା ସରକାରଙ୍କୁ ଚେତାବନୀ ଦେଇଛନ୍ତି ।