Home General ପୂର୍ବାଞ୍ଚଳ ଶିଳ୍ପ କରିଡର ପାଇଁ କେନ୍ଦ୍ରକୁ ଅନୁରୋଧ

ପୂର୍ବାଞ୍ଚଳ ଶିଳ୍ପ କରିଡର ପାଇଁ କେନ୍ଦ୍ରକୁ ଅନୁରୋଧ

ଭୁବନେଶ୍ୱର : ଓଡିଶା ମଧ୍ୟ ଦେଇ ପୂର୍ବାଞ୍ଚଳ ଶିଳ୍ପ କରିଡର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏହା କେବଳ ଆର୍ଥôକ ଦୃଷ୍ଟିରୁ ଲାଭଦାୟକ ହେବନାହିଁ, ଶିଳ୍ପ ସମୃଦ୍ଧ ଏହି ରାଜ୍ୟକୁ ଦେଶର ଅନ୍ୟ ଭାଗ ସହିତ ଯୋଡିବାରେ ସହାୟକ ହେବ ।

ପୂର୍ବାଞ୍ଚଳ ପରିବହନ କରିଡର ଅମୃତସରରୁ କୋଲକାତା ପର୍ଯ୍ୟନ୍ତ ଆସୁଥିବାବେଳେ ଏହାକୁ ଗଭୀର ବନ୍ଦରମାନଙ୍କ ସହିତ ଯୋଡିଦେଲେ ଏହି ପ୍ରକଳ୍ପ ଆର୍ଥିକ ଦୃଷ୍ଟିରୁ ଅଧିକ ଲାଭବାନ ହେବ । ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ପ୍ରଦାନ କରି ରାଜ୍ୟ ସରକାର ଦର୍ଶାଇଛନ୍ତି ଯେ ଅମୃତସର-କୋଲକତା ଶିଳ୍ପ କରିଡର ଓଡିଶା ମଧ୍ୟ ଦେଇ ବିଶାଖାପାଣଣା ପର୍ଯ୍ୟନ୍ତ ସମ୍ପ୍ରସାରଣ ଜରୁରୀ । ଏହଦ୍ୱାରା ଏହି ଶିଳ୍ପ କରିଡର ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବା ସହିତ ଅନେକ ଶିଳ୍ପାଞ୍ଚଳକୁ ସଂଯୋଗ କରିପାରିବ ।

ଡେଡିକେଟେଡ ଫ୍ରାଇଟ୍‌ କରିଡର କର୍ପୋରେସନ ଅଫ୍‌ ଇଣ୍ଡିଆ ଲିମିଟେଡ (ଡିଏଫ୍‌ସିସିଆଇଏଲ୍‌) ଅମୃତସର-କୋଲକତା ଶିଳ୍ପ କରିଡର ପ୍ରତିଷ୍ଠା କରୁଥିବାବେଳେ ଏହା ଖୁବ୍‌ଶୀଘ୍ର ସମ୍ପୂର୍ଣ୍ଣ ହେବ । କେନ୍ଦ୍ର ସରକାର ୫ଟି ଶିଳ୍ପ ଓ ଆର୍ଥିକ କରିଡର ପ୍ରତିଷ୍ଠା କରୁଛନ୍ତି । ସେଗୁଡିକ ହେଲା ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର, ବେଙ୍ଗାଲୁର-ମୁମ୍ବାଇ ଆର୍ଥିକ କରିଡର, ଚେନ୍ନାଇ-ବେଙ୍ଗାଲୁର ଶିଳ୍ପ କରିଡର, ବିଶାଖାପାଟଣା-ଚେନ୍ନାଇ ଶିଳ୍ପ କରିଡର ଏବଂ ଅମୃତସର-କୋଲକାତା ଶିଳ୍ପ କରିଡର ।

ମେକ୍‌ ଇନ୍‌ ଇଣ୍ଡିଆ ଯୋଜନାକୁ ଦୃଷ୍ଟିରେ ରଖି ବିଭିନ୍ନ ସାମଗ୍ରୀ ଓ ଶ୍ରମିକ ପରିବହନ ସୁବିଧା ରାଜପଥ ଏବଂ ରେଳପଥରେ ଯୋଗାଇ ଦିଆଯିବ । ରାଜ୍ୟରେ ଖଣି, ଶକ୍ତି ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ବିିନିଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭିତ୍ତିଭୂମି ବିକାଶ ସହିତ ରାଜ୍ୟ ଭିତରେ ଶିଳ୍ପ ବାଣିଜ୍ୟ କରିଡର ପ୍ରତିଷ୍ଠା କରିବେ । ଆନ୍ତଃସଂଯୋଗକାରୀ ସଡକ ଓ ରେଳପଥଗୁଡିକୁ ପ୍ରସ୍ତାବିତ ଶିଳ୍ପ କରିଡର ସହିତ ଯୋଡିବାକୁ ହେଲେ ଅମୃତସର-କୋଲକତା ଶିଳ୍ପ କରିଡରକୁ ବିଶାଖାପାଟଣା ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ପଡିବ । ଏହାଦ୍ୱାରା ବିଶାଖାପାଟଣା-ଚେନ୍ନାଇ ଶିଳ୍ପ କରିଡର କୋଲକତା ସହିତ ଯୋଡିହୋଇଯିବ ।

ଏହା ଦ୍ୱାରା ଦେଶର ପୂର୍ବ, ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଶିଳ୍ପ କରିଡର ଯୋଗାଯୋଗ ହୋଇପାରିବ । କେନ୍ଦ୍ର ସରକାର ଧାମରା, ପାରାଦୀପ୍‌ ଏବଂ ଗୋପାଳପୁର ବନ୍ଦର ଆଖପାଖରେ ଥିବା ଶିଳ୍ପସଂସ୍ଥା ସହିତ ଉତ୍ତର ଏବଂ କେନ୍ଦ୍ରୀୟ ଶିଳ୍ପାଞ୍ଚଳକୁ ଶିଳ୍ପ କରିଡରମାଧ୍ୟମରେ ସଂଯୋଗ କରିପାରିବ । ଇତି ମଧ୍ୟରେ ଭାରତୀୟ ରେଳବାଇ ୪୦୦୦ କିଲୋମିଟର ମାଲ ପରିବହନ କରିଡର ପ୍ରତିଷ୍ଠା ମାଧ୍ୟମରେ ଦେଶର ପୂର୍ବ ଏବଂ ପଶ୍ଚିମ ପ୍ରାନ୍ତରେ ଥିବା ଶିଳ୍ପାଞ୍ଚଳ ସହିତ ଦକ୍ଷିଣ ଭାରତକୁ ଓଡିଶା ଓ ଆନ୍ଧ୍ରପ୍ରଦେଶର ବନ୍ଦର ସହିତ ଯୋଡିବାପାଇଁ ଯୋଜନା କରିଛି । ଏଥି ମଧ୍ୟରେ ଖଡଗପୁର-ବିଜୱାଡା ୧୧୧୫ କିଲୋମିଟର ପୂର୍ବତଟ କରିଡର, ଭୁସାଭାଲ-ନାଗପୁର-ଖଡଗପୁର-ଡାଙ୍କୁନି ୧୬୭୩ କିଲୋମିଟର ପୂର୍ବ-ପଶ୍ଚିମ କରିଡର ଏବଂ ୧୯୫ କିଲୋମିଟର ରାଜାଖରସୁଆଁ-କାଳିପହରୀ-ଆନ୍ଦଲ ରୁଟ୍‌ । ତୃତୀୟଟି ହେଉଛି ୯୭୫ କିଲୋମିଟର ଦୈର୍ଘ୍ୟ ବିଜୱାଡା-ନାଗପୁର-ଇଟାରସି ଉତ୍ତର ଦକ୍ଷିଣ ସବ୍‌ କରିଡର । ଏହିସବୁ କରଡର ଗୁଡିକ ଓଡିଶାର ପାରାଦୀପ, ଧାମରା, ଗୋପାଳପୁର ବନ୍ଦର ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ଗଙ୍ଗାଭରମ, କାକିନାଡା, କ୍ରିଷ୍ଣାପଟନମ ଏବଂ ମଛଲିପଟନମ ବନ୍ଦରକୁ ସଂଯୋଗ କରିବ ।