Home Covid ପୂଜା ଭିଡରେ ସାଂଘାତିକ ହୋଇପାରେ କରୋନା

ପୂଜା ଭିଡରେ ସାଂଘାତିକ ହୋଇପାରେ କରୋନା

ଭୁବନେଶ୍ୱର : ଖୁଦୁରୁକୁଣୀ ଓ ଜନ୍ମାଷ୍ଟମୀ ପାଇଁ ରାଜଧାନୀ ସମେତ ରାଜ୍ୟର କୋଣ ଅନୁକୋଣରେ ଯେପରି ଗହଳି ଲକ୍ଷ୍ୟ କରଯାଉଛି ତାହା ପାର୍ବଣଋତୁରେ ଅବ୍ୟାହତ ରହିଲେ କରୋନାର ସମ୍ଭାବ୍ୟ ତୃତୀୟ ଲହର ସାଂଘାତିକ ହୋଇପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ରାଜ୍ୟର ପ୍ରାୟ ଅଧିକାଂଶ ମନ୍ଦିର ଭକ୍ତମାନଙ୍କ ପାଇଁ ଖୋଲାଯାଉ ନଥିବାବେଳେ ଗଳି ପଶି ଶହ ଶହ ଲୋକ ଜନ୍ମାଷ୍ଟମୀ ଅବସରରେ ଅନେକ ମନ୍ଦିରରେ ଭିଡ ଜମାଇଛନ୍ତି । ଜନ୍ମାଷ୍ଟମୀ ଭୋଗ ଓ ପୂଜା ସାମଗ୍ରୀ ସଂଗ୍ରହ ଲାଗି ବି ହାଟ ବଜାରରେ ଭିଡ ଲକ୍ଷ୍ୟ କରାଯାଉଛି । ରବିବାର ଖୁଦୁରୁକୁଣୀ ଓଷା ପଡିଥିବାବେଳେ ଶୁକ୍ରବାର ପୂର୍ବରୁ ଏହି ଓଷା ପାଇଁ ସାମଗ୍ରୀ ସଂଗ୍ରହ ଲାଗି ମଧ୍ୟ ଅସମ୍ଭବ ଭିଡ ଦେଖାଦେଇଛି ।

ଆଗକୁ ଗଣେଶ ପୂଜା, ବିଶ୍ୱକର୍ମପୂଜା, ଦୁର୍ଗାପୂଜା ଆଦି ଆସୁଛି । ବର୍ତ୍ତମାନର ସ୍ଥିତି ଅବ୍ୟାହତ ରହିଲେ ଏହି ପୂଜାପାର୍ବଣ ସମୟରେ ଭିଡ ଅଧିକ ବଢିପାରେ । ତେବେ ପାର୍ବଣ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର କୋଭିଡ ମାର୍ଗନିର୍ଦ୍ଦେଶିକା ଜାରି କରାଯାଇଛି । ଏଥିରେ ପୂର୍ବବର୍ଷମାନଙ୍କ ଭଳି ପୂଜାମଣ୍ଡପରେ ସୀମିତ ଉଚ୍ଚତାର ମୂର୍ତ୍ତି ସ୍ଥାପନ ସହିତ ବିନା ଭକ୍ତରେ ପାର୍ବଣଋତୁ ସାରିବାପାଇଁ କୁହାଯାଇଛି । ତେବେ ଏଥିରେ ସଂଖ୍ୟାଧିକ ପୂଜା କମିଟି, କ୍ଲବ ଆଦି ଅସନ୍ତୁଷ୍ଟ । ସେମାନେ ଢେର ଉଚ୍ଚତାର ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ ସଂଗେ ସଂଗେ ଦାମୀ ସାଜସଜ୍ଜା ଉପରେ ଗୁରୁତ୍ୱ ଦେଉଛନ୍ତି । ଏତେ ସବୁ କରାଯିବା ସତ୍ୱେ ଭକ୍ତମାନେ ପୂଜା ମଣ୍ଡପକୁ ସାମାଜିକ ଦୂରତା ରକ୍ଷାକରି ଆସିବା ସପକ୍ଷରେ ଅନେକ ପୂଜା କମିଟିର ସଦସ୍ୟ କହୁଛନ୍ତି ।

ଓନାମ ପରେ କେରଳରେ କରୋନାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ଜାନୁୟାରୀ ୩୦ତାରିଖରେ ଭାରତର ପ୍ରଥମ କରୋନା ସଂକ୍ରମିତ କେରଳରେ ଚିହ୍ନିତ ହୋଇଥିବାବେଳେ ଓଡିଶାର ପ୍ରଥମ କରୋନା ସଂକ୍ରମିତ ଭୁବନେଶ୍ୱରରେ ସେହିବର୍ଷ ମାର୍ଚ୍ଚ ୧୫ତାରିଖରେ ଦେଖା ଦେଇଥିଲେ । କିନ୍ତୁ ବ୍ୟାପକ କଟକଣା ସତ୍ୱେ ୨୦୨୦ରୁ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ଯେଭଳି ବ୍ୟାପକ ସଂଖ୍ୟକ ଲୋକ କରୋନାରେ ସଂକ୍ରମିତ ହେବା ସହ ମୃତ୍ୟୁବରଣ କରିଛନ୍ତି ତାହା ସମସ୍ତଙ୍କୁ ଜଣା ।

ବିଶେଷଜ୍ଞମାନେ କହୁଛନ୍ତି ଯେ ପୂର୍ବ ଅଭିଜ୍ଞତାକୁ ଆଖିଆଗରେ ରଖି ଏବେ ଠାରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ଏବେ ଶିକ୍ଷାନୁଷ୍ଠାନମାନ ଖୋଲୁଥିବା ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣେଶପୂଜା ପାଇଁ ଆଗ୍ରହ ବୃଦ୍ଧି ପାଉଛି । ଏହାକୁ ଆଗରୁ ରୋକାନଗଲେ ସ୍ଥିତି ଅସମ୍ଭାଳ ହୋଇପଡିବ ବୋଲି ଅନେକ ବରିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ସାଧାରଣତଃ ଭାଦ୍ରବରୁ କାର୍ତ୍ତିକମାସ ପର୍ଯ୍ୟନ୍ତ ଓଡିଶାରେ ପାର୍ବଣଋତୁ ଲାଗି ରହିଥାଏ । ଗତବର୍ଷ ଠାରୁ କରୋନା ଯୋଗୁଁ ପୂଜା ପାର୍ବଣ ବ୍ୟାହତ ହୋଇଥିବାବେଳେ ମେଳା ମହୋତ୍ସବ ଆଦି ହୋଇପାରୁନାହିଁ । ଏବେ ଓଡିଶାରେ କରୋନା ସଂକ୍ରମଣ କମିଥିବା ଓ ସ୍ଥିତି ନିୟନ୍ତ୍ରଣାଧିନ ଥିବା ପରିପ୍ରେକ୍ଷୀରେ ପୁଣି ସାମାଜିକ ଓ ଧାର୍ମିକ ଉତ୍ସବାନୁଷ୍ଠାନରେ ଭୋଜିଭାତର ଆସର ବଢିବାରେ ଲାଗିଛି । ଯଦିଓ ବିବାହ, ବ୍ରତୋବନୟନ, ଶୁଦ୍ଧିକ୍ରିୟା ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟର ଭୋଜିଭାତ ଉପରେ କଟକଣା ରହିଛି ତଥାପି ବି ତାହାର କଡାକଡି ଅନୁପାଳନ କରଯାଉନଥିବାରୁ କରୋନା ସଂକ୍ରମଣ ବଢିବା ଆଶଙ୍କା ଢେର ରହିଛି । (ତଥ୍ୟ)