Home Excise ପୂଜା ପୂର୍ବରୁ ଜୋରଦାର ଅବକାରୀ ଧରପଗଡ

ପୂଜା ପୂର୍ବରୁ ଜୋରଦାର ଅବକାରୀ ଧରପଗଡ

ଭୁବନେଶ୍ୱର : ଦଶହରାର ଅବ୍ୟବହିତ ପୂର୍ବରୁ ରାଜ୍ୟରେ ଅବକାରୀ ଧରପଡଗ ଜୋରଦାର ହୋଇଛି । ପାର୍ବଣ ସମୟରେ ଯେଭଳି ବେଆଇନ୍‍ ନିଶା କାରବାର ନହୁଏ ସେଥିପାଇଁ ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶରେ ସମଗ୍ର ରାଜ୍ୟରେ ଅବକାରୀ ଅଧିକାରୀମାନେ ଚଢଉକୁ ଜୋରଦାର କରିଛନ୍ତି ।

ସେପ୍ଟେମ୍ବର ୨୧ ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ଅବକାରୀ ଅଧିକାରୀମାନେ ଚଳାଇଥିବା ଚଢଉ ସମୟରେ ୧୫୪ ନାର୍କୋଟିକ୍ସ ମାମଲା ସହିତ ନକଲି ବିଦେଶୀ ମଦ ଜବତ ହୋଇଛି । ଏହି ଚଢଉ ସମୟରେ ୨୪୮୪ ଗ୍ରାମ ହିରୋଇନ୍‍, ୧୧୦୩ କିଲୋ ଗଞ୍ଜେଇ, ୫୨.୭ ଲିଟର କଫ ସିରପ, ୧୪୧୮ ଲିଟର ନକଲି ବିଦେଶୀ ମଦ, ୯୫୦ ଲିଟର ସ୍ପିରିଟ୍‍ ଜବତ ହୋଇଛି ।

ଏଥି ସହିତ ଏହି କାରବାରରେ ସାମିଲ ୧୬୩ ଜଣ ବ୍ୟକ୍ତି ଗିରଫ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୯୯ଜଣ ବିରୁଦ୍ଧରେ ଏନ୍‍ଡିପିଏସ୍‍ ଦଫା ଲାଗିଛି । ୯୯ଜଣ ନକଲି ବିଦେଶୀ ମଦ କାରବାର ପାଇଁ ଗିରଫ ହୋଇଛନ୍ତି । ସେହିଭଳି ଅବକାରୀ ଚଢଉ ସମୟରେ ୧୪୭ଟି ମୋଟରଯାନ ଜବତ ହୋଇଛି । ଜବତ ଅବକାରୀ ସାମଗ୍ରୀ ଓ ଯାନବାହାନର ମୂଲ୍ୟ ୮.୨୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ପାର୍ବଣ ସମୟରେ ରାଜ୍ୟରେ ଯେଭଳି ବେଆଇନ୍‍ ନିଶା କାରବାର ନହୁଏ ତାହା ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଏଭଳି କାରବାର ଉପରେ ଜୋରଦାର ଚଢଉ କରିବାକୁ କମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଅଧିକାରୀମାନେ ନିଜ ନିଜ ଇଲାକରେ କଣ୍ଟ୍ରୋଲ ରୁମ୍‍ ସ୍ଥାପନ ସହିତ ସାଧାରଣ ଲୋକଙ୍କ ଠାରୁ ସୂଚନା ସଂଗ୍ରହ ପାଇଁ କୁହାଯାଇଛି ।