Home News in Odia ପୁଲିସ୍‍ ବିଭାଗରେ ମହିଳାଙ୍କ ହାର ୧୦.୧%

ପୁଲିସ୍‍ ବିଭାଗରେ ମହିଳାଙ୍କ ହାର ୧୦.୧%

ଭୁବନେଶ୍ୱର : ରାଜ୍ୟ ପୁଲିସ୍‍ ବିଭାଗରେ ମହିଳାଙ୍କ ହାର ହେଉଛି ୧୦.୧ ପ୍ରତିଶତ । ଜାତୀୟ ସ୍ତରରେ ଏହି ହାର ରହିଛି ୧୦.୩୦ ପ୍ରତିଶତ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧିନରେ ଥିବା ପୁଲିସ୍‍ ଗବେଷଣା ଓ ବିକାଶ ସଂସ୍ଥା ତାହାର ସର୍ବଶେଷ ରିପୋର୍ଟରେ ଏହା ଉଲ୍ଲେଖ କରିଛନ୍ତି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୦ ଜାନୁୟାରୀ ପହିଲା ସୁଦ୍ଧା ଓଡିଶା ପୁଲିସ୍‍ରେ ୫୮୫୪ ଜଣ ମହିଳା ଅଧିକାରୀ ଓ କର୍ମଚାରୀ ରହିଥିଲେ । ମୋଟ୍‍ ପଦବୀ ୫୮,୪୫୫ ଅନୁଯାୟୀ ମହିଳାଙ୍କ ହାର ହେଉଛି ୧୦.୧% । ସେହି ସମୟରେ ରାଜ୍ୟରେ ୨୮୬ଜଣ ମହିଳା ପୁଲିସ୍‍ ଇନ୍ସପେକ୍ଟର ପାହ୍ୟାରେ ଥିବାବେଳେ ୪୯୦ ଜଣ ଏସ୍‍ଆଇ, ୧୫୯ଜଣ ଏଏସ୍‍ଆଇ, ୮ଜଣ ହେଡ କନେଷ୍ଟବଳ ଓ ୩୧୩୨ ଜଣ କନେଷ୍ଟବଳ ଥିଲେ । ତେବେ ରାଜ୍ୟରେ ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଥିବାରୁ ମୋଟ୍‍ ପଦବୀ ଅନୁଯାୟୀ ୨୨,୪୩୬ ଜଣ ମହିଳା ରହିବାକଥା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଓଡିଶାରେ ୫୮୫୪ଜଣ ମହିଳା ପୁଲିସ୍‍ ବିଭାଗରେ ଥିବାବେଳେ ଆନ୍ଧ୍ରପ୍ରଦେଶରେ ୩୨୨୨, ମଧ୍ୟପ୍ରଦେଶରେ ୫୮୭୧, ପଶ୍ଚିମବଙ୍ଗରେ ୯୪୩୯, ବିହାରରେ ୧୪,୨୬୩, ମହାରାଷ୍ଟ୍ରରେ ୨୬,୮୮୨ ଓ ଉତ୍ତରପ୍ରଦେଶରେ ମହିଳା ପୁଲିସ୍‍ଙ୍କ ସଂଖ୍ୟା ୨୯,୧୦୪ ରହିଥିଲା । କୌଣସି ଗୋଟିଏ ହେଲେ ରାଜ୍ୟରେ ପୁଲିସ୍‍ ବିଭାଗରେ ୩୩ ପ୍ରତିଶତ ମହିଳା କାର୍ଯ୍ୟରତ ନଥିବା ରିପୋର୍ଟରୁ ଜଣାଯାଇଛି । ପୁଲିସ୍‍ ବିଭାଗରେ ମହିଳାଙ୍କ ହାର ପଶ୍ଚିମବଙ୍ଗରେ ୯.୭୧ ପ୍ରତିଶତ ଥିବାବେଳେ ମଧ୍ୟପ୍ରଦେଶରେ ୬.୦୩ ପ୍ରତିଶତ, ଉତ୍ତରପ୍ରଦେଶରେ ୯.୫୯ ପ୍ରତିଶତ ଓ କେରଳରେ ୭.୨୫ ପ୍ରତିଶତ ରହିଛି ।

ସମଗ୍ର ଦେଶରେ ୨୦,୯୧,୪୮୮ ପୁଲିସ୍‍ ପଦବୀ ରହିଥିବାବେଳେ ଏଥିରେ ୨,୧୫,୫୦୪ଜଣ ମହିଳା କାର୍ଯ୍ୟ କରୁଥିବା ଉକ୍ତ ସଂସ୍ଥା ତାହାର ରିପୋର୍ଟରେ ଉଲ୍ଲେଖ କରିଛି । ଏହି ସମୟରେ ସମଗ୍ର ଦେଶରେ ଡିଜିପି ଓ ସ୍ୱତନ୍ତ୍ର ଡିଜିପି ପାହ୍ୟାରେ ମାତ୍ର ୫ଜଣ ମହିଳା ଥିବାବେଳେ ଏମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଜଣେ କରି ରହିଥିଲେ ।

ସେହିଭଳି ସମଗ୍ର ଦେଶରେ ଅତିରିକ୍ତ ଡିଜିପି ପାହ୍ୟାରେ ୨୭ଜଣ ମହିଳା ଥିବାବେଳେ ଓଡିଶାରୁ ଜଣେ ହେଲେ ମହିଳା ଏହି ପାହ୍ୟାରେ ନଥିଲେ । ତେବେ ଆଇଜି ପାହ୍ୟାରେ ଥିବା ୩୮ ମହିଳାଙ୍କ ମଧ୍ୟରୁ ଓଡିଶାର ୩ଜଣ ଥିବାବେଳେ ୪୧୫ ଜଣ ଡିଆଇଜିଙ୍କ ମଧ୍ୟରୁ ଓଡିଶାର ଜଣେ ମହିଳା ଥିଲେ । ଏସ୍‍ପି ପାହ୍ୟାରେ ସମଗ୍ର ଦେଶରେ ୩୧୦ଜଣ ମହିଳା ଥିବାବେଳେ ଓଡିଶାରେ ଏହି ସଂଖ୍ୟା ୫ ରହିଥିଲା ।

ସେହିଭଳି ସମଗ୍ର ଦେଶରେ ୮ଟି ମହିଳା ବାଟାଲିୟନ ଥିବାବେଳେ ଏଥି ମଧ୍ୟରୁ ଜାମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ବିହାରରେ ଦୁଇଟି କରି ଥିବାବେଳେ କେରଳ ଓ ଝାଡଖଣ୍ଡରେ ଗୋଟିଏ କରି ବାଟାଲିୟନ ରହିଛି । ଓଡିଶାରେ ପୁଲିସ୍‍ ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ରହିଥିବାବେଳେ ନିଯୁକ୍ତି ହାର ସର୍ବଭାରତୀୟ ହାରର ପାଖାପାଖି ରହିଛି । ତେବେ ଅଧିକରୁ ଅଧିକ ମହିଳାଙ୍କୁ ପୁଲିସ୍‍ ବିଭାଗରେ ଭର୍ତ୍ତି ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ଜଣାଯାଇଛି । (ତଥ୍ୟ)