Home Assembly ପୁଲିସ୍‍କୁ ମିଳିଛି ୯୦୬ଟି ପିଓଏସ୍‍ ମେସିନ୍‍

ପୁଲିସ୍‍କୁ ମିଳିଛି ୯୦୬ଟି ପିଓଏସ୍‍ ମେସିନ୍‍

ଭୁବନେଶ୍ୱର : ଆଇନ୍‍ ଉଲ୍ଲଙ୍ଘନ କରୁଥିବା ଗାଡିଚାଳକମାନଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ପୁଲିସ୍‍କୁ ୯୦୬ଟି ପିଓଏସ୍‍ ମେସିନ୍‍ ଯୋଗାଇ ଦିଆଯାଇଛି । ସେହିଭଳି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ୨୫୧ଟି ପିଓଏସ୍‍ ମେସିନି ମିଳିଛି ।

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି ଯେ ପିଓଏସ୍‍ ମେସିନ୍‍ ଜରିଆରେ ଜୋରିମାନା ଆଦାୟ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ୍‍ (ଏସ୍‍ବିଆଇ) ଓ ଏଚଡିଏଫ୍‍ସି ବ୍ୟାଙ୍କ ସହିତ ବୁଝାମଣା କରାଯାଇଛି । ତଦନୁଯାୟୀ ଏସ୍‍ବିଆଇ କର୍ତ୍ତୃପକ୍ଷ ୨୦୨୩ ଜାନୁୟାରୀ ପହିଲାରେ ପୁଲିସ୍‍କୁ ୪୭୫ଟି ପିଓଏସ୍‍ ମେସିନ୍‍ ଯୋଗାଇ ଦେଇଥିବାବେଳେ ଏଚ୍‍ଡିଏଫ୍‍ସି ବ୍ୟାଙ୍କ୍‍ ୪୩୧ଟି ମେସିନ୍‍ ଯୋଗାଇଛି । ସେହିଭଳି ଏଚଡିଏଫ୍‍ସି ବ୍ୟାଙ୍କ୍‍ ପରିବହନ କର୍ତ୍ତୃପକ୍ଷଙ୍କୁ ୨୦୨୨ ଡିସେମ୍ବର ମାସରେ ୨୫୧ଟି ପିଓଏସ୍‍ ମେସିନ୍‍ ଯୋଗାଯାଇଛି ।

ପିଓଏସ୍‍ ମେସିନ୍‍ ଯୋଗାଣ ପରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ୧୭୦,୬୨,୦୫,୩୬୭ ଟଙ୍କା ଆଦାୟ କରିଥିବାବେଳେ ପୁଲିସ୍‍ ପକ୍ଷରୁ ୨୮,୮୫,୪୨,୭୬୫ ଟଙ୍କା ଆଦାୟ କରାଯାଇଛି । ପୁଲିସ୍‍ କର୍ତ୍ତୃପକ୍ଷଙ୍କୁ ଅଧିକ ମେସିନ୍‍ ଯୋଗାଇ ଦିଆଯାଇଥିବାବେଳେ ପରିବହନ କର୍ତ୍ତୃପକ୍ଷଙ୍କ ତୁଳନାରେ ସେମାନେ ଏହା ଜରିଆରେ ଢେର୍‍ କମ୍‍ ଜୋରିମାନା ଆଦାୟ କରିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ।