Home Education ପୁରୁଣା ହିସାବ ଦେଖାଇ ସ୍କୁଲ ବନ୍ଦ

ପୁରୁଣା ହିସାବ ଦେଖାଇ ସ୍କୁଲ ବନ୍ଦ

ଭୁବନେଶ୍ୱର : ବିଗତ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କ ସଂଖ୍ୟା ହିସାବକୁ ନେଇ ଏବେ ସ୍କୁଲ ବନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏଭଳି କାର୍ଯ୍ୟ ଏବେ ଲୋକପ୍ରତିନିଧିଙ୍କ ରକ୍ତଚାପ ବଢାଇବା ଆରମ୍ଭ କରିଦେଲାଣି ।

କରୋନା ପରବର୍ତ୍ତୀ ସମୟରେ ଏବେ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ପ୍ରସ୍ତୁତ ହେଉଥିବାବେଳେ ଜିଲ୍ଲା ସ୍ତରରେ ଛାତ୍ରଛାତ୍ରୀଙ୍କ ପୁରୁଣା ସଂଖ୍ୟାକୁ ଆଧାରକରି ବିଦ୍ୟାଳୟ ବନ୍ଦ ପାଇଁ ନୋଟିସ୍‍ ଦିଆଯାଉଛି । ଏଭଳି ଅଭିଯୋଗ ଆସିଛି ଜଗସିଂହପୁର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରୁ । ବିଶେଷକରି ଗତବର୍ଷର ଛାତ୍ରଛାତ୍ରୀଙ୍କ ତାଲିକା ଆଧାରରେ କର୍ତ୍ତୃପକ୍ଷ ବିଦ୍ୟାଳୟ ମିଶ୍ରଣ ପାଇଁ ନୋଟିସ୍‍ ଜାରି କରୁଛନ୍ତି ।

ଉଲ୍ଲେଖନୀୟ ଯେ ଗତବର୍ଷ ବିଦ୍ୟାଳୟ ବନ୍ଦକୁ ନେଇ ବିଧାନସଭାରେ ପ୍ରବଳ ବିରୋଧ ହେବାପରେ ସରକାର ନିୟମରେ ପରିବର୍ତ୍ତନ କରିଥିଲେ । ତଦନୁଯାୟୀ ସିଡ୍ୟୁଲ ଇଲକାରେ ବିଦ୍ୟାଳୟରେ ସର୍ବନିମ୍ନ ୧୫ ଓ ଅଣସିଡ୍ୟୁଲ ଇଲକାରେ ୨୦ଜଣ ଛାତ୍ରଛାତ୍ରୀ ଥିଲେ ତାହାକୁ ବନ୍ଦକରି ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରାଯିବ ନାହିଁ । ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ମାମଲା ଥଣ୍ଡା ପଡିଥିଲା ।

ହେଲେ କରୋନା ଥମିବା ପରେ ଏବେ ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟ ବନ୍ଦ ଅଭିଯାନ ଆରମ୍ଭ ହୋଇଛି । ଜଗତ୍‍ସିଂହପୁର ଜିଲ୍ଲାରେ ଶତାଧିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶାଇବାପାଇଁ କର୍ତ୍ତୃପକ୍ଷ ଚିଠି ଲେଖି ଜଣାଇ ସାରିଲେଣି । ତେବେ କରୋନା କାଳରେ ଯେଉଁସବୁ ବିଦ୍ୟାଳୟରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ରହଛନ୍ତି ତାହାକୁ ଆଉ ହିସାବକୁ ନିଆଯାଉ ନାହିଁ । ପୁରୁଣା ବର୍ଷରେ କମ୍‍ ଛାତ୍ରଛାତ୍ରୀ ଥିବା ଦର୍ଶାଇ ତାହାକୁ ବନ୍ଦ କରାଯାଉଛି । ବର୍ତ୍ତମାନ କେତେ ଉପସ୍ଥାନ ରହିଛି ତାହା ତନଖି କରିବାକୁ କର୍ତ୍ତୃପକ୍ଷ ବି ଆଗ୍ରହୀ ନୁହନ୍ତି ।

ଗାଁ ଗହଳର ବିଦ୍ୟାଳୟକୁ ନୋଟିସ୍‍ ଜାରି ହେବାପରେ ଅଭିଭାବକମାନେ ଏବେ ବିଇଓ, ଡିଇଓଙ୍କ ଠାରୁ ଆରମ୍ଭକରି ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ନିକଟକୁ ଦଉଡିବା ଆରମ୍ଭ କରିଛନ୍ତି । ହେଲେ ଅଧିକାଂଶ କ୍ଷେତ୍ରରେ ବିଧାୟକମାନେ ନିଜର ଅସହାୟତା ପ୍ରକାଶ କରୁଛନ୍ତି । ଲୋକଙ୍କ ଚାପ ବଢିବା ସହିତ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏବେ ନେତାଙ୍କର ବି ରକ୍ତଚାପ ବଢିବାରେ ଲାଗିଛି ।

ତେବେ ସବୁଠାର ଆଶ୍ଚର୍ଯ୍ୟର କଥା ହେଉଛି ଯେ ଗୋଟିଏ ଗୋଟିଏ ବିଦ୍ୟାଳୟ ସହିତ ଏକାଧିକ ବିଦ୍ୟାଳୟକୁ ମିଶ୍ରଣ କରାଯାଉଥିବାବେଳେ ଛୋଟ ଛୋଟ ପିଲାମାନେ କେଉଁ ପରିସ୍ଥିତିରେ ନିକଟସ୍ଥ ବିଦ୍ୟାଳୟକୁ ଯିବେ ତାହାର ବାସ୍ତବ ସ୍ଥିତି ଅନୁଧ୍ୟାନ ହେଉନାହିଁ । କରୋନା ପରବର୍ତ୍ତୀ ସମୟରେ ଏହା ଏବେ ଗାଁ ଗହଳର ବିଦ୍ୟାର୍ଥୀ ଓ ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ହେଲାଣି ।