Home General ପୁରୀରେ ମାଡ ହୋଇପାରେ ବାତ୍ୟା

ପୁରୀରେ ମାଡ ହୋଇପାରେ ବାତ୍ୟା

ଭୁବନେଶ୍ୱର : ଓଡିଶା ଉପକୂଳ ମୁହାଁ ହେଉଥିବା ବାତ୍ୟା ଜାୱାଦ ଆସନ୍ତା ୫ତାରିଖ ମଧ୍ୟାହ୍ନରେ ପୁରୀ ନିକଟରେ ମାଡ ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ଡକ୍ଟର ମହାପାତ୍ର କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବାତ୍ୟାର ରୂପ ନେଇଥିବାବେଳେ ଏହା ଘଣ୍ଟା ପ୍ରତି ପ୍ରାୟ ୩୨ କିଲୋମିଟର ବେଗରେ ଓଡିଶା ଉପକୂଳ ମୁହାଁ ହେବାରେ ଲାଗିଛି । ବର୍ତ୍ତମାନ ଏହାର ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ଥିବାବେଳେ ସ୍ଥଳଭାଗ ନିକଟତର ହେବା ବେଲକୁ ଏହା ପ୍ରାୟ ୧୦୦ କିଲୋମିଟର ରହିବ ବୋଲି ଆଶା କରାଯାଉଛି ।

ଯଦିଓ ଏହା ଫନି ଭଳି ବଡ ବାତ୍ୟା ନୁହେଁ, ତେବେ ଗୁଲାବ ଠାରୁ ସ।।ମନ୍ୟ ପ୍ରଭାବ ରହିବ ବୋଲି ଡକ୍ଟର ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଜାୱାଦ ବାତ୍ୟାର ଆଖି ବର୍ତ୍ତମାନ ସୁଦ୍ଧା ଠାବ ହୋଇନାହିଁ । ଏହା ଅତି ବଡ ବାତ୍ୟା ହୋଇନଥିବାରୁ ଏହାର ଆଖି ଦେଖାଯାଉ ନାହିଁ ।

ବାତ୍ୟାର ଅବସ୍ଥିତି ସଂକ୍ରାନ୍ତରେ ଜାଣିବାପାଇଁ ଏବେ ବିଶାଖାପାଟଣା ଠାରୁ ପାରାଦୀପ ପର୍ଯ୍ୟନ୍ତ ଥିବା ବିଭିନ୍ନ ରାଡାର ସମେତ ଉପଗ୍ରହର ଚିତ୍ରର ବିଶ୍ଲେଷଣ କରାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଯାହା ସ୍ଥିତି ରହିଛି ସେଥିରୁ ଏହା ପୁରୀ ନିକଟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି ।

ଏହାଦ୍ୱାରା ତଳିଆ ଅଞ୍ଚଳରେ ପାଣି ପଶିବା ସହିତ କର୍ଚ୍ଚାଘର ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବା ଆଇଏମ୍‍ଡି ପକ୍ଷରୁ କୁହାଯାଇଛି । ଏହାର ପ୍ରଭାବରେ ଗଞ୍ଜାମ, ପୁରୀ, ଜଗତ୍‍ସିଂହପୁର ଓ ଖୋର୍ଦ୍ଧାରେ ଜିଲ୍ଲାରେ ସର୍ବାଧିକ ବର୍ଷା ସମ୍ଭାବନା ଥିବାରୁ ଏହିସବୁ ଜିଲ୍ଲାରେ ରେଡ୍‍ ୱାର୍ଣିଂ ଜାରି ହୋଇଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ଆଜି ଅପରାହ୍ନରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥି ସହିତ ଦୁଇ ଦିନ ପାଇଁ ପିଇବାପାଣି ମହଜୁଦ ରଖିବାପାଇଁ ଲୋକଙ୍କୁ କୁହାଯାଇଛି । ଇତି ମଧ୍ୟରେ ରାଜ୍ୟ ସରକାର ରବିବାର ଛୁଟି ବାତିଲ କରିବା ସହିତ ଯେଉଁ କର୍ମଚାରୀ ଓ ଅଧିକାରୀମାନେ ଛୁଟିରେ ଯାଇଛନ୍ତି ସେମାନେ ତୁରନ୍ତ ଛୁଟି ବାତିଲ କରି କାର୍ଯ୍ୟକ୍ଷେତ୍ରରେ ଯୋଗଦେବାପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

LEAVE A REPLY

Please enter your comment!
Please enter your name here