Home General ପୁରୀରେ ପହଞ୍ଚିବ ସମୁଦ୍ରତଳ କେବୁଲ

ପୁରୀରେ ପହଞ୍ଚିବ ସମୁଦ୍ରତଳ କେବୁଲ

ଭୁବନେଶ୍ୱର : ସମୁଦ୍ର ତଳେ ଆସିବାକୁ ଥିବା ଇଣ୍ଟରନେଟ୍‍ କେବୁଲ ପୁରୀ ଠାରେ ପହଞ୍ଚିବ । ରେଲ୍‍ଟେଲ୍‍ ପକ୍ଷରୁ ଏହି କେବୁଲ ବିଛା ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡିଶାର ପୁରୀ ସମେତ ସମୁଦ୍ରତଳେ ବିଛା ଯିବାକୁ ଥିବା ଏହି କେବୁଲ ଦେଶର ଆଉ ୯ଟି ସ୍ଥାନରେ ପହଞ୍ଚିବ ବୋଲି ଜଣାଯାଇଛି ।

ରେଲ୍‍ଟେଲ୍‍ ପକ୍ଷରୁ ସମୁଦ୍ର ତଳେ ଅଣାଯିବାକୁ ଥିବା ଏହି ଉଚ୍ଚମାନର ଫାଇବର କେବଳ ଓଡିଶାର ପୁରୀ ସମେତ ଗୁଜୁରାଟର ମୁଦ୍ରା, ମହାରାଷ୍ଟ୍ରର ନଭିମୁମ୍ବାଇ, ଗୋଆ, କର୍ଣ୍ଣାଟକର ମାଙ୍ଗାଲୋର, କେରଳର କୋଚିନ, ତାମିଲନାଡୁର ତୁତିକୋରିନ, ଚେନ୍ନାଇ, ପୁଡୁଚେରୀ, ଆନ୍ଧ୍ରର ବିଶାଖାପାଟଣା ଓ ପଶ୍ଚିମବଙ୍ଗର ଦୀଘା ଆଦି ସ୍ଥାନ ରହିଛି । ବିଭିନ୍ନ ଆର୍ନ୍ତଜାତୀୟ ସଂସ୍ଥା ଓ ରାଜ୍ୟ ସରକାରଙ୍କ ସହ ମିଶି ରେଲ୍‍ଟେଲ୍‍ ଏହି ପ୍ରକଳ୍ପକୁ ଆଗେଇ ନେବ ।

ମିଳିଥିବା ସୂଚନା ଅନୁଯାୟୀ ସମୁଦ୍ରତଳେ କେବୁଲ ଆସି ପୁରୀ ଠାରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ରାଜଧାନୀର ଇନ୍‍ଫୋସିଟି ପର୍ଯ୍ୟନ୍ତ ଆସିବ । ଏହିଠାରୁ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥାଙ୍କୁ ଯୋଗାଇ ଦିଆଯିବ । ତେବେ ରାଜ୍ୟ ସରକାର, ରେଲ୍‍ଟେଲ୍‍ ଓ ଏହାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିବେ ।

ତେବେ ଇତି ମଧ୍ୟରେ କାର୍ଯ୍ୟ ଆରମ୍ଭ ଲାଗି ବିଭିନ୍ନ ଆଗ୍ରହୀ ସଂସ୍ଥାଙ୍କ ଠାରୁ ନିବିଦା ଆହ୍ୱାନ କରାଯାଇଛି । ବିଶେଷକରି ଭାରତରେ କାର୍ଯ୍ୟ କରୁଥିବା ଆର୍ନ୍ତଜାତୀୟ ସଂସ୍ଥା, ଭାରତୀୟ ସମୁଦ୍ରରେ କେବୁଲ ବିଛା ପାଇଁ ଯୋଜନା ଓ ଲ୍ୟାଣ୍ଡିଂ ଷ୍ଟେସନ ନିର୍ମାଣ, ଖୋଲାରେ କେବୁଲ ବିଛାଇବା ପାଇଁ ଅଭିଜ୍ଞତା ଥିବା ସଂସ୍ଥା, ଭାତରେ ସମୁଦ୍ରତଳେ କେବୁଲ ବିଛା ପାଇଁ ଆର୍ନ୍ତଜାତୀୟ ଓଟିଟି ସଂସ୍ଥା, କେବୁଲ ଲ୍ୟାଣ୍ଡିଂ ଷ୍ଟେସନରେ କେବୁଲ ବିଛାଇବା କାର୍ଯ୍ୟ ଆଦି ପାଇଁ ଆଗ୍ରହୀ ସଂସ୍ଥାଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଛି । ଆଗ୍ରହୀ ସଂସ୍ଥାମାନେ ସେମାନଙ୍କ ଯୋଜନା, ସହଭାଗିତା, ବୈଷିକ ଡିଜାଇନ୍‍, ରୋଡମ୍ୟାପ ଆଦି ସହିତ ଜଣାଇବାକୁ କୁହାଯାଇଥିଲା ।

ଆଇଟି ବିଶେଷଜ୍ଞମାନଙ୍କ ମତରେ ରେଲଟେଲ୍‍ର ଏହି ପ୍ରସ୍ତାବିତ ସମୁଦ୍ର କେବୁଲ ଓଡିଶାରେ ପହଞ୍ଚିବା ପରେ ଇଣ୍ଟରନେଟ୍‍ ସେବା ଯୋଗାଣରେ ରାଜ୍ୟରେ ବଡ ଧରଣର ପରିବର୍ତ୍ତନ ହୋଇପାରିବ । ବିଶେଷକରି ରାଜ୍ୟରେ ଦ୍ରୁତଗାମୀ ଓ ବାଧାରହିତ ଇଣ୍ଟରନେଟ୍‍ ସେବା ମିଳିପାରିବ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଇଣ୍ଟରନେଟ୍‍ ଯୋଗାଣରେ ଉପୁଜୁଥିବା ବାଧା ଆଉ ରହିବନାହିଁ । ଏଥି ସହିତ ଇଣ୍ଟରନେଟ୍‍ ସେବା ଯୋଗାଉଥିବା ସଂସ୍ଥାଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ଭାବନା ଥିବାରୁ ଲୋକେ ଶସ୍ତାରେ ଉନ୍ନତମାନର ଇଣ୍ଟରନେଟ୍‍ ସେବା ପାଇପାରିବେ । (ତଥ୍ୟ)