Home Infrastructure ପୁରାତନ ବିଧାନସୌଧର ବିକାଶ ହେବ

ପୁରାତନ ବିଧାନସୌଧର ବିକାଶ ହେବ

ଭୁବନେଶ୍ୱର : ପୁରାତନ ବିଧାନସୌଧ ସର୍ଦ୍ଦାର ପଟେଲ ହଲର ଗୌରବମୟ ଐତିହ୍ୟର ସୁରକ୍ଷା ସହ ଏହାର ଯଥାର୍ଥ ବିକାଶ ପାଇଁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଅଛି ।

ସର୍ଦ୍ଦାର ପଟେଲ ହଲର ସୌନ୍ଦଯ୍ୟକରଣ ସହ ଏହି ଗୃହର ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯିବ । ଏହାର ଚତୁଃପାର୍ଶ୍ୱରେ ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୯୩୬ ମସିହାରୁ ୧୯୪୬ ମସିହା ପର୍ଯ୍ୟନ୍ତ ଥିବା ବିଧାନସଭାର ସଭ୍ୟମାନଙ୍କର ତୈଳ ଚିତ୍ର ସର୍ଦ୍ଦାର ପଟେଲ ହଲରେ ସ୍ଥାନ ପାଇବ । ଶ୍ରାବ୍ୟ ବ୍ୟବସ୍ଥା ମାଧ୍ୟମରେ ତତକାଳୀନ ନେତା ଏବଂ ବିଧାୟକମାନଙ୍କ ଜୀବନୀ, କାର୍ଯ୍ୟକଳାପ ଓ ରାଜ୍ୟର ପ୍ରଗତିରେ ସେମାନଙ୍କର ଅନବଦ୍ୟ ଭୂମିକା ସମ୍ପର୍କରେ ଆଗନ୍ତୁକ ମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯିବ ।

ଏ ସଂକ୍ରାନ୍ତୀୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସଂସ୍କୃତି ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।  ସେହିପରି ଭବିଷ୍ୟତ ଗବେଷଣା ପାଇଁ ତତକାଳୀନ ବିହାର-ଓଡ଼ିଶା ବିଧାନସଭାର ସମସ୍ତ ବିସ୍ତୃତ ବିବରଣୀ ସଂଗ୍ରହ ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ବିଧାନସଭା ସଂଲଗ୍ନ ରାସ୍ତା ପାର୍ଶ୍ୱରେ ମଧ୍ୟ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିମୂର୍ତ୍ତି ପାର୍ଶ୍ୱରେ ସେମାନଙ୍କ ଜୀବନୀ ଓ ସଂଗ୍ରାମ କାହାଣୀର ବିବରଣୀ ରହିବ । ସର୍ବୋଚ୍ଚ ଉଚ୍ଚତାର ଫ୍ଲାଗ ପୋଷ୍ଟ ଏବଂ ସୁଦୃଶ୍ୟ ୱାଚ୍ ଟାୱାର ନିର୍ମାଣ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏୟାରପୋର୍ଟ ଅଥରିଟିଙ୍କ ପରାମର୍ଶ ଅନୁଯାୟୀ ଏଗୁଡିକର ଉଚ୍ଚତା ସ୍ତିର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିଧାନସଭାର ତିନୋଟି ପ୍ରବେଶ ଦ୍ୱାରର ଆଧୁନିକୀକରଣ ସହ ଏହା ସୁଦୃଶ୍ୟ ଭାବେ ନିର୍ମିତ ହେବ । ଠିକ୍ ସେହିପରି ବିଧାନସଭା ଭିତରେ ଚାରିଗୋଟି ଏଲ୍.ଇ.ଡି. ଭିଡିଓ ୱାଲ ପ୍ରତିଷ୍ଠା ପାଇଁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେଉଥିବା ଗୃହର ଆଲୋଚନା ବିଧାନସଭା ସଦସ୍ୟମାନଙ୍କୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ ।

ବିଧାନସଭା ପରିସରସ୍ଥ ଏହି ସମସ୍ତ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ ମାଧ୍ୟମରେ କାର୍ଯ୍ୟକାରୀ ହେବ । ଏହି କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପୂର୍ତ୍ତ ବିଭାଗ ଶାସନ ସଚିବ କ୍ରିଷନ୍ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ପୂର୍ତ୍ତ ବିଭାଗ ମୂଖ୍ୟ ଯନ୍ତ୍ରୀ ଦୁର୍ଗା ପ୍ରସନ୍ନ ମିଶ୍ର ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ ।