Home Covid ବଢିପାରେ ଲକଡାଉନ୍‍ ଅବଧି

ବଢିପାରେ ଲକଡାଉନ୍‍ ଅବଧି

ଭୁବନେଶ୍ୱର : ରାଜ୍ୟ ସରକାର ଜାରି କରିଥିବା ଲକଡାଉନ୍‍ର ଅବଧି ଆସନ୍ତା ୧୯ତାରିଖରେ ସରିବାକୁ ଯାଉଥିବାବେଳେ ଏହାର ସମୟସୀମା ପୁଣି ବଢାଯାଇପାରେ ବୋଲି ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ଚାଲିଛି । ରାଜଧାନୀ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କରୋନା ସଂକ୍ରମଣର ସ୍ଥିତି ଯେଭଳି ଉଦ୍‍ବେଗଜନକ ରହିଛି ତାହାକୁ ରୋକିବାପାଇଁ କଠୋର କଟକଣା ସହ ଲକଡାଉନ୍‍ର ଆବଶ୍ୟକତା ରହିଛି ବୋଲି ବୈଜ୍ଞାନିକ ଓ ଡାକ୍ତରମାନେ ମତବ୍ୟକ୍ତ କରୁଥିବାବେଳେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ନିର୍ଭରକରେ ।

ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ସାରା ଦେଶରେ ୨୪ମାର୍ଚ୍ଚରୁ ୩୧ମଇ ପର୍ଯ୍ୟନ୍ତ ୪ପର୍ଯ୍ୟାୟରେ ଲକଡାଉନ୍‍ ରହିଥିଲା । ପରବର୍ତ୍ତୀ ସମୟରେ ଲକଡାଉନ୍‍ କଟକଣାକୁ ୫ଟି ପର୍ଯ୍ୟାୟରେ ଜୁନ୍‍ ପହିଲାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ କୋହଳ କରାଯାଇଥିଲା । ସେତେବେଳେ କେନ୍ଦ୍ର ସରକାରଙ୍କ ଲକଡାଉନ୍‍ ଘୋଷଣା  ସହିତ ରାଜ୍ୟ ସରକାରଙ୍କ ସଟ୍‍ଡାଉନ୍‍, କର୍ଫ୍ୟୁ ଓ କଣ୍ଟେନମେଣ୍ଟ ଜୋନ୍‍ ଘୋଷଣା ଆଦି ଯୋଗୁଁ ଓଡିଶାରେ କରୋନାର ପ୍ରଥମ ପର୍ଯ୍ୟାୟ ଲହରକୁ ସଫଳ ଭାବେ ରୋକାଯାଇ ପାରିଥିଲା । ଏବେ ରାଜ୍ୟରେ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ଲକ୍ଷକୁ ଟପିଥିବାବେଳେ ମୃତ୍ୟୁସଂଖ୍ୟା ବି ୨୩୧୩ ରେ ପହଞ୍ଚିଛି ।

ତେବେ ଗତବର୍ଷ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‍ ଘୋଷଣା ବେଳକୁ ମାତ୍ର ୨ଜଣ କରୋନା ସଂକ୍ରମିତ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍‍ ଘୋଷଣା ବେଳକୁ ଏହି ସଂଖ୍ୟା ୬୦ରେ ପହଞ୍ଚିଥିଲା ଓ ସେତେବେଳକୁ ରାଜ୍ୟରେ ଜଣେ ମାତ୍ର କରୋନାରୋଗୀ ମରିଥିଲେ । ଗତବର୍ଷର ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍‍ ଶେଷବେଳକୁ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାରରୁ କମ୍‍ ଥିବାବେଳେ ମୃତ୍ୟୁ ସଂଖ୍ୟା ମାତ୍ର ୭ରେ ସୀମିତ ଥିଲା । ସେତେବେଳକୁ ସାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୨ଲକ୍ଷ ଥିବାବେଳେ ମୃତ୍ୟୁସଂଖ୍ୟା ୫୪୦୦ରେ ପହଞ୍ôଚଥିଲା ।

ଆଗୁଆ ପଦକ୍ଷେପ ଯୋଗୁଁ କରୋନା ନିୟନ୍ତ୍ରଣରେ ଗତବର୍ଷ ଓଡିଶାର ସଫଳତାକୁ ଦେଶ ବିଦେଶରେ ପ୍ରଶଂସା କରାଯାଇଥିଲା । ତେବେ ଚଳିତବର୍ଷ ପଶ୍ଚିମବଙ୍ଗ, ଛତିଶଗଡ, ଆନ୍ଧ୍ର ଭଳି ପଡୋଶୀ ରାଜ୍ୟରେ ବଢି ଚାଲିଥିବା କରୋନା ସଂକ୍ରମଣର କୁପ୍ରଭାବ ଓଡିଶାରେ ପଡିବାରୁ ଦେଢମାସ ଧରି କରୋନା ବ୍ୟାପିବାରେ ଲାଗିଛି । ଓଡିଶାର ୧୦ଟି ସୀମାନ୍ତବର୍ତ୍ତୀ ଜିଲ୍ଲାରେ କରୋନା ତାହାର କରାଳ ରୂପ ଦେଖାଇ ସାରିବାପରେ ଏବେ ରାଜଧାନୀ ସମେତ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବ୍ୟାପିବାରେ ଲାଗିଛି ।

ଆଗରୁ ସହରାଞ୍ଚଳରେ ଆନୁପାତିକ ହାରରେ ଅଧିକ କରୋନା ସଂକ୍ରମିତ ଚିହ୍ନିତ ହେଉଥିବାବେଳେ ଏଥର ଗ୍ରାମାଞ୍ଚଳକୁ ତାହା ଅଧିକ ପରିମାଣରେ ସଂକ୍ରମିତ ହୋଇଛି । ବିଶେଷକରି ଅନ୍ୟ ରାଜ୍ୟରେ କାମଧନ୍ଦା ହରାଇ ଭିଟାମାଟିକୁ ପଳାଇ ଆସୁଥିବା ଶ୍ରମଜୀବିମାନେ ଏହାର ଅନ୍ୟତମ ବାହକ ସାଜୁଛନ୍ତି । କରୋନା ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ସାମାଜିକ ଓ  ଧାର୍ମିକ ଅନୁଷ୍ଠାନ ଉପରେ କଟକଣା ଜାରି ସହ ସଟ୍‍ଡାଉନ୍‍ ଓ ଲକଡାଉନ୍‍ ଆଦି ଜାରି କରିଥିଲେ ମଧ୍ୟ ବିଭିନ୍ନ ବାହାନା ଦେଖାଇ ଅମାନିଆମାନେ ଏହାର ଉଲ୍ଲଙ୍ଘନ କରିବା କରୋନା ସମ୍ପ୍ରସାରଣର ଅନ୍ୟତମ କାରଣ ବୋଲି କୁହାଯାଉଛି ।

ଏବର୍ଷର ପ୍ରଥମ ପର୍ଯ୍ୟାୟରେ ଲକଡାଉନ୍‍ ଆସନ୍ତା ୧୯ତାରିଖରେ ସରିବାକୁ ଯାଉଥିବାବେଳେ ଏହାକୁ ଅଧିକ କଠୋର କରାନଗଲେ ଓଡିଶାରେ କରୋନା ସ୍ଥିତି ଅତି ଭୟଙ୍କର ହୋଇପାରେ ଏବଂ ତୃତୀୟ ଲହରର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଅଳ୍ପ ସଂଖ୍ୟକ ଅମାନିଆଙ୍କ ପାଇଁ ବହୁ ସଂଖ୍ୟକ ଜନତାଙ୍କ ଜୀବନ ଓ ଜୀବିକାକୁ ସରକାର ବିପଦରେ ନପକାଇ ଅମାନିଆମାନଙ୍କ ବିରୁଦ୍ଧରେ ଅଧିକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଟିକାକରଣ ଅଭିଯାନକୁ ସୁଶୃଙ୍ଖଳିତ ଭାବେ ବ୍ୟାପକ କରିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)