Home Health ପୁଣି ଦୁଇ ଅଙ୍କରେ ମ୍ୟାଲେରିଆ ମୃତ୍ୟୁ

ପୁଣି ଦୁଇ ଅଙ୍କରେ ମ୍ୟାଲେରିଆ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ମ୍ୟାଲେରିଆ ମୃତ୍ୟୁ ଲଗାତାର ତିନି ବର୍ଷ ଧରି ଏକ ଅଙ୍କରେ ରହିବାପରେ ୨୦୨୧ରେ ଏହା ଦୁଇ ଅଙ୍କ ହୋଇଛି । ପରୀକ୍ଷା ହୋଇଥିବା ରକ୍ତରେ ମିଳୁଥିବା ମ୍ୟାଲେରିଆର ହାର କମ୍‍ ଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ହୋଇଛି ।

ସୂଚନା ଅନୁଯାୟୀ ୨୦୧୬ ମସିହାରେ ରାଜ୍ୟରେ ମ୍ୟଲେରିଆ ମୃତ୍ୟୁ ସର୍ବାଧିକ ୭୭ ରହିଥିବାବେଳେ ପଜିଟିଭ ହାର ୬.୧୮ ପ୍ରତିଶତ ଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ (ଦମନ) ଭଳି କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଏହା ପରେ ରାଜ୍ୟରେ ମ୍ୟାଲେରିଆର ପ୍ରକୋପ ହ୍ରାସ ପାଇଥିଲା । ୨୦୧୭ରେ ଦମନ କାର୍ଯ୍ୟକ୍ରମ ଯୋଗୁଁ ମୃତ୍ୟୁସଂଖ୍ୟା ୨୪କୁ ହ୍ରାସ ପାଇଥିଲା । ଏହାପରେ ୨୦୧୮ରେ ୩, ୨୦୧୯ ଓ ୨୦୨୦ରେ ୯ କରି ରହିଥିଲା । ହେଲେ ଗତବର୍ଷ ଏହା ୧୩କୁ ବୃଦ୍ଧି ପାଇ ଦୁଇ ଅଙ୍କରେ ପହଞ୍ଚିଛି ।

ଏହି ସୂଚନା ଅନୁଯାୟୀ ୨୦୨୧ ବର୍ଷରେ ୬୮,୭୫,୯୧୩ ରକ୍ତ ନମୂନା ପରୀକ୍ଷା ହୋଇଥିବାବଳେ ଏଥିରୁ ୨୫,୫୨୫ ଜଣଙ୍କ ଠାରେ ମ୍ୟାଲେରିଆ ଚିହ୍ନଟ ହୋଇଥିଲା । ଏହି ହାର ଥିଲା ୦.୩୭ ପ୍ରତିଶତ । ଯାହା କି ଗତ ୬ବର୍ଷ ମଧ୍ୟରେ ସର୍ବନିମ୍ନ । ସେହିଭଳି ବାର୍ଷିକ ପାରାସାଇଟ୍‍ ଇଣ୍ଡେକ୍ସ (ଏପିଆଇ) ମଧ୍ୟ ୦.୮୮କୁ ହ୍ରାସ ପାଇଛି ଯାହାକି ବହୁ ଦଶନ୍ଧିର ରେକର୍ଡ ଭାଙ୍ଗିଛି । ତେବେ ମୃତ୍ୟୁ ସଂଖ୍ୟା କିନ୍ତୁ ଦୁଇ ଅଙ୍କ ଛୁଇଁଛି ।

ଗତବର୍ଷ ରାଜ୍ୟରେ ଯେତିକି ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ ସେମାନଙ୍କ ମଧ୍ୟରୁ ୨୧ ପ୍ରତିଶତ ମାଲକାନଗିରି ଜିଲ୍ଲାରୁ ଥିବାବେଳେ କଳାହାଣ୍ଡିରୁ ୨୦ ପ୍ରତିଶତ, କନ୍ଧମାଳରୁ ୧୭, ରାୟଗଡାରୁ ୧୧, କୋରାପୁଟରୁ ୯, ନବରଙ୍ଗପୁର, ସୁନ୍ଦରଗଡ ଓ ବୌଦରୁ ୩ ପ୍ରତିଶତ କରି ରହିଛନ୍ତି । ନୟାଗଡ ଓ ଗଞ୍ଜାମରେ ୨ ପ୍ରତିଶତ କରି ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି ।

ବର୍ଷାଦିନେ ବିଶେଷକରି ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟରେ ମ୍ୟାଲେରିଆର ପ୍ରକୋପ ପରିଲକ୍ଷିତ ହେଉଥିବାବେଳେ ଏଥିରେ କିଶୋର ଓ ବୟସ୍କମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ଯେତେଲୋକ ମ୍ୟାଲେରିଆର ଶିକାର ହେଉଛନ୍ତି ସେମାନଙ୍କ ମଧ୍ୟରୁ ୫୪ ପ୍ରତିଶତଙ୍କ ବୟସ ୧୫ବର୍ଷରୁ ଅଧିକ ରହିଥିବାବେଳେ ୯ରୁ ୧୫ବର୍ଷ ବୟସ ମଧ୍ୟରେ ୧୬ ପ୍ରତିଶତ ଏବଂ ବର୍ଷକରୁ ୫ବର୍ଷ ବୟସର ପିଲା ୧୪ ପ୍ରତିଶତ ରହିଛନ୍ତି । କିଶୋର ଓ ବୟସ୍କ ଯେଉଁମାନେ କି ବାହାରେ ଅଧିକାଂଶ ସମୟ ବିତାଉଛନ୍ତି ସେମାନେ ମଶାକାମୁଡାର ଅଧିକ ଶିକାର ହେଉଥିବା ଏଥିରୁ ଲକ୍ଷ୍ୟ କରଯାଉଛି ।

ସେହିଭଳି ରାଜ୍ୟରେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ‘ଦମନ’ ରାମବାଣ ସଦୃଶ୍ୟ ହୋଇଥିବାବେଳେ ଜନ ସଚେତନତା, ଦକ୍ଷତା ବିକାଶ ଆଦି ଏହା ପଛକୁ ରହିଛି । ତେବେ ଦମନ ଯୋଜନାରେ ଗାଁ ଗହଳରେ ଆଶାକର୍ମୀମାନଙ୍କ ଦ୍ୱାରା ଲୋକଙ୍କ ସଚେତନ ସହିତ ଔଷଧିୟ ମଶାରୀ ବଣ୍ଟନ ମ୍ୟାଲେରିଆ ନିରାକରଣରେ ବଡ ସଫଳତା ଆଣି ଦେଇଥିବାବେଳେ ତିନି ବର୍ଷର ବ୍ୟବଧାନ ପରେ ସରକାରୀ ଖାତାରେ ପୁଣି ମ୍ୟାଲେରିଆ ମୃତ୍ୟୁ ବଢିବା ଏବେ ଚିନ୍ତାର କାରଣ ହୋଇଛି । (ତଥ୍ୟ)