Home Education ପିଲାଙ୍କ ଭାଷା ଓ ଗଣିତ ଶିକ୍ଷଣ ସ୍ତରର ସର୍ବେକ୍ଷଣ ହେବ

ପିଲାଙ୍କ ଭାଷା ଓ ଗଣିତ ଶିକ୍ଷଣ ସ୍ତରର ସର୍ବେକ୍ଷଣ ହେବ

ଭୁବନେଶ୍ୱର : ଆସନ୍ତା ୨୩ ମାର୍ଚ୍ଚ ୨୦୨୨ ତାରିଖଠାରୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଶିକ୍ଷଣର ସ୍ତର ନିର୍ଦ୍ଧାରଣ ନିମନ୍ତେ ଜାତୀୟ ଶିକ୍ଷା ଓ ଗବେଷଣା ପରିଷଦ ଏବଂ ଭାରତ ସରକାରଙ୍କ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ସର୍ବେକ୍ଷଣ କରାଯାଉଛି ।

ଏହି ସର୍ବେକ୍ଷଣର ମୂଲଲକ୍ଷ୍ୟ ହେଉଛି ଭାରତ ବର୍ଷରେ ଶିକ୍ଷାଦାନ ନିମନ୍ତେ ବ୍ୟବହୃତ ହେଉଥିବା ବିଭିନ୍ନ ଭାଷାରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କ ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ କ୍ଷେତ୍ରରେ ଶିକ୍ଷଣ ସ୍ତର ଜାଣିବା ଓ ସେମାନଙ୍କ ଶିକ୍ଷଣର ଅଗ୍ରଗତି ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା । ଏହି ସର୍ବେକ୍ଷଣରେ ୩୦ଟି ଜିଲ୍ଲାରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରୁ ମୋଟ ୬୦ ଜଣ ସଂଯୋଜକ ଓ ୩୪୫ ଜଣ କ୍ଷେତ୍ର ଅନୁଧ୍ୟାନକାରୀଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦିଆଯାଇଛି ।

ଏହି ସର୍ବେକ୍ଷଣରେ ଆମ ରାଜ୍ୟର ସରକାରୀ, ବେସରକାରୀ, କେନ୍ଦ୍ରୀୟ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଓଡ଼ିଆ, ଊର୍ଦ୍ଦୁ, ହିନ୍ଦୀ ଓ ଇଂରାଜୀ ଭାଷାରେ ପଢ଼ୁଥିବା ତୃତୀୟ ଶ୍ରେଣୀର ସମସ୍ତ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ସର୍ବେକ୍ଷଣର ଗୁରୁତ୍ୱ ଦୃଷ୍ଟିରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।

ଏହି ସର୍ବେକ୍ଷଣରେ ଓଡ଼ିଶାରୁ ମୋଟ ୪୪୯ଟି ବିଦ୍ୟାଳୟ ସାମିଲ ହୋଇଛି । ଆମ ରାଜ୍ୟରେ ୨୪ ତାରିଖରେ ହେବାକୁ ଥିବା ସହରାଞ୍ଚଳ ପୌର ନିର୍ବାଚନ ଓ ଶୁକ୍ରବାର ୨୫ ତାରିଖ ସମସ୍ତ ଊର୍ଦ୍ଦୁ ବିଦ୍ୟାଳୟ ବନ୍ଦ ହେବା କାରଣରୁ ୨୩ରୁ ୨୫ ମାର୍ଚ୍ଚ, ୨୬ରୁ ୨୮ ମାର୍ଚ୍ଚ ଓ ୪ରୁ ୬ ଅପ୍ରେଲ ୨୦୨୨ ମଧ୍ୟରେ ତିନୋଟି ପର୍ଯ୍ୟାୟରେ ଏହି ସେର୍ବକ୍ଷଣ ଶେଷ କରାଯିବା ପାଇଁ ନିର୍ଦ୍ଧାରିତ ହୋଇଛି ।

ସର୍ବେକ୍ଷଣର ସଫଳ ପରିଚାଳନା ପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦରେ ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଏହି ସର୍ବେକ୍ଷଣ ଆମ ରାଜ୍ୟର ତୃତୀୟ ଶ୍ରେଣୀ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସ୍ତର ଜାଣିବା ସହିତ ସେମାନଙ୍କ ଶିକ୍ଷଣର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି କରିବାରେ ସହାୟକ ହେବ ।