Home Education ପିଲାଙ୍କ ପାଠରେ ଡୋରି

ପିଲାଙ୍କ ପାଠରେ ଡୋରି

ଭୁବନେଶ୍ୱର : କେନ୍ଦ୍ର ସରକାର ସିବିଏସ୍‍ଇ ବୋର୍ଡର ଦ୍ୱାଦଶ ପରୀକ୍ଷା ବାତିଲ ଘୋଷଣା କରିବାପରେ ଏବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ଆଖି ରହିଛି । ତେବେ ସରକାରଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଅଧିକାଂଶ ଛାତ୍ରଛାତ୍ରୀ ପରୀକ୍ଷା ବନ୍ଦ ଆଶଙ୍କାରେ ପାଠରେ ଡୋରି ବାନ୍ଧିଥିବାବେଳେ ପ୍ରଥମ ବର୍ଷର ପାଠ ପଢିନଥିବା ପିଲାମାନେ ସିଧାସଳଖ ଦ୍ୱିତୀୟବର୍ଷର ପାଠପଢିବା ଆରମ୍ଭ କରିଛନ୍ତି ।

ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ଅପେକ୍ଷା କରିଥିଲେ । କେନ୍ଦ୍ର ସରକାର ପରୀକ୍ଷା ବାତିଲ କରିବାପରେ ରାଜ୍ୟ ସରକାର ଅନୁରୂପ ନିଷ୍ପତ୍ତିନେବା ଏକ ପ୍ରକାର ନିଶ୍ଚିତ । ବିଭିନ୍ନ ଗଣମାଧ୍ୟମରେ ଏଭଳି ଖବର ଆସିବାପରେ ଯୁକ୍ତ ଦୁଇ ପରୀକ୍ଷାପାଇଁ ଲାଗି ପଡିଥିବା ବିଜ୍ଞାନ, କଳା ଓ ବାଣିଜ୍ୟ ବିଷୟର ଛାତ୍ରଛାତ୍ରୀମାନେ ବହି ବସ୍ତାନି ବନ୍ଦ କରିଦେଲେଣି । ପରୀକ୍ଷା ବାତିଲ ସୂଚନା ପାଇବାପରେ ସେମାନେ କାହିଁକି ପାଠ ପଢିବେ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି । ତେବେ ପିଲାଙ୍କୁ କେଉଁ ଆଧାରରେ କିଭଳି ଫଳ ମିଳିବ ତାହାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି ।

ଏଭଳି ସୂଚନା ପାଇଲାପରେ ପିଲାଙ୍କ ପଛରେ ଲାଗି ପଡିଥିବା ଶିକ୍ଷକମାନେ ମଧ୍ୟ ପଢା ବନ୍ଦକରି ଦେଇଛନ୍ତି । ବିଶେଷକରି କୋଚିଂ ସେଣ୍ଟରଗୁଡିକରେ ଆଉ ଦ୍ୱିତୀୟ ବର୍ଷର ପାଠପଢା ହେଉନାହିଁ । ଯେଉଁ ଚାତ୍ରଛାତ୍ରୀମାନେ ଘରେ ରହି ଅଧିକ ପରିଶ୍ରମ କରୁଥିଲେ ସେମାନେ ଏବେ କେତେ ନମ୍ବର ପାଇ ଉତ୍ତୀର୍ଣ୍ଣ ହେବେ ତାହାର ହିସାବ କରିବାରେ ଲାଗିଛନ୍ତି ।

ତେବେ ଅଳ୍ପଦିନ ପାଇଁ ଯୁକ୍ତ ଦୁଇ ପ୍ରଥମବର୍ଷରେ ଶିକ୍ଷାନୁଷ୍ଠାନ ମାଟି ମାଡିଥିବା ଛାତ୍ରଛାତ୍ରୀମାନେ ଏବେ ଅନ୍‍ଲାଇନ୍‍ରେ ସିଧାସଳଖ ଯୁକ୍ତ ଦୁଇ ପାଠପଢା ଆରମ୍ଭ କରିଛନ୍ତି । ତେବେ ପ୍ରଥମ ବର୍ଷର ପାଠକୁ ଭଲଭାବେ ପଢିନଥିବା ଛାତ୍ରଛାତ୍ରୀମାନେ ଏବେ ସିଧାସଳଖ ଦ୍ୱିତୀୟ ବର୍ଷର ପାଠ ପଢିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି ।

ତେବେ ଅଧିକାଂଶ କଲେଜରେ ଅଧ୍ୟାପକ ଅଧ୍ୟାପିକାମାନେ ଅନ୍‍ଲାଇନ୍‍ ପାଠପଢା ସହିତ ଅଭ୍ୟସ୍ତ ନଥିବାରୁ ଏବେ ଠିକଣା ଭାବେ ପାଠପଢା ଆରମ୍ଭ ହୋଇପାରୁ ନାହିଁ । ବହୁ ଶିକ୍ଷକ ନିଜେ ହ୍ୱାଟସଆପ୍‍ ଗ୍ରୁପ୍‍ଟିଏ ତିଆରି କରିପାରୁ ନାହାନ୍ତି । କିଏ ଛାତ୍ରଛାତ୍ରୀଙ୍କ ଦ୍ୱାରା ତିଆରି ଗ୍ରୁପ୍‍ରେ ପାଠ ପଢାଉଛନ୍ତି ତ ଆଉ କିଏ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କିଭଳି ନିଆଯିବ ତାହା ଜାଣିପାରୁ ନାହାନ୍ତି । ତେବେ ଆଉ ଗୋଟିଏ ସମସ୍ୟା ହେଉଛି ଲକଡାଉନ୍‍ ଓ ସଟ୍‍ଡାଉନ୍‍ରେ ଆବଶ୍ୟକ ପାଠ୍ୟପୁସ୍ତକ ମିଳିପାରୁ ନାହିଁ । ତେଣୁ ବର୍ତ୍ତମାନ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ କିଭଳି ଠିକଣା ଭାବେ ପାଠପଢିବେ ସେଥିପାଇଁ ପଦକ୍ଷେପ ନେବାକୁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)