Home News in Odia ପିପିଲି ପାଇଁ ବିଜେଡି ପ୍ରାର୍ଥୀ ହେଲେ ରୁଦ୍ର

ପିପିଲି ପାଇଁ ବିଜେଡି ପ୍ରାର୍ଥୀ ହେଲେ ରୁଦ୍ର

ଭୁବନେଶ୍ୱର : ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ବିଜେଡି ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ରଙ୍କୁ ବିଜେଡି ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି । ନବୀନ ନିବାସ ଠାରେ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏହି ଘୋଷଣା ହୋଇଛି ।

ଗତବର୍ଷ ଅକ୍ଟୋବର ମାସରେ ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ଏହି ଆସନଟି ଖାଲି ପଡିଥିଲା । ଆସନ୍ତା ମାସ ୧୭ତାରିଖରେ ଏଠାରେ ଭୋଟ ଗ୍ରହଣ ହେବାକୁ ଯାଉଥିବାବେଳେ ବିଜେଡି ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି ।

ଗତ କିଛି ଦିନଧରି ବିଜେଡି ପ୍ରାର୍ଥୀଙ୍କୁ ନେଇ ଅଙ୍କକଷା ଚାଲିଥିଲା । ସ୍ୱର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ରଙ୍କ ମଧ୍ୟରୁ ଜଣଙ୍କୁ ଟିକଟ ଦେବାପାଇଁ ଦଳ ବିଚାରୁଥିବାବେଳେ ରୁଦ୍ରଙ୍କ ସପକ୍ଷରେ କର୍ମୀ ଓ ପରିବାର ଆଗକୁ ଆସିଥିଲେ । ଶେଷରେ ବିଜେଡି ରୁଦ୍ରଙ୍କୁ ମଇଦାନୁ ଓହ୍ଲାଇଛି ।

ଅନ୍ୟ ପକ୍ଷରେ ଗତକାଲି ବିଜେପି ଟିକଟ ପାଇଥିବା ଆଶ୍ରିତ ପଟ୍ଟନାୟକ ଆଜି ଶହ ଶହ ସମର୍ଥକଙ୍କ ଗହଣରେ ପୁରୀ ଯାଇ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଆଶ୍ରିତ ପିପିଲିରୁ ବିଜେପି ପ୍ରାର୍ଥୀ ହୋଇ ସ୍ୱର୍ଗତ ମହାରଥୀଙ୍କ ଠାରୁ ପରାଜୟ ବରଣ କରିଥିଲେ ।

୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ଏଠାରୁ ୮୮,୫୧୮ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ଭାବେ ଆଶ୍ରିତ ୭୨,୭୩୧ ଖଣ୍ଡ ଭୋଟି ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । କଂଗ୍ରେସକୁ ମାତ୍ର ୯୮୩୦ ଖଣ୍ଡ ଭୋଟ ମିଳିଥିଲା । ଏଥର ଉପନିର୍ବାଚନରେ ଅଭିଜ୍ଞ ଆଶ୍ରିତ ଓ ନବାଗତ ରୁଦ୍ରଙ୍କ ମଧ୍ୟରେ ଲଢେଇ ନେଇ ସ୍ପଷ୍ଟ ଚିତ୍ର ମିଳୁଥିବାବେଳେ ଜନମତ କାହା ସପକ୍ଷରେ ଯିବ ତାହା ଉପରେ ସମସ୍ତଙ୍କ ନଜର ।