Home News in Odia ପିପିଲି ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ

ପିପିଲି ପାଇଁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଚୟନ ଏକପ୍ରକାର ଚୂଡ଼ାନ୍ତ ହୋଇଥିବା ବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେପି ପକ୍ଷରୁ ବହୁ ଟିକେଟ୍‍ ଆଶାୟୀ ଥିବାରୁ ଏହି ଦୁଇ ଦଳ ବିଜେଡି ପ୍ରାର୍ଥୀ ତାଲିକା ଉପରେ ନଜର ରଖି ମହିଳା ପ୍ରାର୍ଥୀ ଦେବେ କି ନାହିଁ ସେଥିଘେନି ବିଚାର ବିମର୍ଶ ଚଳାଇଛନ୍ତି ।

ଇତିମଧ୍ୟରେ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସରକାରୀ କଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇସାରିଛନ୍ତି । ନିର୍ବାଚନ କମିଶନ ଯେତେବେଳେ ଯେଉଁ ତାରିଖ ଘୋଷଣା କରିବେ ତଦନୁଯାୟୀ ରାଜ୍ୟ ଓ ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀମାନେ କର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ପିପିଲି ବିଧାନସଭା କ୍ଷେତ୍ରରୁ ୭ଥର ନିର୍ବାଚିତ ହେବା ସଙ୍ଗେ ସଙ୍ଗେ ବିଧାନସଭାରେ ଉପମୁଖ୍ୟ ସଚେତକ ଓ ସଚେତକ ଏବଂ ପରବର୍ତ୍ତୀ ସମୟରେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିବା ପ୍ରଦୀପ ମହାରଥୀଙ୍କ ଆକସ୍ମିକ ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ।

ଇତିମଧ୍ୟରେ ସ୍ୱର୍ଗତ ମହାଥରୀଙ୍କ ପତ୍ନୀ ପ୍ରତିଭା ଓ ପୁଅ ରୁଦ୍ର ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେମାନଙ୍କ ଆଗ୍ରହ ଥିବା ସୂଚନା ଦେଇଛନ୍ତି ଏବଂ ପୃଥକ୍‍ ପୃଥକ୍‍ ଭାବେ ଉଭୟ କହିଛନ୍ତି ଯେ ଦଳ ଯାହାଙ୍କୁ ବି ପ୍ରାର୍ଥୀ କରିବ ସେମାନେ ତାଙ୍କ ପାଇଁ କାମ କରିବେ । ମହାରଥୀଙ୍କ ବିୟୋଗ ପରଠାରୁ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ବିଜେଡିର ଅନେକ ବୈଠକ ଅନୁଷ୍ଠିତ ହୋଇଗଲାଣି । ଏବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବଙ୍କୁ ପିପିଲିର ପର୍ଯ୍ୟବେକ୍ଷକ ଭାବେ ବିଜେଡି ଦାୟିତ୍ୱ ଦେଇଛି ।

ଗତ ନିର୍ବାଚନରେ ପ୍ରଦୀପ ମହାରଥୀ ବିଜେଡି ପ୍ରାର୍ଥୀ ଭାବେ ପିପିଲିରୁ ୫୦.୬୬ ପ୍ରତିଶତ ଭୋଟ୍‍ ପାଇଥିବା ବେଳେ ତାଙ୍କ କଡ଼ା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ୪୧.୬୨ ପ୍ରତିଶତ ଭୋଟ୍‍ ପାଇଥିଲେ । ତେବେ କଂଗ୍ରେସ ପ୍ରାର୍ଥୀ କୌୀଣସି ପ୍ରକାରେ ୫.୬୩ ପ୍ରତିଶତ ଭୋଟ୍‍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିପିଲିରୁ ୧୫,୭୮୭ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଏଥର ଉପନିର୍ବାଚନରେ ଭୋଟ୍‍ ବ୍ୟବଧାନ ୪୦ହଜାରରୁ ଅଧିକ ହେବ ବୋଲି ଦଳୀୟ ନେତାମାନେ ଆଶା ରଖିଥିବା ବେଳେ ବିଜେପି ନେତାମାନେ କିନ୍ତୁ ବାଲେଶ୍ୱର ଓ ତିର୍ତ୍ତୋଲର ବଦ୍‍ଲା ପିପିଲିରେ ନେବେ ବୋଲି ଆଶା ବାନ୍ଧି ବସିଛନ୍ତି ।

ପିପିଲି ନିର୍ବାଚନମଣ୍ଡଳୀର ଜନସଂଖ୍ୟା ପ୍ରାୟ ୩ଲକ୍ଷ ୨୦ହଜାର ହୋଇଥିବା ବେଳେ ଏଠାରେ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୩୦ହଜାରରୁ ଅଧିକ । ୨୦୧୯ ନିର୍ବାଚନରେ ମହାରଥୀ ଏଠାରୁ ୮୮,୫୧୮ ଖଣ୍ଡ ଭୋଟ୍‍ ପାଇ ବିଜେଡି ପ୍ରାର୍ଥୀ ଭାବେ ଜିଣିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ୭୨,୭୩୧ ଖଣ୍ଡ ଭୋଟ୍‍ ପାଇଥିଲେ । ସେତେବେଳେ ଏଠାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ୍‍ ମଙ୍ଗରାଜ ମାତ୍ର ୯,୮୩୦ ଖଣ୍ଡ ଭୋଟ୍‍ ପାଇଥିବା ବେଳେ ବିଏସ୍‍ପି, ସିପିଆଇଏମ୍‍ଏଲ୍‍ ଓ ଏସ୍‍ୟୁସିଆଇ ଦଳର ପ୍ରାର୍ଥୀମାନେ ଖୁବ୍‍ କମ୍‍ ସଂଖ୍ୟକ ଭୋଟ୍‍ ଯୋଗାଡ଼ କରିବାରେ ସକ୍ଷମ ହୋଇଥିଲେ । ଏବେ ବିଜେଡି ସ୍ୱର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା କି ତାଙ୍କ ପୁଅ ରୁଦ୍ର ଅଥବା ଅନ୍ୟ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ।(ତଥ୍ୟ)