Home General ପିପିଲି ନିର୍ବାଚନକୁ ତୃତୀୟ ଲହର ଡର

ପିପିଲି ନିର୍ବାଚନକୁ ତୃତୀୟ ଲହର ଡର

ଭୁବନେଶ୍ୱର : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ସମୟ ନିର୍ଘଣ୍ଟ ଘୋଷଣା କରାଯାଇଥିଲେ ମଧ୍ୟ ଆଗରୁ ଦୁଇଥର ସ୍ଥଗିତ ରହିଥିବା ଏହି ଉପନିର୍ବାଚନ ଏଥର ଯେ ପୁଣି ହେବ ସେଥିଘେନି ଡେଲାଙ୍ଗ-ପିପିଲି ଅଞ୍ଚଳର ଲୋକେ ବିଶ୍ୱାସ କରିପାରୁ ନାହାନ୍ତି । ବିଶେଷକରି ଚଳିତ ମାସର ଶେଷ ଆଡକୁ କରୋନାର ତୃତୀୟ ଲହର ସଂକ୍ରମଣ ବ୍ୟାପିବା ଘେନି ବାରମ୍ବାର ବିଶେଷଜ୍ଞମାନେ ଚେତାବନୀ ଦେଉଥିବା ପରିପ୍ରେକ୍ଷୀରେ ଲୋକଙ୍କ ମନରେ ପୁଣି ଉପନିର୍ବାଚନ ଘୁଞ୍ଚିବା ଆଶଙ୍କା ଦୃଢୀଭୂତ ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ପିପିଲିର ବିଧାୟକ ଥିବା ପ୍ରଦୀପ ମହାରଥୀଙ୍କ ଗତବର୍ଷ ଅକ୍ଟୋବର ମାସରେ ଦେହାନ୍ତ ହୋଇଥିଲା । ମହାରଥୀ ପ୍ରଥମେ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ ଏବଂ ପରେ ତାଙ୍କର ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଜଟିଳ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ୧୧ମାସରୁ ଅଧିକ ସମୟ ଧରି ବିଧାନସଭାରେ ପିପିଲିର କେହି ପ୍ରତିନିଧି ନାହାନ୍ତି ।

ଗତବର୍ଷ କରୋନା କାଳରେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଠିକଣା ସମୟରେ ହୋଇଥିବାବେଳେ ପିପିଲି କ୍ଷେତ୍ରରେ କିନ୍ତୁ କରୋନା ପାଇଁ ବିଳମ୍ବ ଘଟିଥିଲା । ତେବେ ପରବର୍ତ୍ତୀ ସମୟରେ ଧାର୍ଯ୍ୟ ସୂଚୀ ଅନୁଯାୟୀ ନିର୍ବାଚନ ପ୍ରଚାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ବହୁ ଲୋକ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର ମଧ୍ୟ କରୋନାରେ ଦେହାନ୍ତ ହୋଇଥିଲା ।

କଂଗ୍ରେସ ପ୍ରାର୍ଥୀଙ୍କ କରୋନାରେ ଦେହାନ୍ତ ଯୋଗୁଁ ପିପିଲିରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ମତଦାନ ସ୍ଥଗିତ ରଖାଯାଇଥିଲା । ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନଙ୍କ କାର୍ଯ୍ୟସୂଚୀ ଅନୁଯାୟୀ କେବଳ କଂଗ୍ରେସ ତାହାର ନୂଆ ପ୍ରାର୍ଥୀ ଦେଇଥିଲା ଏବଂ ତାହାପରେ ନିର୍ବାଚନ ପ୍ରଚାର କାର୍ଯ୍ୟ ସରଗରମ ହୋଇଆସୁଥିଲା । ତେବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବେଶ୍‍ ଭୟଙ୍କର ହୋଇଥିବାରୁ ନିର୍ବାଚନ କମିଶନ ପିପିଲି ସମେତ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହେବାକୁ ଥିବା ଉପନିର୍ବାଚନକୁ ସ୍ଥଗିତ ରଖିଥିଲେ ।

ଏବେ କରୋନା ସ୍ଥିତି ଓଡିଶା ଓ ପଶ୍ଚିମବଙ୍ଗରେ ନିୟନ୍ତ୍ରଣାଧିନ ଥିବାବେଳେ ଚଳିତମାସ ୩୦ତାରିଖରେ ପିପିଲି ବିଧାନସଭା ଆସନପାଇଁ ଉପନିର୍ବାଚନର ଭୋଟଗ୍ରହଣ ଲାଗି ଦିନଧାର୍ଯ୍ୟ ହୋଇଛି ଓ ଅକ୍ଟୋବର ୩ରେ ଭୋଟ ଗଣନା କରିବାକୁ ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ନିର୍ବାଚନ କମିଶନଙ୍କ ଏହି ଘୋଷଣା ପରେ ଏବେ ପିପିଲିରେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ବେଶ୍‍ ସକ୍ରିୟ ହୋଇ ଉଠିଛନ୍ତି । ଇତି ମଧ୍ୟରେ ବିଜେଡି ରକ୍ତଦାନ ଶିବିର ଠାରୁ ଆରମ୍ଭକରି ବ୍ଲକ ଓ ପଞ୍ଚାୟତ ସ୍ତରୀୟ କର୍ମୀ ବୈଠକମାନ ଆୟୋଜନ କରିବାରେ ଲାଗିଛି । ବିଜେପି ମଧ୍ୟ ଜନସମ୍ପର୍କ ଅଭିଯାନକୁ ତ୍ୱରାନ୍ୱିତ କରୁଥିବାବେଳେ କଂଗ୍ରେସ ପ୍ରାର୍ଥୀ ବି ଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ଏବେ ସଭା ସମିତି ଓ ପ୍ରଚାର ଜମି ନଥିଲେ ମଧ୍ୟ ପିପିଲି ଦାୟିତ୍ୱରେ ବିଜେଡି ଓ ବିଜେପିର ଯେଉଁ ନେତାମାନଙ୍କୁ ଯେଉଁ ଅଞ୍ଚଳ ଲାଗି ରଖାଯାଇଥିଲା ସେମାନଙ୍କ ଧାଁ ଦଉଡ ଦେଖିବାକୁ ମିଳୁଛି । ତେବେ ଗତ ଦୁଇ ଥରର ସରଗରମ ପ୍ରଚାର ବେଳେ ପିପିଲି ଡେଲାଙ୍ଗରେ କରୋନା ବ୍ୟାପି ବହୁ ଲୋକ ସଂକ୍ରମିତ ହୋଇଥିବା ଏବଂ କେତେକ ମୃତ୍ୟୁବରଣ କରିଥିବା ପରିପ୍ରେକ୍ଷୀରେ ଲୋକେ ନେତାଙ୍କୁ ଦେଖିଲେ ଡରୁଛନ୍ତି । ଗତ ଦୁଇ ଥର ଭଳି ଏଥର ବି କରୋନା ପାଇଁ ପୁଣି ନିର୍ବାଚନ ସ୍ଥଗିତ ରହିପାରେ ବୋଲି ସାରା ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଚାଲିଛି । (ତଥ୍ୟ)