Home News in Odia ପିପିଲି ଡେଲାଙ୍ଗରେ କରୋନା ଆତଙ୍କ

ପିପିଲି ଡେଲାଙ୍ଗରେ କରୋନା ଆତଙ୍କ

ଭୁବନେଶ୍ୱର : ଡେଲାଙ୍ଗ-ପିପିଲି ଅଞ୍ଚଳରେ ଏବେ କରୋନା ରୋଗୀ ମାଳମାଳ । ଏମିତିକି କରୋନାରେ ସଂକ୍ରମିତ ହୋଇ ଗାନ୍ଧୀପୀଠ ବେରବୋଇ ଗାଁରେ ଜଣେ ଅଧ୍ୟାପକଙ୍କ ମୃତ୍ୟୁ ଘଟିଥିବା ବେଳେ ସେହିଗାଁର ଆଉ କେତେଜଣ ଏବେ ଭୁବନେଶ୍ୱର, ପୁରୀର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ଆଉ ଅନେକ ବ୍ୟକ୍ତି ନିଜ ଘରେ ତଥାକଥିତ ସଙ୍ଗରୋଧରେ ଅଛନ୍ତି । ଏ ପରିପ୍ରେକ୍ଷୀରେ ବେରବୋଇ, ଡେଲାଙ୍ଗ ସମେତ ଆଖପାଖ ଅଞ୍ଚଳରେ ଗାଁରେ ଗାଁରେ କରୋନା ପରୀକ୍ଷା କରିବାକୁ ଦାବି ହେଉଛି ।

ଏଠାରେ ଉଲ୍ଲେଖନୀୟ ଯେ ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍‍ ମଙ୍ଗରାଜ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବେଳେ ଦୁଇଦିନ ଭିତରେ ତାଙ୍କ ମା’ଙ୍କର ବି ପରଲୋକ ଘଟିଛି । ପୂର୍ବରୁ ଏଠାକାର ବିଧାୟକ ଥିବା ପ୍ରଦୀପ ମହାରଥୀ କରୋନାରେ ସଂକ୍ରମିତ ହୋଇଥିଲେ ଏବଂ ସେଥିରୁ ସୁସ୍ଥ ହୋଇ ଫେରିବା ପରେ ପୁଣି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିବାରୁ ପିପିଲିରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଛି ।

ଉପନିର୍ବାଚନ ପରିପ୍ରେକ୍ଷୀରେ ଗାନ୍ଧୀପୀଠ ବେରବୋଇ ସବୁ ଦଳ ଓ ପ୍ରାର୍ଥୀମାନଙ୍କ ପାଇଁ ଏକ ତୀର୍ଥକ୍ଷେତ୍ର ପାଲଟି ଯାଇଛି । ଏହି ବେରବୋଇ ଗାଁ ଗହିରରେ ଗାନ୍ଧୀଜୀଙ୍କ ସମେତ ରାଜେନ୍ଦ୍ର ପ୍ରସାଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲାନା ଆଜାଦ୍‍, ଆଚାର୍ଯ୍ୟ କୃପାଳିନୀଙ୍କ ସମେତ ସେ ସମୟର ପ୍ରାୟ ସମସ୍ତ ରାଷ୍ଟ୍ରୀୟ ଓ ପ୍ରାଦେଶିକ ନେତା ବେରବୋଇ ଗାଁ ଗହିରରେ କୁଡ଼ିଆ ଘରେ ୭ ଦିନ ଧରି ରହିଥିଲେ । ତେଣୁ କେବେ ବେରବୋଇକୁ ମନେ ପକାଉନଥିବା ରାଜନେତାମାନେ ଜନସାଧାରଣଙ୍କ ଭାବାବେଗକୁ ଜିଣିବା ପାଇଁ ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳଦଳ ହୋଇ ତୀର୍ଥଯାତ୍ରୀଙ୍କ ଭଳି ବେରବୋଇ ଦୌଡ଼ୁଛନ୍ତି ।

ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ଯେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକର ବହୁ ନେତା ଡେଲାଙ୍ଗ ପିପିଲି ଅଞ୍ଚଳରେ ଚେଲା ଚାମୁଣ୍ଡାଙ୍କ ସହ ନିର୍ବାଚନ ପ୍ରଚାର ଅଭିଯାନରେ ରହି ଗାଁରେ ଗାଁରେ କରୋନା ବାଣ୍ଟିଛନ୍ତି । ଏବେ ଅନେକ ଲୋକ ଜ୍ୱର, ଥଣ୍ଡା ଆଦିରେ ପୀଡ଼ିତ ଥିବା ବେଳେ କେବଳ ନିର୍ଦ୍ଧାରିତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରାଯାଉଛି । ସଚେତନତା ଅଭାବରୁ ଅନେକ ଲୋକ ପରୀକ୍ଷା କରିବାକୁ ନଯାଇ ଔଷଧ ଦୋକାନରୁ ଥଣ୍ଡା ଜ୍ୱର ଔଷଧ କିଣି ଖାଉଥିବାରୁ ପରିସ୍ଥିତି ବିଗିଡ଼ିବା ଆଶଙ୍କା ରହିଛି ।

ତେଣୁ ଏଭଳି ସ୍ଥିତିରୁ ଡେଲାଙ୍ଗ ପିପିଲି ଅଞ୍ଚଳର ଲୋକଙ୍କୁ ବଞ୍ଚାଇବା ପାଇଁ ନିର୍ବାଚନ ପ୍ରଚାର ଅପେକ୍ଷା ଗାଁରେ ଗାଁରେ ଶିବିରମାନ କରି ସ୍ୱତନ୍ତ୍ର ଡାକ୍ତରୀ ଟିମ୍‍ଙ୍କ ଦ୍ୱାରା ସବୁ ଲୋକଙ୍କ କରୋନା ପରୀକ୍ଷା କରାଇବା ଏବଂ ବୟସ ନିର୍ବିଶେଷରେ ତୁରନ୍ତ ଟିକାପ୍ରଦାନ ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । ଏହାଛଡ଼ା ଯେଉଁମାନେ ଜ୍ୱରରେ ପଡ଼ି କାମଧନ୍ଦା କରିବାକୁ ଯାଇପାରୁନାହାନ୍ତି ସେମାନଙ୍କ ପରିବାରର ପ୍ରତିପୋଷଣ ଦୟିତ୍ୱ ସାମୟିକ ଭାବେ ସରକାର ବହନ କରିବାକୁ ମଧ୍ୟ ମତପ୍ରକାଶ ପାଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here