Home News in Odia ପିପିଲି ଜଗିବେ କେନ୍ଦ୍ରୀୟ ବଳ

ପିପିଲି ଜଗିବେ କେନ୍ଦ୍ରୀୟ ବଳ

ଭୁବନେଶ୍ୱର : ଆସନ୍ତା୧୭ ତାରିଖରେ ପିପିଲିରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସୁରକ୍ଷା ଦୃଷ୍ଟିରୁ ଏଠାରେ ୩ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହେବେ । ବର୍ତ୍ତମାନ ଏଠାରେ ୧୮ ପ୍ଲାଟୁନ ଓଡିଶା ସଶସ୍ତ୍ର ପୁଲିସ୍‍ ବଳ ମଧ୍ୟ ରହିଛନ୍ତି ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ଆଇନ୍ ଓ ଶୃଙ୍ଖଳା) ଯଶୋବନ୍ତ ଜେଠୱା ଆଜି ପିପିଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇ ସେଠାକାର ଆଇନ୍‌, ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ବିସ୍ତୃତ ଭାବେ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିବାପରେ ଏହି ସୂଚନା ଦେଇଛନ୍ତି ।

ନିର୍ବାଚନକୁ ଅବାଧ, ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ ଆଦର୍ଶ ଆଚରଣବିଧି, କୋଭିଡ୍ ନିୟମର ଅନୁପାଳନ ସଂକ୍ରାନ୍ତରେ ବିଶଦ୍ ଭାବେ ସେ ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହା ସହ ନିର୍ବାଚନ ସମୟରେ ଦଳୀୟ କର୍ମୀଙ୍କ ପ୍ରଚାର, ଭୋଟଦାନ ଏବଂ ଭୋଟ ଗଣତି ସମୟରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ସଂକ୍ରାନ୍ତରେ ମଧ୍ୟ ଅତିରିକ୍ତ ଡିଜିପି ଆଲୋଚନା କରିବା ସହ ନିର୍ବାଚନମଣ୍ଡଳୀକୁ ଭିଆଇପି/ଭିଭିଆଇପିଙ୍କ ଗସ୍ତ ସମୟରେ ପୋଲିସ୍‌ର କାର୍ଯ୍ୟଶୈଳୀ ସଂକ୍ରାନ୍ତରେ ଆଲୋଚନା କରିଥିଲେ ।

ସିଆର୍‌ପିସିର ୧୧୦/୧୦୭ ରେ ସମ୍ପୃକ୍ତ ଥିବା ଅପରାଧୀ, ବେଆଇନ୍ ଭାବେ ରଖିଥିବା ମାରଣାସ୍ତ୍ର, ନିର୍ବାଚନ ସମୟରେ ଚୋରା ମଦ କାରବାର ଉପରେ ରୋକ୍ ଏବଂ ଜାମିନ୍ ବିହୀନ ପରୱାନା(ଏନ୍‌ବିଡବ୍ଲ୍ୟୁ) ଅପରାଧୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ବାଚନର ସୁପରିଚାଳନା ନିମନ୍ତେ ୧୮ ପ୍ଲାଟୁନ୍ ଓଏସ୍‌ଏପି ଫୋର୍ସ ମୁତୟନ କରାଯାଇଛି । ୩ କମ୍ପାନୀ ସିଏପିଏଫ୍ ଫୋର୍ସ ଅଳ୍ପ ଦିନ ମଧ୍ୟରେ ନିର୍ବାଚନ ମଣ୍ଡଳୀରେ ପହଁଚିବେ ବୋଲି ସୂଚନା ଦିଆଯାଇଛି । ଏହା ବ୍ୟତୀତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ, ନିରପେକ୍ଷ ଏବଂ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବାକୁ ଅତିରିକ୍ତ ଡିଜିପି ଶ୍ରୀ ଜେଠୱା ପୁରୀ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।