Home News in Odia ପିପିଲିରେ ଲକ୍ଷେ ଭୋଟ ପାଇବ କିଏ ?

ପିପିଲିରେ ଲକ୍ଷେ ଭୋଟ ପାଇବ କିଏ ?

ଭୁବନେଶ୍ୱର : ପିପିଲିରେ ଅତି କମ୍‍ରେ ଲକ୍ଷେ ଭୋଟ ହାତେଇବା ପାଇଁ ବିଜେଡି ଓ ବିଜେପି ପୂରା ଦମ୍‍ରେ ଲାଗିଛନ୍ତି । ତେବେ କେଉଁ ଦଳ ଭାଗ୍ୟରେ ଏହି ଲକ୍ଷେ ଟିକିଆ ଲଟେରୀ ଲାଗିବ ତାହା ଆସନ୍ତା ମାସ ୧୯ତାରିଖରେ ଜଣାପଡିବ ।

ପିପିଲିର ଭୋଟର ସଂଖ୍ୟା ପାଖାପାଖି ୨ଲକ୍ଷ ୩୦ହଜାର । ଏଥିରୁ ଲକ୍ଷେ ୧୦ହଜାରରୁ ଅଧିକ ହେଉଛନ୍ତି ମହିଳା ଭୋଟର । ବିଜେଡି ମହିଳା ଭୋଟରୁ ଅନ୍ୟୁନ ୭୫ ପ୍ରତିଶତ ପାଇବାକୁ ଆଶା ରଖିଥିବାବେଳେ ବିଜେପି ତାହାର ସମସ୍ତ ଶକ୍ତି ଖଟାଇ ବିଜେଡିର ମିଶନକୁ ବିଫଳ କରିବାପାଇଁ ଲାଗିଛି । ପିପିଲି ଓ ଡେଲାଙ୍ଗ ବ୍ଲକ ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ନେଇ ପିପିଲି ନିର୍ବାଚନମଣ୍ଡଳୀ । ଏହାର ଜନସଂଖ୍ୟା ୩ଲକ୍ଷରୁ ଅଧିକ । ରାଜ୍ୟରେ ସାକ୍ଷରତା ହାର ସର୍ବଶେଷ ହିସାବ ଅନୁଯାୟୀ ୭୨.୮୭ ପ୍ରତିଶତ ଥିବାବେଳେ ପିପିଲି ଏନ୍‍ଏସି ଓ ଡେଲାଙ୍ଗ ବ୍ଲକରେ ସାକ୍ଷରତା ହାର ୮୬ ପ୍ରତିଶତ ଓ ପିପିଲି ବ୍ଲକରେ ୭୭ ପ୍ରତିଶତରୁ ଅଧିକ ଥିଲା । ଏବେ ଏହା ଆହୁରି ଅଧିକ ହେବବୋଲି ଆଶା କରାଯାଉଛି ।

ରାଜଧାନୀର ଉପକଣ୍ଠରେ ଥିବା ପିପିଲି ନିର୍ବାଚନମଣ୍ଡଳୀ ଚାରିପାଖରେ ଭୁବନେଶ୍ୱର ଉତ୍ତର, ଜୟଦେବ, ନିମାପଡା, ସତ୍ୟବାଦୀ ଓ ଜଟଣୀ ନିର୍ବାଚନମଣ୍ଡଳୀ ଘେରି ରହିଛି । ମୋଟାମୋଟି ଭାବେ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ପିପିଲି ବେଶ୍‍ ଆଗୁଆ ଓ ଏଠାକାର ଭୋଟରମାନେ ବି ଢେର ସଚେତନ ।

୨୦୧୯ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ପିପିଲି ବିଧାନସଭା ଆସନରୁ ୮୮,୫୧୮ଭୋଟ ପାଇଁ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ତାଙ୍କ ଗଡ ରକ୍ଷା କରିଥିବାବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ୭୨,୭୩୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିବା ସହ ବିଜେଡିକୁ କଡା ଟକ୍କର ଦେଇଥିଲେ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ମାତ୍ର ୯୮୩୦ ଖଣ୍ଡ ଭୋଟ ପାଇଥିବାବେଳେ ସିପିଆଇଏମ୍‍ଏଲ୍‍ ପ୍ରାର୍ଥୀ ୧୨୧୪ ଏବଂ ବିଏସ୍‍ପି ଓ ଏସ୍‍ୟୁସିଆଇ ପ୍ରାର୍ଥୀ ତିନି ଅଙ୍କ ବିଶିଷ୍ଟ ଭୋଟ ପାଇଥିଲେ । ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ଛାଡିଦେଲେ ଅନ୍ୟ ସବୁ ପ୍ରାର୍ଥୀ ଅମାନତ ହରାଇଥିଲେ ।

ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ଯୋଗୁଁ ଏଠାରେ ଉପନିର୍ବାଚନ ହେଉଛି । ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଅକାଳ ବିୟୋଗ ଯୋଗୁଁ ନିର୍ବାଚନ ତାରିଖ ଘୁଞ୍ଚିଛି । ତେବେ ନିର୍ବାଚନ ପ୍ରଚାରରେ ପ୍ରମୁଖ ଦଳ ଓ ଏହାର ନେତାମାନେ କରୋନା କଟକଣା ନମାନିବା ଫଳରେ ଏବେ ସମଗ୍ର ନିର୍ବାଚନମଣ୍ଡଳୀରେ କରୋନାର ଲହର ଚାଲିଛି । ଏ ପରିପ୍ରେକ୍ଷୀରେ ଆଉ ସରଗରମ ପ୍ରଚାର ହେବାର ସମ୍ଭବନା ନଥିବାରୁ ଭୋଟରମାନଙ୍କୁ ଅକ୍ତିଆରକରି ରଖିବାପାଇଁ ତିନି ପ୍ରମୁଖ ଦଳ ବିଜେଡି-ବିଜେପି-କଂଗ୍ରେସ ନିଜ ନିଜ ଏଜେନ୍ସି ମାଧ୍ୟମରେ ଉଦ୍ୟମ ଜାରି ରଖିଛନ୍ତି ।

ନିର୍ବାଚନୀ ହିଂସା ଯୋଗୁଁ ଏଠି ଜଣେ ଲୋକ ମରିଥିବାବେଳେ ଅନ୍ୟୁନ ୨୦ଜଣ ଆହତ ହୋଇଛନ୍ତି । ପ୍ରଚାରରେ ସାମିଲ ବିଭିନ୍ନ ଦଳର ଅନେକ ନେତା ଓ କର୍ମୀ କରୋନା ସଂକ୍ରମିତ । ଏ ପରିପ୍ରେକ୍ଷୀରେ ରାଜ୍ୟର ଅନ୍ୟତମ ସମ୍ବେଦନଶୀଳ ପିପିଲି ନିର୍ବାଚନମଣ୍ଡଳୀର ୩୪୮ଟି ବୁଥ୍‍ ମଧ୍ୟରୁ ସଂଖ୍ୟାଧିକ ଉତ୍ତେଜନତାପ୍ରବଣ ଓ ଅତି ଉତ୍ତେଜନାପ୍ରବଣ ଘୋଷିତ ହୋଇଛି । ଇତି ମଧ୍ୟରେ ଟଙ୍କା ବଣ୍ଟା ଜୋରଦାର ଚାଲିଥିବା ଘେନି ଜନରବ ହେଉଥିବାବେଳେ ପୁଲିସ୍‍ ୫୦ଲକ୍ଷ ଟଙ୍କା ବି ଜବତ କରିଛି । (ତଥ୍ୟ)