Home Health ପିଆଇବି ଓ ସିବିଏଫ୍‍ସିର ଯୋଗ ଶିବିର

ପିଆଇବି ଓ ସିବିଏଫ୍‍ସିର ଯୋଗ ଶିବିର

ଭୁବନେଶ୍ୱର : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ୱରୂପ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଏବଂ କେନ୍ଦ୍ର ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫସି) ପକ୍ଷରୁ ମିଳିତ ଭାବେ ଯୋଗ ଶିବିର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଗୁରୁ କେଳୁଚରଣ ପାର୍କ ଠାରେ ଆୟୋଜିତ ଏହି ଯୋଗ ଶିବିରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ସେମାନଙ୍କ ପରିବାରବର୍ଗ ଅଂଶଗ୍ରହଣ କରି ଯୋଗ ଅଭ୍ୟାସ କରିଥିଲେ ।

ଅବସରପ୍ରାପ୍ତ ଭାରତୀୟ ସୂଚନା ସେବା ଅଧିକାରୀ ସୁଧାଂଶୁ ଶେଖର ଧଡ଼ା ଅଂଶଗ୍ରହଣକାରୀ ମାନଙ୍କୁ ଯୋଗ ଅଭ୍ୟାସ କରାଇଥିଲେ । ପତ୍ର ସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ଓ ସିବିଏଫସି କଟକର ମୁଖ୍ୟ ଡ. ଗିରିଶ ଚନ୍ଦ୍ର ଦାଶ, ଗଣ ଯୋଗାଯୋଗ ଅଧିକାରୀ ପ୍ରଦୀପ ଚୌଧୁରୀଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ ।

ଏହି ଅବସରରେ ଯୋଗର ଉପକାରିତା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ ଆସନ୍ତା ଜୁନ୍‌ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଆୟୋଜିତ ହେବ । ଚଳିତ ବର୍ଷ ସ୍ବାଧୀନତାର ୭୫ତମ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ଆୟୋଜନ କରାଯାଉଥିବାରୁ ଯୋଗ ଦିବସ ପାଇଁ ୭୫ ଦିନ ପୂର୍ବରୁ ଅବଗଣନା ଆରମ୍ଭ ହୋଇଛି । ଏଥିପାଇଁ ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଯୋଗ ଶିବିର ସମେତ ଯୋଗର ପ୍ରଚାରପ୍ରସାର ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି ।

LEAVE A REPLY

Please enter your comment!
Please enter your name here