Home News in Odia ପାସପୋର୍ଟ ଯାଞ୍ଚ ପାଇଁ ଏମ୍‌-ପୋଲିସ୍ ବ୍ୟବସ୍ଥା

ପାସପୋର୍ଟ ଯାଞ୍ଚ ପାଇଁ ଏମ୍‌-ପୋଲିସ୍ ବ୍ୟବସ୍ଥା

ଭୁବନେଶ୍ୱର : ପାସପୋର୍ଟର ତୁରନ୍ତ ଯାଞ୍ଚ କରିବା ନିମନ୍ତେ ଓଡ଼ିଶା ପୋଲିସ୍ ୫-ଟି କାର୍ଯ୍ୟକ୍ରମକୁ ଆଧାର କରି“ଏମ୍‌- ପୋଲିସ୍‌”ମୋବାଇଲ୍ ଆପ୍ଲିକେସନ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଥାନାଗୁଡ଼ିରେ ପାସପୋର୍ଟ ଯାଞ୍ଚ ବ୍ୟବସ୍ଥା ଏବେ ଖୁବ୍ ସହଜ ହେବାକୁ ଯାଉଛି ।

ଓଡ଼ିଶା ପୋଲିସ୍ ତରଫରୁ ପାସପୋର୍ଟ ଯାଞ୍ଚ ବ୍ୟବସ୍ଥାକୁ ସହଜ ଓ ସରଳ କରିବା ନିମନ୍ତେ “ଏମ୍‌- ପୋଲିସ୍‌”ମୋବାଇଲ୍ ଆପ୍ଲିକେସନ୍ ବ୍ୟବସ୍ଥା ପ୍ରଚଳନ କରିଛନ୍ତି । ପାସପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସମୟପଯୋଗୀ କରିବା ନିମନ୍ତେ ଏହା ଏକ ମହତ୍ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟର ୫୫୩ଟି ପୋଲିସ୍ ଷ୍ଟେସନକୁ ଟାବଲେଟ୍ ପ୍ରଦାନ କରାଯିବ । ପ୍ରଥମ ପର୍ଯ୍ୟାୟରେ ଆଜି ୧୦୦ଟି ପୋଲିସ୍ ଷ୍ଟେସନକୁ ଟାବଲେଟ୍ ପ୍ରଦାନ କରାଯାଇଥିବାବେଳେ ମାର୍ଚ୍ଚ ୨୫ ସୁଦ୍ଧା ଅନ୍ୟ ଥାନା ଗୁଡି଼କୁ ଟାବଲେଟ୍ ପ୍ରଦାନ କରାଯିବ ।

ପୂର୍ବରୁ ପାସପୋର୍ଟ ପାଇଁ ଆବେଦନ କରିବା ପରେ ଯାଞ୍ଚ ପାଇଁ ଡାକଯୋଗେ ଜିଲ୍ଲା ପୋଲିସ୍ ମୁଖ୍ୟକାର୍ଯ୍ୟାଳୟ, ଏସ୍‌ପି/ଡିସିପଙ୍କ କାର୍ଯ୍ୟାଳୟରେ ଥିବା ପାସପୋର୍ଟ ସେକ୍ସନକୁ ଆସୁଥିଲା । ସେଠାରୁ ସମ୍ପୃକ୍ତ ଥାନାକୁ ଯାଉଥିଲା । ସମ୍ପୃକ୍ତ ଥାନା କର୍ମଚାରୀ ଯାଞ୍ଚ କରିବାପରେ ପାସପୋର୍ଟ ସେକ୍ସନକୁ ପଠାଉଥିଲେ । କିନ୍ତୁ ଏହି “ଏମ୍‌- ପୋଲିସ୍‌” ମୋବାଇଲ୍ ଆପ୍ଲିକେସନ୍ ବ୍ୟବସ୍ଥା ପରେ ସାଧାରଣଲୋକଙ୍କ କୌଣସି ଅଭିଯୋଗ ରହିବ ନାହିଁ ।

ଅନଲାଇନରେ ଆବେଦନକାରୀଙ୍କ ବିବରଣୀ ପୋଲିସ୍ ଅଧିକାରୀଙ୍କ ପାଖରେ ପହଁଚିବାପରେ ଟାବଲେଟ୍ ଜରିଆରେ ସମ୍ପୃକ୍ତ ଅଧିକାରୀ ଭେରିଫିକେସନ୍ ରିପୋର୍ଟ ପ୍ରଦାନ କରିବେ । ଏହି ବ୍ୟବସ୍ଥା ଫଳରେ ଅଳ୍ପ ସମୟ ମଧ୍ୟରେ ସାଧାରଣ ଲୋକମାନେ ପାସପୋର୍ଟ ପାଇବାରେ ସକ୍ଷମ ହୋଇପାରିବେ ।