Home Administration ପାଳନ ହେଉନି ମୁଖ୍ୟ ସଚିବଙ୍କ ମାର୍ଗଦର୍ଶିକା

ପାଳନ ହେଉନି ମୁଖ୍ୟ ସଚିବଙ୍କ ମାର୍ଗଦର୍ଶିକା

ଭୁବନେଶ୍ୱର : ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବଙ୍କ ମାର୍ଗଦର୍ଶିକାର ସଂଖ୍ୟାଧିକ କ୍ଷେତ୍ରରେ ଠିକଣା ଅନୁପାଳନ ହେଉନାହିଁ । ଫଳରେ ଅଭିଯୁକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିବାବେଳେ ସେମାନେ ଆଇନ୍‍ର ଗଳାବାଟ ଦେଇ ଖସିଯାଉଛନ୍ତି ।

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ଥିବା କେନ୍ଦ୍ରୀୟ ଆଇନ୍‍ରେ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ସମୀକ୍ଷା କରିବାପାଇଁ ବ୍ୟବସ୍ଥା ରହିଥିବାବେଳେ ରାଜ୍ୟ ସରକାରଙ୍କ ଓଡିଶା ସିଭିଲ ସର୍ଭିସେସ୍‍ କ୍ଲାସିଫିକେସନ ଆଣ୍ଡ କଣ୍ଟ୍ରୋଲ ରୁଲ୍ସରେ କିନ୍ତୁ ଏଭଳି ବ୍ୟବସ୍ଥା ନାହିଁ । ସେହିପରି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କେତେଦିନ ମଧ୍ୟରେ ଶେଷହେବ ସେଥିଘେନି ବି ରାଜ୍ୟ ସରକାରଙ୍କ ଆଇନ୍‍ ସମ୍ପୂର୍ଣ୍ଣ ନିରବ ।

ଆଇନ୍‍ର ଏହି ଗଳାବାଟ ଏଯାବତ୍‍ ବନ୍ଦ କରାଯାଇ ନାହିଁ । ଫଳରେ ବହୁ କ୍ଷେତ୍ରରେ ବର୍ଷ ବର୍ଷ ଧରି ସରକାରୀ କର୍ମଚାରୀ ନିଲମ୍ବିତ ହୋଇ ରହୁଛନ୍ତି ଏବଂ ନିଲମ୍ବନ ସମୟ ପାଇଁ ପ୍ରଥମ ଛଅମାସ ବେତନର ଅଧା ଓ ତା’ ପରେ ୭୫ ପ୍ରତିଶତ ବିନା କାମରେ ଘରେ ବସି ନେଉଛନ୍ତି । ଏ ବାବଦରେ ରାଜକୋଷରୁ ବିପୁଳ ଅର୍ଥ ବରବାଦ ହେଉଛି ।

ଏହି ସମସ୍ୟାକୁ ଆଖିଆଗରେ ରଖି ବିଭିନ୍ନ ସମୟରେ ସାଧାରଣ ପ୍ରଶାସନ ବିଭାଗ ଏମିତିକି ନିଜେ ମୁଖ୍ୟ ଶାସନ ସଚିବ ମାର୍ଗନିର୍ଦ୍ଦେଶିକା ମାଧ୍ୟମରେ ସମୟସୀମା ଧାର୍ଯ୍ୟ କରିଛନ୍ତି । କିନ୍ତୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱରେ ଥିବା ପଦସ୍ଥ ଅଧିକାରୀମାନେ ଅନେକ କ୍ଷେତ୍ରରେ ଏହି ମାର୍ଗନିର୍ଦ୍ଦେଶିକାର ଖୋଲାଖୋଲି ଉଲ୍ଲଙ୍ଘନ କରିବା ଫଳରେ ସରକାରୀ ଚାକିରି କ୍ଷେତ୍ରରେ ବିଶୃଙ୍ଖଳା ଲାଗିରହୁଛି ।

ମୁଖ୍ୟ ଶାସନ ସଚିବଙ୍କ ଏ ସଂକ୍ରାନ୍ତୀୟ ଏକ ମାର୍ଗନିର୍ଦ୍ଦେଶିକା ସାଧାରଣ ପ୍ରଶାସନ ବିଭାଗ କିଛିବର୍ଷ ତଳେ ଜାରି କରିଥିଲା । ଏଥିରେ ଆଖିବୁଜା ନିଲମ୍ବନ ନକରି ଯେଉଁ କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ସାଂଘାତିକ ବିଶୃଙ୍ଖଳା ଆଚରଣ, କର୍ତ୍ତବ୍ୟରେ ତ୍ରୁଟି, ରାଜକୋଷର କ୍ଷତି ପହଞ୍ଚାଇବା ଭଳି ଅପକର୍ମ, ସରକାରୀ ଅର୍ଥ ତୋଷରପାତ ଏବଂ ସର୍ବୋପରି କର୍ମଚାରୀଙ୍କ ନୀତି ଓ ନୈତିକତାକୁ ଘେନି ପ୍ରଶ୍ନବାଚୀ ଉଠିଥିବ ଓ ଏହି ଆଧାରରେ ତାଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ହେବାର ସମ୍ଭାବନା ଥିବ ସେ କ୍ଷେତ୍ରରେ କେବଳ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରିବାଲାଗି କୁହାଯାଇଛି ।

ନିଲମ୍ବନ ଆଦେଶ ଜାରିର ୩୦ଦିନ ମଧ୍ୟରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବ ଓ ତାଙ୍କୁ ୩୦ଦିନ ମଧ୍ୟରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ ମାର୍ଗନିର୍ଦ୍ଦେଶିକାରେ କୁହାଯାଇଛି ।

ଅଭିଯୁକ୍ତ କର୍ମଚାରୀଙ୍କ କୈଫତ ସନ୍ତୋଷଜନକ ନଥିଲେ ଆଉ ୩୦ଦିନ ମଧ୍ୟରେ ଅଭିଯୋଗର ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ ନିଯୁକ୍ତି କରାଯିବ ଓ ତଦନ୍ତକାରୀ ଅଧିକାରୀ ନିଯୁକ୍ତିର ୯୦ଦିନ ମଧ୍ୟରେ ତାଙ୍କ ରିପୋର୍ଟ ପ୍ରଦାନ କରିବେ ଏବଂ ଏହି ଆଧାରରେ ଆଇନ୍‍ର ୧୫(୧୦) ଧାରା ଅନୁଯାୟୀ ବିଭାଗୀୟ କର୍ତ୍ତୃପକ୍ଷ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ମୁଖ୍ୟ ଶାସନ ସଚିବ ଚେତାଇ ଦେଇଛନ୍ତି । ତେବେ ଏହି ଆଇନ୍‍ର ୧୬ଧାରା ଅନୁଯାୟୀ ଅଭିଯୋଗ ଆସିଥିଲେ ତାହା ୬୦ଦିନ ମଧ୍ୟରେ ଶେଷ କରିବାକୁ ମଧ୍ୟ ମୁଖ୍ୟ ସଚିବ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେବଳ ସେତିକି ନୁହେଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱରେ ଥିବା ଅଧିକାରୀ ପ୍ରତିମାସରେ ତାଙ୍କ ନିୟନ୍ତ୍ରଣରେ ଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରୋସିଡିଂ ଓ ନିଲମ୍ବନ ସଂକ୍ରାନ୍ତରେ ସମୀକ୍ଷା କରିବେ ଏବଂ ପ୍ରଶାସନିକ ବିଭାଗ ଏହି କାର୍ଯ୍ୟକୁ ସୁନିଶ୍ଚିତ କରିବେ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ ଚେତାଇ ଦେଇଛନ୍ତି । ଏହା ସତ୍ୱେ ବି ବର୍ଷ ବର୍ଷ ଧରି ବହୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଓ ନିଲମ୍ବନ ଆଦେଶ ଗଡି ଚାଲିଛି । (ତଥ୍ୟ)