Home Administration ପାଳନ ହେଉନି ଅଦାଲତ ନିର୍ଦ୍ଦେଶ

ପାଳନ ହେଉନି ଅଦାଲତ ନିର୍ଦ୍ଦେଶ

ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ କଟକଣା ଆଳରେ ବହୁ ଅଧିକାରୀ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶନାମାକୁ ଅନୁପାଳନ କରୁନଥିବାରୁ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢି ବଢି ଚାଲୁଛି । ନିର୍ବାଚନ ସରିବାପରେ ନୂଆ ସରକାରଙ୍କ ପାଇଁ ଏହା ବଡ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶନାମା ଅନୁପାଳନ କ୍ଷେତ୍ରରେ ନିର୍ବାଚନ କମିଶନଙ୍କ କଟକଣା ନାହିଁ । ବଦଳି, ପଦୋନ୍ନତି ଭଳି ଯେଉଁସବୁ କ୍ଷେତ୍ରରେ କଟକଣା ରହିଛି ସେଠାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମୋଦନକ୍ରମେ ବଦଳି, ପଦୋନ୍ନତି ଆଦି ହେଉଛି । ଅଥଚ ହାଇକୋର୍ଟଙ୍କ ରାୟର କାର୍ଯ୍ୟକାରିତା ଘେନି ବିଭିନ୍ନ ବିଭାଗ ଆଳ ଦେଖାଇ ସମୟ ଗଡାଇ ଚାଲୁଛନ୍ତି ।

ସରକାରୀ କଳକୁ ତ୍ୱରାନ୍ୱି କରିବାପାଇଁ ସୀମିତ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଚଳାଇଛନ୍ତି । ଏ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଦପ୍ତରରେ ଅଧିକ ସମୟ ଧରି ଫାଇଲ୍‍ ଅଟକୁ ନାହିିଁ । ଅଥଚ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଗି କେତେକ ବିଭାଗ ଫାଇଲ ପଠାଇବାରେ ଅହେତୁକ ବିଳମ୍ବ କରୁଛନ୍ତି । ଏମିତିକି ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବି ନିର୍ବାଚନ ଆଳ ଦେଖାଇ ହାଇକୋର୍ଟଙ୍କ ରାୟର ଠିକଣା ସମୟରେ ଅନୁପାଳନ କ୍ଷେତ୍ରରେ ଅଯଥା ବିଳମ୍ବ କରାଯାଉଥିବାରୁ ଆଇନ୍‍ ଅଦାଲତରୁ ନ୍ୟାୟ ପାଇଥିବା ବ୍ୟକ୍ତିମାନଙ୍କୁ ଅମଲାତନ୍ତ୍ର ନିକଟରେ ଆଣ୍ଠେଇବାକୁ ପଡୁଛି ।

ବିଶେଷକରି ନିଯୁକ୍ତି, ପଦୋନ୍ନତି, ପେନ୍‍ସନପ୍ରଦାନ ଭଳି ଅନେକ ମାମଲାରେ ହାଇକୋର୍ଟ ଓ ସୁପ୍ରିମ୍‍କୋର୍ଟ ଆବେଦନକାରୀମାନଙ୍କ ସପକ୍ଷରେ ଦେଇଥିବା ରାୟଗୁଡିକର ନିର୍ଦ୍ଧାରିତ ସମୟରେ ଅନୁପାଳନ କରାଯିବାକଥା । ଯେଉଁସବୁ କ୍ଷେତ୍ରରେ ଏହାର ଅନୁପାଳନ ଲାଗି ବିଧି ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଅର୍ଥ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଆଦି ତର୍ଜମା ପରେ ନୀତିଗତ ନିଷ୍ପତ୍ତି ନେଇଛନ୍ତି ତାହାର ଅନୁପାଳନ ଅନ୍ୟ ବିଭାଗମାନେ ବହୁ କ୍ଷେତ୍ରରେ କରୁନଥିବା ଘେନି ଗୁରୁତର ଅଭିଯୋଗମାନ ଆସୁଛି ।

ନିକଟରେ ଓଡିଶା ହାଇକୋର୍ଟ ଏଭଳି ଘଟଣାରେ ଅସନ୍ତୋଷବ୍ୟକ୍ତ କରି ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ କୈଫତ ସହ ହାଜର ହେବାଲାଗି ନିର୍ଦ୍ଦେଶ ଦେଇଛନ୍ତି । ଉପର ସ୍ତରର କେତେକ ଅଧିକାରୀ ଦେଇଥିବା ଅଲିଖିତ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନୀ କଟକଣା ନଉଠିବା ପର୍ଯ୍ୟନ୍ତ ଉପର ମହଲକୁ ଫାଇଲ ନପଠାଇବାପାଇଁ କୁହାଯାଇଛି । ଫଳରେ ହାଇକୋର୍ଟ ନିର୍ଦ୍ଦିଷ୍ଟ ମାମଲାରେ ସମୟ ନିର୍ଦ୍ଧାରଣ କରି କାର୍ଯ୍ୟକାରିତାର ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ ମଧ୍ୟ ତାହା ଚାପି ରଖାଯାଉଥିବା ଘେନି କେତେକ ଆବେଦନକାରୀ କହୁଛନ୍ତି ।

ନିର୍ବାଚନ ଫଳାଫଳ ପ୍ରକାଶ ପରେ ରାଜ୍ୟରେ ମନ୍ତ୍ରୀମଣ୍ଡଳ ଗଠନ ହେବ ଏବଂ ଏହାପରେ ଅନେକ ବିଭାଗରେ ଏବଂ ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲା ସ୍ତରରେ ବହୁ ସଂଖ୍ୟକ ଅଧିକାରୀଙ୍କ ଅଦଳ ବଦଳ ହୋଇପାରେ । ଏହି ଦୃଷ୍ଟିରୁ ଜାଣିଶୁଣି କେତେକ ଅଧିକାରୀ ନିର୍ବାଚନ ପର ପର୍ଯ୍ୟନ୍ତ ସମୟ ଗଡାଇ ଚାଲୁଛନ୍ତି । ଅନ୍ୟ ପକ୍ଷରେ ହାଇକୋର୍ଟ ନିର୍ଦ୍ଧାରଣ କରିଥିବା ସମୟସୀମା ମଧ୍ୟରେ ଆଦେଶ ଅନୁପାଳନ କରାଯାଉନଥିବା ଘଟଣାକୁ ଉଦ୍ଦେଶ୍ୟମୂଳକ ତ୍ରୁଟି ଦର୍ଶାଇ ଅଦାଲତ ଅବମାନନା ମାମଲାମାନ ରୁଜୁ ହେଉଥିବା ଘେନି କେତେକ ବରିଷ୍ଠ ଅଧିକାରୀ ସ୍ୱୀକାର କରୁଛନ୍ତି । (ତଥ୍ୟ)