Home General ପାର୍ବଣ ବଜାରରେ ବଢୁଛି ଭିଡ

ପାର୍ବଣ ବଜାରରେ ବଢୁଛି ଭିଡ

ଭୁବନେଶ୍ୱର : ପାର୍ବଣ ଭିଡକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତ୍ରୀକାଳୀନ କର୍ଫ୍ୟୁ ଅବଧିକୁ ୧୦ଦିନ ପାଇଁ ବଢାଇଥିବାବେଳେ ଏବେ ଠାରୁ କିନ୍ତୁ ଦୋକାନ ବଜାରରେ ଗହଳି ଆରମ୍ଭ ହୋଇଗଲାଣି । ବ୍ୟବସାୟୀମାନଙ୍କର ଭଳିକି ଭଳି ରିହାତି ଅଫର ସାଙ୍ଗକୁ ଲୋକେ ବି ମଲ୍‍ ଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନରେ ଭିଡ ଜମାଇଲେଣି

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ବି ୫ଶହ ଆଖପାଖରେ ରହୁଥିବାରୁ ପାର୍ବଣ ସମୟରେ ଏହା ବଢିବ ବୋଲି କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୧ରୁ ୨୦ତାରିଖ ପର୍ଯ୍ୟନ୍ତ ରାତ୍ରୀକାଳନୀ କର୍ଫ୍ୟୁକୁ ରାତ୍ର ୧୦ଟା ବଦଳରେ ୮ଟାରୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ଲକ୍ଷ୍ୟ ହେଉଛି ଲୋକେ ଯେଭଳି ଦୋକାନ ବଜାରରେ ଗହଳି କରିବେ ନାହିଁ ।

ତେବେ ଲୋକେ କିନ୍ତୁ ଏବେ ଠାରୁ ଗହଳି ଆରମ୍ଭ କରିଦେଲେଣି । ପୂଜାପାଇଁ ପୋଷାକପତ୍ର ଠାରୁ ଆରମ୍ଭକରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ କିଣିବାକୁ ଲୋକେ ଦଳ ଦଳ ହୋଇ ମଲ୍‍ ଓ ଦୋକାନ ଆଦିକୁ ଯାଉଛନ୍ତି । କରୋନା ଗାଇଡ୍‍ଲାଇନ୍‍ କେବଳ ଭାଷଣରେ ରହିଥିବାରୁ ପୂର୍ବଭଳି ଆଉ ବ୍ୟବସାୟ ପ୍ରତିଷ୍ଠାନ ଉପରେ ବିଏମ୍‍ସି କିମ୍ବା ପୁଲିସ୍‍ ଚଢଉ କରୁନାହିଁ । ତେଣୁ ଲୋକେ ରାସ୍ତାଘାଟ କି ଦୋକାନ ବଜାର ହେଉ ମୁହଁରେ ମାସ୍କ ବି ଦେବାକୁ ଭୁଲିଗଲେଣି ।

ପୂର୍ବରୁ ବିଏମ୍‍ସି ସ୍କ୍ୱାଡ୍‍ ଗହଳି ହେଉଥିବା ଦୋକାନ ଉପରେ ଚଢଉ କରି ଉଭୟ ବିକ୍ରେତା ଓ କ୍ରେତାଙ୍କ ଉପରେ ଜୋରିମାନା ଲଗାଉଥିବାରୁ ଲୋକେ ଭୟ କରୁଥିଲେ । ହେଲେ ଏବେ ଆଉ ତାହା ନାହିଁ । ଦିନ ୧୦ଟାରୁ ଦୋକାନ ଖୋଲୁ ଖୋଲୁ ଦଳ ଦଳ ହୋଇ ଲୋକେ ଭିତରେ ପଶୁଛନ୍ତି । ଶାରୀରିକ ଦୂରତାକୁ ଆଉ କେହି ମାନୁ ନାହାନ୍ତି । ପୋଷାକ କିଣାଠାରୁ ଆରମ୍ଭକରି ପଇସା ଦେବା ପର୍ଯ୍ୟନ୍ତ ସବୁଠି ଲୋକଙ୍କ ଖୁନ୍ଦାଖୁନ୍ଦି । ଧର୍ମକୁ ଆଖିଠାର ମାରିଲା ଭଳି କେତେକ ମଲ୍‍ରେ ସିକ୍ୟୁରିଟି ଗାର୍ଡ ହାତରେ ସାନିଟାଇଜର ବୋତଲଟିଏ ଧରାଇ ଦେଇ ବ୍ୟବସାୟୀମାନେ କାମ ସାରିଦେଉଛନ୍ତି ।

ସପ୍ତାହକ ପରେ ପୂଜା ଆସୁଥିବାରୁ ଏବେ ଠାରୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଓ କମ୍ପାନୀମାନେ ଲୋଭନୀୟ ବିଜ୍ଞାପନ ଜରିଆରେ ରିହାତି ଘୋଷଣା କରିବାରେ ଲାଗିଛନ୍ତି । ଲକ୍ଷ୍ୟ ହେଉଛି ସେମାନଙ୍କ ବ୍ୟବସାୟ ପ୍ରତିଷ୍ଠାନକୁ କିଭଳି ଅଧିକରୁ ଅଧିକ ଲୋକେ ଆସିବେ । ତେବେ ବିଜ୍ଞାପନ ଦେଉଥିବା ଏହିସବୁ ବ୍ୟବସାୟ ପ୍ରତିଷ୍ଠାନ କିଭଳି କୋଭିଡ ମାର୍ଗଦର୍ଶିକା ପାଳନ କରୁଛନ୍ତି ଓ ସେଠାକୁ ଯାଉଥିବା ଲୋକେ କେତେ ପରିମାଣରେ କଟକଣା ମାନୁଛନ୍ତି ପୂର୍ବଭଳି ତାହା ଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି ।

ବର୍ତ୍ତମାନ ଠାରୁ ବଜାରରେ ବଢୁଥିବା ଗହଳି ଉପରେ ଲଗାମ ନଲଗାଇଲେ ପାର୍ବଣ ୧୦ ଦିନ କଡା କଟକଣାରୁ କିଛି ଲାଭ ମିଳିବନାହିଁ ବୋଲି ମତପ୍ରକାଶ ପାଉଛି । କାରଣ ଏବେ ବି ରାଜ୍ୟରେ କରୋନା କଟକଣା ୫ଶହ ପାଖପାଖି ରହୁଥିବା ଏବଂ ରାଜଧାନୀରେ ଏହା ୨ଶହ ଆଖପାଖରେ ରହୁଥିବାରୁ ଆଗାମୀ ଦଶ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ନଜଗିଲେ ଅକ୍ୱୋବର ୧୧ବେଳକୁ ଅନେକ କରୋନା ସଂକ୍ରମିତ ହୋଇ ସାରିଥିବେ ଓ ରାଜ୍ୟରେ ଓନମ ଭଳି ସ୍ଥିତି ଉପୁଜିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । (ତଥ୍ୟ)