Home News in Odia ପାର୍ବଣରେ ନିଶାଡିଙ୍କ ଉପରେ ପୁଲିସ୍‍ର ନଜର

ପାର୍ବଣରେ ନିଶାଡିଙ୍କ ଉପରେ ପୁଲିସ୍‍ର ନଜର

ଭୁବନେଶ୍ୱର : ପାର୍ବଣ ଋତୁରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ନିଶାଡି ଓ ନିଶା ବେପାରୀମାନଙ୍କ ଉପରେ ସାରା ରାଜ୍ୟରେ କଡା ନଜର ରଖୁଛି । କମିଶନରେଟ ପୋଲିସ ପକ୍ଷରୁ ଏଥିଲାଗି ଅଧିକ ସତର୍କତା ଅବଲମ୍ବନ କରାଯାଉଥିବା ଜଣାପଡିଛି ।

ଚୋରା ନିଶା ବେପାରୀଙ୍କ ଉପରେ କଡା ନଜର ରଖିବା ସହ ସର୍ବସାଧାରଣ ସ୍ଥାନରେ, ନିଷିଦ୍ଧାଞ୍ଚଳରେ ନିଶା ସେବନ କରୁଥିବା ଓ ନିଶାଗ୍ରସସ୍ତ ଅବସ୍ଥାରେ ଯାନବାହନ ଚଳାଉଥିବା ଲୋକଙ୍କୁ ଧରିବା ଲାଗି ଅଭିଯାନ ଏବେ ବ୍ୟାପକ ହୋଇଛି । ମୋଟର ଯାନ ଆଇନ ଅନୁଯାୟୀ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ଚଳାଉଥିବା ଚାଳକଙ୍କୁ ପ୍ରଥମ ଅପରାଧ ପାଇଁ ୬ ମାସ ପର୍ଯ୍ୟନ୍ତ ଜେଲ୍‍ ଓ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି ।

ବାରମ୍ବାର ଏଭଳି ଅପରାଧ ଘଟାଇଲେ ନିଶାଡି ଗାଡି ଚାଳକଙ୍କୁ ୨ବର୍ଷ ପର୍ଯ୍ୟନ୍ତ ଜେଲ୍‍ ସହ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡ ମଧ୍ୟ ଭୋଗିବାକୁ ପଡିବ । ଏହାଛଡା ନିଶାଡି ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ କରିବା ଲାଗି ଆଇନରେ ବ୍ୟବସ୍ଥା ଅଛି ।

ସେହିପରି ନିଶାରେ ମାତାଲ ହୋଇ ସର୍ବସାଧାରଣ ସ୍ଥାନରେ ଉତ୍ପାତ କରୁଥିବା ବ୍ୟକ୍ତିଙ୍କ ଲାଗି ଆଇନରେ ମଧ୍ୟ ଜେଲ୍‍ ଜୋରିମାନା ଦଣ୍ଡ ରହିଛି । କେବଳ ସେତିକି ନୁହେଁ ପାର୍କ, କ୍ଲବ୍‍, କ୍ୟାଣ୍ଟିନ ଓ ଚା’ ଦୋକାନ, ଦପ୍ତର, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ରେଳ ଓ ବସ୍‍ ଆଦିରେ ଧୂମପାନ କରୁଥିବା ଲୋକଙ୍କୁ ମଧ୍ୟ ଦଣ୍ଡିତ କରିବା ଲାଗି ଆଇନରେ ବ୍ୟବସ୍ଥା ରହିଛି । ଏମିତିକି ଧୂମପାନକାରୀ ଛାଡୁଥିବା ବିଡି, ସିଗାରେଟ, ଗଞ୍ଜେଇ, ଚରସ ଆଦିର ଧୂଆଁ ଯୋଗୁଁ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେଉଥିବାରୁ ଏମାନଙ୍କୁ କୋଟ୍‍ପା ଓ ଅନ୍ୟ ଆଇନ ଅନୁଯାୟୀ ବି ଦଣ୍ଡିତ କରାଯାଇପାରେ ।

ଅଫିମ, ଗଞ୍ଜେଇ, ଚରସ, ହେରୋଇନ ଆଦି ନିଷିଦ୍ଧ ନିଶା ସାମଗ୍ରୀ ସେବନ କରୁଥିବା ବ୍ୟକ୍ତିଙ୍କ ଲାଗି ଉଭୟ ଜେଲ ଓ ଜୋରିମାନା ଦଣ୍ଡର ବ୍ୟବସ୍ଥା ଏନଡିପିଏସ ଆଇନରେ ରହିଛି । ଏବେ ଏହି ବିପଜ୍ଜନକ ନିଶା ସାମଗ୍ରୀକୁ ସିଗାରେଟ କାଗଜରେ ଗୁଡାଇ ବିକ୍ରିବଟା ଚାଲିଛି । ଯେଉଁମାନେ ଏଭଳି ନିଷିଦ୍ଧ ନିଶା ସାମଗ୍ରୀର ବିପଣନ ଓ ପୃଷ୍ଠପୋଷକତା କରୁଛନ୍ତି ଏବଂ ପରିବହନ, ସଂରକ୍ଷଣ ଆଦି କ୍ଷେତ୍ରରେ ସାହାଯ୍ୟ କରୁଛନ୍ତି ସେମାନଙ୍କ ଲାଗି ବି ଏନଡିପିଏସ ଆଇନରେ ଉଭୟ ଜେଲ ଓ ଜୋରମାନା ଦଣ୍ଡର ବ୍ୟବସ୍ଥା ରହିଛି । ଗଞ୍ଜେଇ ଟାଣି ଧରାପଡିଲେ ୬ ମାସ ଜେଲରେ ରହିବା ନିଶ୍ଚିତ ।

ଓଡ଼ିଶା ଅବକାରୀ ଆଇନରେ ବି ମଦ ସମେତ ଅନ୍ୟ ଲାଇସେନ୍ସପ୍ରାପ୍ତ ନିଶା ସାମଗ୍ରୀ ବିପଣନ, ଉତ୍ପାଦନ ଓ ସେବନ ଉପରେ କଟକଣା ରହିଛି । ତେବେ ଏହି ଆଇନର ଖୋଲା ଉଲ୍ଲଂଘନ କରି ମଦୁଆମାନେ ରାସ୍ତାଘାଟ, ଦୋକାନବଜାର ସମେତ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ ପିଇ ଉତ୍ପାତ ହେଉଛନ୍ତି । ଏଭଳି ମଦୁଆଙ୍କୁ ଜବତ କରିବା ଲାଗି ମଧ୍ୟ ଭାରତୀୟ ପିଙ୍ଗଳ କୋଡ୍‍ରେ କଡା ବ୍ୟବସ୍ଥା ରହିଛି । ଏବେ ରାଜ୍ୟରେ ଘନ ଘନ ଚଢ଼ାଉ ଯୋଗୁଁ ପ୍ରାୟ ପ୍ରତିଦିନ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନସୁଗାର ସମେତ ଚୋରା ମଦ ଜବତ ହେଉଛି ।

ତେବେ ନିଶାଜନିତ ମାମଲାଗୁଡିକରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅତ୍ୟନ୍ତ ନୈରାଶ୍ୟଜନକ ରହୁଥିବାରୁ ଭାରତର ମହାଲେଖାକାରଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଉଦ୍‍ବେଗ ପ୍ରକାଶ କରୁଛନ୍ତି । ତେବେ କମିଶନରେଟ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାର୍ବଣ ଋତୁରେ ଏସବୁ ଆଇନର କଡା ଅନୁପାଳନ କରାଯାଇ ଉଭୟ ନିଶାଡି ଓ ନିଶା ବେପାରୀଙ୍କୁ ଧରାଯିବ । (ତଥ୍ୟ)