Home Covid ପାର୍ବଣରେ କରୋନା ବଢିବା ଆଶଙ୍କା

ପାର୍ବଣରେ କରୋନା ବଢିବା ଆଶଙ୍କା

ଭୁବନେଶ୍ୱର : ଓଡିଶାରେ ଏବେ କରୋନା ସଂକ୍ରମଣ ସ୍ଥିତି ଆୟତାଧିନ ଥିବାବେଳେ ପାର୍ବଣ ଋତୁରେ ତୃତୀୟ ଲହର ଯୋଗୁଁ ସଂକ୍ରମଣ ଢେର ବଢିପାରେ ବୋଲି ଡାକ୍ତର ଓ ବୈଜ୍ଞାନିକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଓନାମ ପରେ କେରଳରେ କରୋନା ସଂକ୍ରମଣ ଢେର ବଢିଥିବାବେଳେ ଏବେ ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ଅନ୍ୟ ପକ୍ଷରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଓଡିଶା ସମେତ ଅନ୍ୟ କେତେକ ରାଜ୍ୟରେ ପୁଣି କରୋନା ସାଂଘାତିକ ସମସ୍ୟା ସୃଷ୍ଟିକରିବା ଆଶଙ୍କା ରହିଛି ।

ଏପର୍ଯ୍ୟନ୍ତ ଓଡିଶାରେ କରୋନାରେ ୮୧୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ତେବେ ନିୟନ୍ତ୍ରଣାଧିନ ଥିବାରୁ ଏବେ ଦୈନିକ ମୃତ୍ୟୁସଂଖ୍ୟା ଏକ ଅଙ୍କରେ ସୀମିତ ରହୁଛି । ସରକାରୀ ତଥ୍ୟ ମୁତାବକ ଗତବର୍ଷ ମାର୍ଚ୍ଚମାସରୁ ଏଯାବତ୍‍ ଓଡିଶାରେ ୧୦ଲକ୍ଷ ୧୮ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଥିବାବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୧୦ଲକ୍ଷ ୪ହଜାର ସୁସ୍ଥହୋଇ ସାରିଲେଣି । ଆଜିର ଦିନରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଏବଂ ଘରେ ସଂଗରୋଧରେ ପାଖପାଖି କରୋନା ସଂକ୍ରମିତ ଚିକିତ୍ସାଧିନ ରହିଛନ୍ତି ।

ଓଡିଶାରେ ଏବେ ଦୈନିକ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ଯାହା ରହୁଛି ତାହାର ପ୍ରାୟ ଅଧାଅଧି କେବଳ ଖୋରଧା ଜିଲ୍ଲାରୁ ବାହାରୁଛି । ଏଥି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ । ଭୁବନେଶ୍ୱର ପଛକୁ ଏ କ୍ଷେତ୍ରରେ କଟକର ସ୍ଥାନ ରହିଛି ।

ପୂର୍ବରୁ ବୈଜ୍ଞନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଚଳିତମାସ ଶେଷ ଓ ଅକ୍ଟୋବର ମଧ୍ୟ ସୁଦ୍ଧା କରୋନାର ତୃତୀୟ ଲହର ସଂକ୍ରମଣ ଆସିପାରେ । ଏହାକୁ ଆଖିଆଗରେ ରଖି ଓଡିଶା ସରକାର ଆଗୁଆ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଯଦି ତୃତୀୟ ଲହର ଆସେ ତେବେ କରୋନା ରୋଗୀଙ୍କ ପାଇଁ ଡାକ୍ତରଖାନାରେ ଶଯ୍ୟା ସହ ଯେପରି ଅମ୍ଲଜାନ, ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ ହେବ ତାହାକୁ ଦୃଷ୍ଟିରେ ରଖି ଆଗତୁରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଚିକିତ୍ସା ବିଜ୍ଞାନି ଓ ବୈଜ୍ଞାନିକମାନଙ୍କ ମତରେ ଲୋକେ ଅଧିକ ସତର୍କ ରହିଲେ ତୃତୀୟ ଲହର ସଂକ୍ରମଣ ଭୟକୁ ସହଜରେ ଏଡାଇ ଦେଇହେବ । କିନ୍ତୁ ଏବେ ଦ୍ୱିତୀୟ ଲହର କମିଆସୁଥିବାବେଳେ ଯେଭଳି କଟକଣା କୋହଳ ଯୋଗୁଁ ହାଟ ବଜାରରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲୋକ ଗହଳି ବଢୁଛି ତାହା ଅବ୍ୟାହତ ରହିଲେ ଭବିଷ୍ୟତରେ ବଡ ସମସ୍ୟା ସୃଷ୍ଟି ହୋଇପାରେ ।

ଏବେ ସାମାଜିକ ଉତ୍ସବରେ ମଧ୍ୟ ବେଶ୍‍ ଗହଳି ଲକ୍ଷ୍ୟ କରାଯାଉଛି । ନିଜ ନିଜ ମଧ୍ୟରେ ଦୂରତା ରକ୍ଷା, ମାସ୍କ ପରିଧାନ ଓ ସାନିଟାଇଜର ବ୍ୟବହାର ଭଳି କରୋନା ମାର୍ଗନିର୍ଦ୍ଦେଶିକାକୁ କଡାକଡି ଭାବେ ପାଳନ କରାଯାଉନାହିଁ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ରାଜ୍ୟ ଓ ଜିଲ୍ଲା ପ୍ରଶାସନଗୁଡିକ ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ।

ତେବେ ବିମାନ, ରେଳ ଓ ସଡକ ପଥ ଖୋଲା ରହିଥିବାରୁ ଅନ୍ୟ ରାଜ୍ୟରୁ ଓଡିଶାକୁ ସହଜରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ । ଯଦି ଲୋକେ ଶୃଙ୍ଖଳିତ ଭାବେ କରୋନା କଟକଣାର ଅନୁପାଳନ ନକରିବେ ତେବେ ସ୍ଥାନୀୟ ପ୍ରଶାସନ ଲକଡାଉନ୍‍, ସଟ୍‍ଡାଉନ ଠାରୁ ଆରମ୍ଭ କରି କଣ୍ଟେନମେଣ୍ଟ ଜୋନ୍‍ ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେବୋଲି ବରିଷ୍ଠ ଅଧିକାରୀମାନେ ବାରମ୍ବାର ଚେତାବନୀ ଦେଉଛନ୍ତି । (ତଥ୍ୟ)