Home Administration ପାରାଦୀପ ବନ୍ଦରର ଅଧ୍ୟକ୍ଷ ଦାୟିତ୍ୱ ନେଲେ ପି.ଏଲ. ହରନ୍ଧ

ପାରାଦୀପ ବନ୍ଦରର ଅଧ୍ୟକ୍ଷ ଦାୟିତ୍ୱ ନେଲେ ପି.ଏଲ. ହରନ୍ଧ

ଭୁବନେଶ୍ୱର: ୧୯୯୪ ବ୍ୟାଚର ଆଇଆରଟିଏସ ଅଫିସର ପିଏଲ ହରନ୍ଧ ଆଜି ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୭ବର୍ଷର ଚାକିରି କାଳ ମଧ୍ୟରେ ସେ ୨୨ବର୍ଷ ଭାରତୀୟ ରେଳବାଇ ଓ ୫ବର୍ଷ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟରେ କାର୍ଯ୍ୟ କରିଛନ୍ତି ।

ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ହରନ୍ଧ କହିଛନ୍ତି ଯେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପାରାଦୀପ ବନ୍ଦରକୁ ଦେଶର ଏକ ନମ୍ବର ବନ୍ଦରରେ ପରିଣତ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ । ଏଥିପାଇଁ ସେ ସମସ୍ତ କର୍ମଚାରୀ, ସଂଘ, ବନ୍ଦର ବ୍ୟବହାରକାରୀ, ଷ୍ଟିଭେଡର୍ସମାନଙ୍କର ସହଯୋଗ ଲୋଡିଛନ୍ତି ।

ଆଗାମୀ ଦିନରେ ପାରାଦୀପ ବନ୍ଦରରେ ନୂତନ ପ୍ରକଳ୍ପ ବିଶେଷକରି ବହୁ ଆକାଂକ୍ଷିତ ୱେଷ୍ଣର୍ଣ୍ଣ ଡକ୍‍ ପ୍ରକଳ୍ପର ତୁରନ୍ତ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

ଶ୍ରୀ ହରନ୍ଧ ପିପିଟିରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପୂର୍ବରୁ ପୂର୍ବତଟ ରେଳବାଇରେ ମୁଖ୍ୟ ମାଲ୍‍ ପରିବହନ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଥିଲେ । ଏହା ପୂର୍ବରୁ ସେ ରାୟପୁର ଓ ଚକ୍ରଧରପୁର ଡିଭିଜନରେ ମଧ୍ୟ କାର୍ଯ୍ୟ କରିଥିଲେ । ତେଣୁ ରେଳ ଯୋଗେ ମାଲ ପରିବହନ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଛି ।

ତାଙ୍କର କାର୍ଯ୍ୟଦକ୍ଷତା ଲାଗି ୨୦୦୨ ଓ ୨୦୦୫ରେ ରେଳ ମନ୍ତ୍ରଣାଳୟରୁ ଜାତୀୟ ପୁରସ୍କାର ପାଇଛନ୍ତି । ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ସେ ବିଶାଖାପାଟଣା ବନ୍ଦରରେ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ବିଶାଖାପାଟଣା ବନ୍ଦରର ବ୍ୟାପକ ବିକାଶ ହେବା ସହିତ ସମଗ୍ର ଦେଶରେ ଏହା ତୃତୀୟ ସ୍ଥାନ ହାସଲ କରିଥିଲା ।