Home General ପାରାଦୀପ ଆଡକୁ ମୁହାଁଉଛି ବାତ୍ୟା ‘ୟାସ୍‍’

ପାରାଦୀପ ଆଡକୁ ମୁହାଁଉଛି ବାତ୍ୟା ‘ୟାସ୍‍’

ଭୁବନେଶ୍ୱର : ବାତ୍ୟା ୟାସର ପୂର୍ବାନୁମାନ କରି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ପୂର୍ବାନୁମାନ କରିଛୁ । ତା’ପରେ ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାରେ ପରିଣତ ହୋଇ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଅତିକ୍ରମ କରିବ । ଯେତେବେଳେ ଏହା ଉକପୂଳ ଅତିକ୍ରମ କରିବ ସେତେବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ କିମିରୁ ୧୬୫ କିମି ରହିବ ଏବଂ ଅତିବେଶୀରେ ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ହୋଇପାରେ ।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ଏହି ବାତ୍ୟାର ପ୍ରଭାବରେ ୨୫ ତାରିଖ ସନ୍ଧ୍ୟାରୁ ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲା ଓ ପଶ୍ଚିମବଙ୍ଗର ଉପକୂଳ ଜିଲ୍ଲା ସହିତ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବ । ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ଧୀରେ ଧୀରେ ବଢିବ । ୨୬ ତାରିଖରେ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ସବୁଠୁ ଅଧିକ ବର୍ଷା ହେବ ଏବଂ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହିତ ଅଳ୍ପ କେତେକ ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ । ୨୭ ତାରିଖରେ ଏହି ବର୍ଷାର ପରିମାଣ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ କମିଯିବ । କେବଳ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି ଯେ ୱେଲ୍ ମାର୍କଡ୍ ଲୋ ପ୍ରେସର ଅବପାତର ରୂପ ନେବା ପରେ ଟ୍ରାକ୍ ରେକର୍ଡ ସ୍ପଷ୍ଟ ହେବ । ବର୍ତ୍ତମାନ ସୁଦ୍ଧା ଯାହା ଆକଳନ କରାଯାଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାର ୨୫ରୁ ୫୦ ପ୍ରତିଶତ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ସର୍ବାଧିକ ପ୍ରଭାବିତ ହେବେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା । ଏସବୁ ଜିଲ୍ଲାରେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ । ସେ ଆହୁରି କହିଛନ୍ତି ଯେ କେବଳ ବର୍ଷା ନୁହେଁ ପବନ ମଧ୍ୟ ହେବ । ବିଶେଷ କରି ଉତ୍ତର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକ ପବନ ଦ୍ୱାରା ପ୍ରଭାବିତ ହେବ ।

ବାଲେଶ୍ୱରରେ ବାତ୍ୟା ମୁକାବିଲା ସମୀକ୍ଷା ପରେ ଏସଆରସି ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଛନ୍ତି କି ବାତ୍ୟା ବେଳେ ବୟସ୍କ ଲୋକେ ଘରୁ ବାହାରନ୍ତୁ ନାହିଁ । ସେହିପରି ପବନ ବହିବା ବେଳେ ଯୁବପୀଢ଼ି ବାଇକରେ ଏଣେ ତେଣେ ନବୁଲି ଘରେ ରହୁନ୍ତୁ । କେବଳ ଏତିକି ନୁହେଁ ଆମ୍ବ, ନଡ଼ିଆ ଗୋଟାଇବା ପାଇଁ ନବାହାରିବାକୁ କୁହାଯାଇଛି । ଆଶ୍ରୟ ସ୍ଥଳକୁ ଯାଇନଥିଲେ ପିଇବା ପାଣି ଆଗୁଆ ମହଜୁଦ ରଖିବା ପାଇଁ କହିଛନ୍ତି ଏସଆରସି ।

ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି । କେହି ହେଡକ୍ୱାର୍ଟର୍ସ ଛାଡ଼ି ଯାଇପାରିବେ ନାହିଁ । ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି । ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନ ସହ ମିଶି କାମ କରାଯିବ । ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି । ସମସ୍ତେ ଯୋଗାଯୋଗରେ ଅଛନ୍ତି । ପୂର୍ବରୁ ଅନେକ ବାତ୍ୟାର ଅନୁଭୂତି ରହିଛି । ଆମେ ସେହି ଅନୁଭୂତିକୁ ପାଥେୟ କରି ସମ୍ଭାବ୍ୟ ବାତ୍ୟା ‘ୟାସ୍‍’ ମୁକାବିଲା କରିବୁ ।

ବାତ୍ୟାର ମୁକାବିଲା ନେଇ ଆଜି ଶକ୍ତି ବିଭାଗର ମଧ୍ୟ ବୈଠକ ବସିଥିଲା । ବୈଠକ ପରେ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ ସମସ୍ତ କୋଭିଡ କେୟାର ସେଣ୍ଟର, କୋଭିଡ ହସ୍ପିଟାଲ ଓ ଡାକ୍ତରଖାନାକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ । ବିଦ୍ୟୁତ କଟିଲେ ଷ୍ଟାଣ୍ଡ ବାଏ ବ୍ୟବସ୍ଥା କରାଯାଇଛି । ବିଦ୍ୟୁତ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି । ମୁଖ୍ୟତଃ ଡିସ୍କମ କମ୍ପାନୀ ଟାଟାକୁ ଅଧିକ ସଜାଗ ରହିବାକୁ କୁହାଯାଇଛି ।

ସମ୍ଭାବ୍ୟ ବାତ୍ୟା ‘ୟାସ୍‍’ ମୁକାବିଲା ପାଇଁ ଓଡ଼ିଶାକୁ ଆଉ ୧୦ ଏନଡିଆରଏଫ ଟିମ ଆସିବ ବୋଲି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ପୂର୍ବରୁ ଓଡ଼ିଶାକୁ ୨୨ଟି ଟିମ୍ ଯାଇଥିବା ବେଳେ ଏସଆରସି ଆଉ ୧୦ ଟିମ୍ ମାଗିଛନ୍ତି । ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏୟାର ଲିଫ୍ଟ କରି ଟିମ୍ ପହଞ୍ଚାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।