Home Environment ପାରାଦୀପ୍‍ ବନ୍ଦର ରୋକିବ ପ୍ଲାଷ୍ଟିକ

ପାରାଦୀପ୍‍ ବନ୍ଦର ରୋକିବ ପ୍ଲାଷ୍ଟିକ

ଭୁବନେଶ୍ୱର : ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ଲାଷ୍ଟିକ ବ୍ୟାଗର ବ୍ୟବହାରକୁ ରୋକିବାପାଇଁ ସ୍ଥିର କରିଛନ୍ତି । ଏଥିପାଇଁ ବନ୍ଦର ନଗରୀ ଓ ଏହାର ଆଖପାଖ ଅଞ୍ଚଳରେ କପଡା ବ୍ୟାଗ ବଣ୍ଟନ କରିବା ସକାଶେ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାଯାଇଛି ।

ପରିବେଶକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ୟାଗ ବିଶେଷଭାବେ କ୍ଷତି କରୁଥିବା ଯୋଗୁଁ ଲୋକମାନଙ୍କୁ ଏହି ବ୍ୟାଗ ବ୍ୟବହାର କରିବାରୁ ବିରତ ରଖିବାପାଇଁ ବନ୍ଦର କର୍ତ୍ତୃପକ୍ଷ କପଡା ବ୍ୟାଗ ଦେବାକୁ ସ୍ଥିର କରିଛନ୍ତି । ବନ୍ଦରର ଅଧ୍ୟକ୍ଷ ପି.ଏଲ୍‍.ହରାନନ୍ଦ ଏଥି ସକାଶେ ଯୋଜନା ପ୍ରସ୍ତୁତ କରିଥିବା ଜଣାଯାଇଛି ।

ଜରି ମୁଣା ବ୍ୟବହାର ନକରିବାପାଇଁ ପରାମର୍ଶ ଦେବା ଅପେକ୍ଷା ଲୋକମାନଙ୍କୁ ଏହାର ବିକଳ୍ପ ଯୋଗାଇଦେଲେ ସେମାନେ ଛାଏଁ ଛାଏଁ ଜରି ମୁଣା ବ୍ୟବହାରରୁ ଦୂରେଇ ଯିବେ । ସେଥିପାଇଁ ଏଭଳି ଅଭିନବ ଯୋଜନା ବନ୍ଦର କର୍ତ୍ତୃପକ୍ଷ ହାତକୁ ନେଇଛନ୍ତି । ପ୍ରଥମଥର ପାଇଁ ଏଭଳି ଯୋଜନା ଭାରତରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ନେଉଥିବା ଜଣାଯାଇଛି । କାରଣ ଦେଶରେ ଯେଉଁ ୧୨ଟି ବୃହତ୍‍ ବନ୍ଦର ରହିଛି ସେଥି ମଧ୍ୟରୁ ପାରାଦୀପ୍‍ ବନ୍ଦର ପରିବେଶ ସୁରକ୍ଷା ଏବଂ ସବୁଜ ବନ୍ଦର ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଅଗ୍ରଗାମୀ ଭୂମିକା ଗ୍ରହଣ କରିଛି ।

ଏଠାରେ ଉଲ୍ଲେଖ ଥାଉକି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ସମ୍ପ୍ରତି ପାରାଦୀପ୍‍ ଗସ୍ତରେ ଆସିଥିବା ସମୟରେ ସବୁଜ ବନ୍ଦର ପ୍ରତିଷ୍ଠା ଦିଗରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପଦକ୍ଷେପକୁ ବେଶ୍‍ ପ୍ରଶଂସା କରିଥିଲେ । ଚଳିତ ସପ୍ତାହରେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ପାରାଦୀପ୍‍ ଗସ୍ତରେ ଆସିଥିବା ସମୟରେ ବନ୍ଦର ଅଧ୍ୟକ୍ଷଙ୍କର ଏଭଳି ପଦକ୍ଷେପକୁ ବେଶ୍‍ ତାରିଫ କରିଛନ୍ତି ।

ସବୁଜ ବନ୍ଦର ପ୍ରତିଷ୍ଠା ଯୋଜନାରେ ପାରାଦୀପ୍‍ ବନ୍ଦର କର୍ତ୍ତୃପକ୍ଷ ପ୍ରତିବର୍ଷ ଲକ୍ଷେ ଗଛ ଲଗାଇବାପାଇଁ ନିଷ୍ପତ୍ତି ନେଇଛନ୍ତି । ଶ୍ରୀ ହରାନନ୍ଦ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଇ ୫ବର୍ଷ ମଧ୍ୟରେ ବନ୍ଦର ନଗରୀ ଓ ଏହାର ଆଖପାଖରେ ୫ଲକ୍ଷ ଗଛ ଲଗାଇବାପାଇଁ ମନସ୍ଥିର କରିଥିବା ଜଣାଯାଇଛି । ଏଭଳି ବିଶାଳକାୟ ଯୋଜନାକୁ କାର୍ଯ୍ୟକାରୀ କରିବା ସକାଶେ ମିଳିତ ପଦକ୍ଷେପ ଗ୍ରହଣ କରାଯିବ । ସବୁଜ ବନ୍ଦର ପ୍ରତିଷ୍ଠା ଯୋଜନାରେ ଏହି ଇଲାକାରେ ଯେଭଳି ଧୂଳି ନଉଡିବ ସେଥିପାଇଁ ସିଞ୍ଚନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ।

ଡିଜେଲର ବ୍ୟବହାରକୁ ରୋକାଯାଇ ଏଲ୍‍ଏନ୍‍ଜି ବ୍ୟବହାର ଉପରେ ବନ୍ଦର କର୍ତ୍ତୃପକ୍ଷ ଗୁରୁତ୍ୱଆରୋପ କରୁଛନ୍ତିା ଏହା ଫଳରେ ଡିଜେଲ ଯୋଗୁଁ ବାୟୁମଣ୍ଡଳ ଯେଭଳି ପ୍ରଦୂଷିତ ହେଉଛି ତାହାକୁ ରୋକାଯାଇ ପାରିବ । ଏଥି ସଂଗେ ସଂଗେ ବନ୍ଦରର ମାଲ ପରିବହନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଯାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ଚଳାଇବାପାଇଁ ଯେଉଁ ବିଶାଳ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ସବୁଜ ବନ୍ଦର ପ୍ରତିଷ୍ଠା କ୍ଷେତ୍ରରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ହରାନନ୍ଦ ମତପ୍ରକାଶ କରିଥିବା ଜଣାଯାଇଛି । (ତଥ୍ୟ)