Home Administration ଅଭିଯୋଗ ବ୍ୟବସ୍ଥା ଅଚଳ

ଅଭିଯୋଗ ବ୍ୟବସ୍ଥା ଅଚଳ

ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ଅଭିଯୋଗ ବ୍ୟବସ୍ଥା ଏକ ପ୍ରକାର ଅଚଳ । ବିଭାଗର ୱେବସାଇଟ୍‍ରେ ଥିବା ‘ସିଟିଜେନ୍‍ ସର୍ଭିସ’ ବା ନାଗରିକ ସେବା ବ୍ୟବସ୍ଥାକୁ ଇତି ମଧ୍ୟରେ ଉଠାଇ ନିଆଯାଇଥିବାବେଳେ ପାନୀୟଜଳ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଜାରି ଦେୟମୁକ୍ତ ଟେଲିଫୋନ୍‍ ନମ୍ବରଟି ବି ଠିକଣା ଭାବେ କାର୍ଯ୍ୟ କରୁନାହିଁ ।

ବର୍ତ୍ତମାନ ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରଦାହ ଜାରି ରହିଥିବାରୁ ପାନୀୟଜଳ ସମସ୍ୟା ଦେଖା ଦେଇଛି । ଏ ସଂକ୍ରାନ୍ତରେ ଅଭିଯୋଗ ପାଇଁ ଲୋକେ ବିଭାଗର ୱେବସାଇଟ୍‍କୁ ଯିବା ବେଳକୁ ସେଠାରେ ସିଟିଜେନ୍‍ ସର୍ଭିସ ବ୍ୟବସ୍ଥାଟିକୁ କର୍ତ୍ତୃପକ୍ଷ ଉଠାଇ ନେଇଛନ୍ତି । ବିଭାଗର ୱେବସାଇଟ୍‍ରେ ତ୍ରୁଟି ଥିବାରୁ ପ୍ରଥମେ ଏହି ସେବା ବ୍ୟବସ୍ଥାଟି ଅଚଳ ଥିଲା । ଲୋକଙ୍କ ଅଭିଯୋଗ ପାଇଲା ପରେ କର୍ତ୍ତୃପକ୍ଷ ତାହାକୁ ସଜାଡିବା ପରିବର୍ତ୍ତେ ଦୁଇ ଦିନ ହେଲା ଉଠାଇ ନେଇଛନ୍ତି ।

ସିଟିଜେନ ସର୍ଭିସ ଜରିଆରେ ଲୋକେ ସହଜରେ ନିଜ ନିଜ ଅଞ୍ଚଳର ପାନୀୟଜଳ ସମେତ ରାସ୍ତାଘାଟ ଓ ବିଭାଗ ଅଧିନରେ ଥିବା ଅନ୍ୟାନ୍ୟ କାର୍ଯ୍ୟ ସଂକ୍ରାନ୍ତରେ ସହଜରେ ଅଭିଯୋଗ କରିବା ସହିତ ତାହାର ସମାଧାନ ବି ହୋଇପାରୁ ଥିଲା । ହେଲେ କୌଣସି କାରଣରୁ ଗ୍ରୀଷ୍ମଋତୁରେ ଏହା ଅଚଳ ହୋଇଯାଇଛି । ବିଭାଗର ୱେବସାଇଟ୍‍ ପ୍ରସ୍ତୁତକର୍ତ୍ତାଙ୍କୁ ଯୋଗୁଁ ଏଭଳି ହୋଇଥିବା ସୂଚନା ମିଳିଛି ।

ସେହିଭଳି ପାନୀୟଜଳ ସମସ୍ୟା ସଂକ୍ରାନ୍ତରେ ଅଭିଯୋଗ ପାଇଁ ବିଭାଗ ପକ୍ଷରୁ ୧୯୧୬ ଦେୟମୁକ୍ତ ଟେଲିଫୋନ୍‍ରେ ଅଭିଯୋଗ ପାଇଁ କୁହାଯାଇଥିଲା । ଏହି ନମ୍ବରଟି ସଂଯୋଗ ହେଲ୍ପଲାଇନ୍‍ ସହିତ ଯୋଡିହୋଇ ଥିଲା । ଗାଁ ଗହଳରୁ କୌଣସି ବ୍ୟକ୍ତି ଏହି ନମ୍ବରକୁ ଫୋନ୍‍ କଲେ ତୁରନ୍ତ ଅଭିଯୋଗ ଦରଜ ହେଉଥିଲା ଏବଂ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ଏହା ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଯାଇ ସମସ୍ୟା ସମାଧାନ ହୋଇପାରୁଥିଲା ।

ତେବେ ବର୍ତ୍ତମାନ ଏହି ଦେୟମୁକ୍ତ ୧୯୧୬ ନମ୍ବରକୁ ଫୋନ୍‍ କଲେ ଅଧିକାଂଶ ସମୟ ଏହା ଅଚଳ ରହୁଛି । ଯଦି କୌଣସି ସମୟରେ ଅଭିଯୋଗ ଗ୍ରହଣ କେନ୍ଦ୍ରର ଟେଲିଫୋନଟି ବାଜୁଛି ତେବେ ତାହାକୁ କେହି ଧରୁନାହାନ୍ତି । ଫଳରେ ବର୍ତ୍ତମାନ ଗ୍ରୀଷ୍ମଋତୁରେ ପାନୀୟଜଳ ସଂକ୍ରାନ୍ତରେ ଅଭିଯୋଗ ପାଇଁ ଲୋକେ ଏହି ନମ୍ବରକୁ ଫୋନ୍‍ କରି କରି ହାଲିଆ ହେଉଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସଂଯୋଗ ହେଲ୍ପଲାଇନ୍‍ ୱେବସାଇଟ୍‍ର ସିକ୍ୟୁରିଟି ସାର୍ଟିଫିକେଟ ଅବଧି ପ୍ରାୟ ତିନିମାସ ହେଲା ସରିଯାଇଥିବାରୁ ସେହି ସାଇଟ୍‍ ଟି ଠିକଣା ଭାବେ ଖୋଲୁନାହିଁ ।

ମୋଟାମୋଟି ଭାବେ ୱେବସାଇଟ୍‍ରୁ ସିଟିଜେନ ସର୍ଭିସ୍‍ ବ୍ୟବସ୍ଥାର ଉଚ୍ଛେଦ ଓ ଦେୟମୁକ୍ତ ଟେଲିଫୋନ୍‍ ନମ୍ବର ଏକ ପ୍ରକାର ଅକାମୀ ହେବା ଏବେ ଲୋକଙ୍କ ପାନୀୟଜଳ କଷ୍ଟକୁ ବହୁଗୁଣିତ କରିଦେଇଛି । ଉଲ୍ଲେଖନୀୟ ଯେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଛୋଟ ବଡ ପାନୀୟଜଳ ପ୍ରକଳ୍ପରୁ ଠିକଣା ଭାବେ ପାଣି ଟୋପାଏ ପାଉନଥିବା ଏବଂ ନିଜ ନିଜ ଅଞ୍ଚଳରେ ଟ୍ୟୁୱେଲ ଅଚଳ ଯୋଗୁଁ ହନ୍ତସନ୍ତ ହେଉଥିବା ଲାକେ ବିଭାଗ ନିକଟରେ ଅଭିଯୋଗ କରିଥାନ୍ତି । ହେଲେ ଏହି ଅଭିଯୋଗ ବ୍ୟବସ୍ଥା ଏବେ ଏକ ପ୍ରକାର ଅଚଳ । (ତଥ୍ୟ)

LEAVE A REPLY

Please enter your comment!
Please enter your name here