Home News in Odia ପାଣି ମିଟର ଉପରେ ଚୋରଙ୍କ ନଜର

ପାଣି ମିଟର ଉପରେ ଚୋରଙ୍କ ନଜର

ଭୁବନେଶ୍ୱର : ଅମୃତ ଯୋଜନାରେ ଲଗାଯାଉଥିବା ପାଣି ପାଇପ୍‍ ମିଟର ଉପରେ ଏବେ ଚୋରଙ୍କ ନଜର । ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ଏହି ପାଣି ମିଟରକୁ ଏବେ ଚୋରମାନେ ଟାର୍ଗେଟ କରିବା ସହିତ ତାହାକୁ ନେଇ ଯାଉଛନ୍ତି ।

ସ୍ଥାନୀୟ ଛଅ ନମ୍ବର ୟୁନିଟ୍‍ରେ ଅମୃତ ଯୋଜନାରେ ଜଳ ଯୋଗାଣ ସହିତ ପାଣି ଖର୍ଚ୍ଚର ହିସାବ ପାଇଁ ପ୍ରତ୍ୟେକ କ୍ୱାଟର୍ସରେ ପାଣି ମିଟର ଲାଗିଛି । ବହୁ ସ୍ଥାନରେ ଏହି ମିଟରଗୁଡିକ ବାଡିରେ ଖୋଲମେଲା ଅବସ୍ଥାରେ ଲାଗିଥିବାବେଳେ ତାହାକୁ ସହଜରେ ଚୋରମାନେ ନେଇ ଯାଉଛନ୍ତି । ମିଟର ଲାଗିଲାବେଳେ ଏହା ଚାରିପଟେ କାନ୍ଥ ଉଠାଯିବ ବୋଲି କୁହାଯାଇଥିଲା । ହେଲେପରବର୍ତ୍ତୀ ଅବସ୍ଥାରେ ତାହାକୁ ସେହିଭଳି ମେଲା ମୁକୁଳା ଅବସ୍ଥା ଛାଡି ଦିଆଗଲା । ତେଣୁ ଏହାକୁ ଚୋରିକରି ନେବା ଏବେ ଅତି ସହଜ ହୋଇଛି ।

ଦୁଇ ଦିନ ତଳେ ସ୍ଥାନୀୟ ଛଅ ନମ୍ବର ଅଞ୍ଚଳରେ ଥିବା ଏକାଧିକ ସରକାରୀ କ୍ୱାଟର୍ସରୁ ଗୋଟିଏ ରାତିରେ ଚୋରମାନେ ଏହି ମିଟର ନେଇ ଯାଇଛନ୍ତି । ପ୍ରତଦିନ ବିଭିନ୍ନ କ୍ୱାଟର୍ସରୁ ପାଣିମିଟର ଚୋରି ହେବାରେ ଲାଗିଛି । ଯେହେତୁ ଏଠାରେ ୨୪ଘଣ୍ଟିଆ ଜଳ ଯୋଗାଣ ବ୍ୟବସ୍ଥା ରହିଛି ତେଣୁ ମିଟର ଚୋରି ପରେ ଅଧିକାଂଶ ବ୍ୟକ୍ତିଙ୍କ ବାଡିରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ଜଳଯୋଗାଣ କର୍ମଚାରୀମାନେ ଖବର ପାଇଲା ମାତ୍ରେ ତୁରନ୍ତ ଆସି ପାଣିପାଇପ୍‍ ସଜାଡିଥିଲେ । ମିଳିଥିବା ସୂଚନା ଅନୁଯାୟୀ ଏହି ମିଟରଗୁଡିକର ଦର ୧୫୦୦ ରୁ ୨୦୦୦ ଟଙ୍କା ମଧ୍ୟରେ ରହୁଥିବାବେଳେ ଏହା ଭିତରେ ଥିବା ଅଳ୍ପ ଟିକିଏ ପିତ୍ତଳ ପାଇବାପାଇଁ ଚୋରମାନେ ତାହାକୁ ନେଇଯାଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଲୋକସେବାଭବନ ଓ ରାଜଭବନ ନିକଟରେ ଥିବା ଛଅ ନମ୍ବର ୟୁନିଟ୍‍ରେ ସରକାରୀ କ୍ୱାଟର୍ସରୁ ଚୋରି ହେବା ଏକ ସାଧାରଣ କଥା ପାଲଟିଲାଣି । ପ୍ରତିଦିନ କାହାର ନା କାହାର କିଛି ଚୋରି ହେଉଛି । ଆଜବେଷ୍ଟସ ଭାଙ୍ଗି ଚୋରମାନେ ଦିନବେଳା ବି ଘରୁ କଳାକନା ବୁଲାଇ ଦେଉଛନ୍ତି । ସାଧାରଣ ସରକାରୀ କର୍ମଚାରୀ ଏପରିକି କ୍ୱାଟର୍ସ ପାଇଥିବା କିଛି ପୁଲିସ୍‍ କର୍ମଚାରୀ ବି ଏହି ଚୋରଙ୍କ ଶିକାର ହେଉଥିଲେ ବି କାନମୁଣ୍ଡା ଆଉଁଷି ରହୁଛନ୍ତି ।

ଚୋରିର ମୁଖ୍ୟ କାରଣ ବେଆଇନ୍‍ ଭାବେ ଗଢି ଉଠୁଥିବା ବସ୍ତି ବୋଲି କୁହାଯାଉଥିବାବେଳେ ଏହାକୁ କିନ୍ତୁ କେହି ନିୟନ୍ତ୍ରଣ କରିପାରୁ ନାହାନ୍ତି । ନିକଟରେ କମିଶନରେଟ ପୁଲିସ୍‍ ବସ୍ତିରେ ଥିବା ଘର ଓ ଏଠାରେ ରହୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ହୋଇପାରୁ ନାହିଁ । ରାସ୍ତାକଡରେ ଥିବା ଜମି ଓ କନଜରଭେନ୍ସି ଦଖଲ ପରେ ଲୋକେ ଏବେ ଫୁଟଫାଥ ଉପରେ ନଜର ପକାଉଛନ୍ତି । ଫୁଟ୍‍ଫାଥରେ ଗଢି ଉଠୁଥିବା ଘରକୁ ବିଏମ୍‍ସି ଓ ବିଡିଏ ଯେତେ ଭାଙ୍ଗିଲେ ବି ତାହାର କିଛି ପ୍ରଭାବ ପଡୁନାହିଁ ।

ତୁରନ୍ତ ପୁଲିସ୍‍ ଓ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଚୋରିକୁ ରୋକିବା ସମ୍ଭବ ହେବନାହିଁ । ବର୍ତ୍ତମାନ ସୁଦ୍ଧା ଅମୃତ ଯୋଜନାରେ ପାଣି ବିଲ୍‍ ଆଦାୟ ହୋଇନଥିବାବେଳେ ଯେଉଁଭଳି ଭାବେ ମିଟର ଚୋରି ଚାଲିଛି ତାହା ଏହି ସରକାରୀ ଯୋଜନାକୁ ବାଟବଣା କରିଦେବ ବୋଲି ମତପ୍ରକାଶ ପାଇଲାଣି ।