Home Covid ପାଞ୍ଚ ହଜାର ମୁହାଁ କରୋନା ମୃତ୍ୟୁ

ପାଞ୍ଚ ହଜାର ମୁହାଁ କରୋନା ମୃତ୍ୟୁ

ଭୁବନେଶ୍ୱର : ଲଗାତାର ୬ଦିନ ଧରି ୬୦ଉପରେ ରହୁଥିବା କରୋନା ମୃତ୍ୟୁ ଏବେ ୫ହଜାର ମୁହାଁ ହୋଇଛି । ରାଜ୍ୟରେ ଆଉ ୬୪ଜଣଙ୍କ ମୃତ୍ୟୁ ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୪୯୨୫ରେ ପହଞ୍ଚିଛି । ଦୈନିକ ମୃତ୍ୟୁର ଏହି ଧାରା ଜାରି ରହିଲେ ଦିନେ ଦୁଇ ଦିନ ମଧ୍ୟରେ ଏହା ୫ହଜାରକୁ ଅତିକ୍ରମ କରିବାର ଆଶଙ୍କା ଉପୁଜିଛି ।

ମୃତ୍ୟୁବରଣ କରିଥିବା ୬୪ଜଣଙ୍କ ମଧ୍ୟରେ ଖୋରଧାରୁ ରହିଛନ୍ତି ୨୨ଜଣ । ଖୋରଧା ଜିଲ୍ଲାରେ ଦୈନିକ କରୋନା ମୃତ୍ୟୁ କ୍ଷେତ୍ରରେ ଏହା ସର୍ବକାଳୀନ ରେକର୍ଡ । ଏହି ୨୨ଜଣଙ୍କୁ ମିଶାଇ ଖୋରଧାରେ ମୋଟ୍‍ ମୃତ୍ୟୁସଂଖ୍ୟା ୮୪୯ରେ ପହଞ୍ଚିଛି । ସେହିଭଳି ବରଗଡରେ ୧୦, ବାଲେଶ୍ୱରରେ ୮, ସୁନ୍ଦରଗଡରେ ୭, ଗଞ୍ଜାମରେ ୬, କନ୍ଧମାଳ ଓ ସମ୍ବଲପୁରରେ ୨ଜଣ କରି ଏବଂ ରାୟଗଡା, ପୁରୀ, ନୂଆପଡା, ମୟୁରଭଞ୍ଜ, କେନ୍ଦ୍ରାପଡା, କଳାହାଣ୍ଡି ଓ ବୌଦରେ ଜଣେ କରି ମୃତ୍ୟୁବରଣ କରିଛନ୍ତି ।

ଗ୍ରିନ୍‍ ଜୋନରେ ଥିବା ବରଗଡ ଜିଲ୍ଲାରେ ଗୋଟିଏ ଦିନରେ ରେକର୍ଡ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏଠାରେ ଗତ ୨୪ଘଣ୍ଟାରେ ମାତ୍ର ୧୫ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଗଞ୍ଜାମରୁ ୧୨ ନୂଆ ରୋଗୀ ବାହାରିଥିବାବେଳେ ୬ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଛି ।

ଅନ୍ୟ ପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୨୦୭୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୪୪୬ଜଣ ଥିବାବେଳେ କଟକରୁ ୩୧୯, ବାଲେଶ୍ୱରରୁ ୧୭୬, ଯାଜପୁରରୁ ୧୩୬, ପୁରୀରୁ ୧୧୦, ଜଗତ୍‍ସିଂହପୁରରୁ ୯୭, କେନ୍ଦ୍ରାପଡାରୁ ୭୭ ଜଣ ରହିଛନ୍ତି । ଏହି ସମସ୍ତ ଜିଲ୍ଲାକୁ ଅଧିକ ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ‘ବି’ ବର୍ଗରେ ରଖିଥିବାବେଳେ ଏଠାରେ ଅଧିକ କଟକଣା ଜାରି ରହିଛି ।

ସବୁଠାରୁ କମ୍‍ ମାତ୍ର ୩ଜଣ ନୂଆ କରୋନା ସଂକ୍ରମିତ ଦେବଗଡ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଗଜପତିରୁ ୬, ବଲାଙ୍ଗିର ଓ ନୂଆପଡାରୁ ୭କରି, ସୋନପୁର ଓ ଝାରସୁଗୁଡାରୁ ୮ଜଣ କରି ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କରେ ରହିଛି ।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୯,୪୯,୯୨୯ ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୯,୨୩,୨୦୯ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୧,୭୪୨ ରହିଛି । ତେବେ ଆଜି ସୁଦ୍ଧା ୪୭୮୫ ସକ୍ରିୟ ରୋଗୀ ସହିତ ଖୋରଧା ଏବଂ ୩୦୯୨ ସକ୍ରିୟ ରୋଗୀ ସହିତ କଟକ ଜିଲ୍ଲା ରେଡ୍‍ ଜୋନରେ ରହିଛି । ହଜାରେରୁ ଅଧିକ ସକ୍ରିୟ ରୋଗୀ ଥିବା ପୁରୀ, ଯାଜପୁର, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ୟେଲୋ ଜୋନରେ ସ୍ଥାନ ପାଇଛି ।