Home Environment ପାଞ୍ଚ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ

ପାଞ୍ଚ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ

ଭୁବନେଶ୍ୱର : ରାଜ୍ୟର ୫ଟି ସହରରେ ଆଜି ତାପମାତ୍ରା ୪୦ଡିଗ୍ରୀ ଟପିଥିବାବେଳେ ଟିଟିଲାଗଡ ୪୧.୪ ଡିଗ୍ରୀ ସହିତ ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ଅନ୍ୟ ୪ଟି ସହର ମଧ୍ୟରେ ଅନୁଗୁଳ ବାରିପଦା, ବଲାଙ୍ଗିର ଓ ବୌଦ ରହିଛି ।

ବଲାଙ୍ଗିରରେ ଆଜି ତାପମାତ୍ରା ୪୧ଡିଗ୍ରୀ ସେଲସିୟସ ଥିବାବେଳେ ବାରିପଦା ଓ ବୌଦରେ ୪୦ ଡିଗ୍ରୀ କରି ଏବଂ ଅନୁଗୁଳରେ ଏହା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସୋନପୁରରେ ତାପମତ୍ରା ୩୯.୫ ଡିଗ୍ରୀ, ତାଳଚେରରେ ୩୯ ଡିଗ୍ରୀ ତାପମାତ୍ରା ଥିବା ଜଣାଯାଇଛି ।

ରାଜ୍ୟରେ ସବୁଠାରୁ କମ୍‍ ତାପମାତ୍ରା ୩୧.୨ ଡିଗ୍ରୀ ଗୋପାଳପୁରରେ ରେକର୍ଡ ହୋଇଥିବାବେଳେ ଦାରିଙ୍ଗିବାଡିରେ ଏହା ୩୨.୦ ଓ ପୁରୀରେ ୩୨.୫ ଡିଗ୍ରୀ ସେଲସିୟସ ରହିଛି ।

ଝାରସୁଗୁଡାରେ ଆଜିର ତାପମାତ୍ରା ୩୮.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୩୮.୬ ଡିଗ୍ରୀ, ନୟାଗଡରେ ୩୮.୦ ଡିଗ୍ରୀ ରେକର୍ଡ କରାଯାଇଛି । ରାଜଧାନୀର ତାପମାତ୍ରା ଆଜି ୩୭.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଚାନ୍ଦବାଲି, କଟକ, କେନ୍ଦୁଝରଗଡ, ସୁନ୍ଦରଗଡ, ହୀରାକୁଦ, ଭବାନୀପାଟଣା, ଛତ୍ରପୁର, ପାରଳାଖେମୁଣ୍ଡି, ରାୟଗଡା ଓ ଯାଜପୁରରେ ତାପମାତ୍ରା ୩୭ଡିଗ୍ରୀ ଉପରେ ରହିଛି ।

ସମଗ୍ର ରାଜ୍ୟରେ ତାପମାତ୍ରା ବୃଦ୍ଧି ଯୋଗୁଁ ମଧ୍ୟାହ୍ନ ସମୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାବେଳେ ରାସ୍ତାଘାଟ ଏକ ପ୍ରକାର ଶୂନଶାନ ହୋଇଯାଉଛି । ଲୋକେ ରୌଦ୍ରତାପ ସମୟରେ ଘରୁ ବାହାରିବା ସମୟରେ ସତର୍କତା ଅବଲମ୍ବନ ପାଇଁ ରାଜ୍ୟ ସରକାର ପରାମର୍ଶ ଜାରି କରିଛନ୍ତି ।