Home Finance ପାଞ୍ଚ ମାସରେ ୪୦ହଜାର କୋଟିରୁ ଅଧିକ ଖର୍ଚ୍ଚ

ପାଞ୍ଚ ମାସରେ ୪୦ହଜାର କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍‍ରେ ୧,୪୫,୩୫୦ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ପ୍ରଥମ ୫ମାସରେ ବ୍ୟୟ ପରିମାଣ ୪୦ହଜାର କୋଟି ଟଙ୍କାକୁ ଟପିଯାଇଛି । ଗତ ଆର୍ଥିକ ବର୍ଷର ଏହି ସମୟ ତୁଳନାରେ ବ୍ୟୟ ପରିମାଣ ଅଧିକ ରହିଛି ।

ରାଜ୍ୟ ସରକାରଙ୍କ ନିକଟରେ ନିଜସ୍ୱ ରାଜସ୍ୱ ପରିମାଣ ଅଧିକ ରହିଥିବାରୁ ସରକାରୀ ବିଭାଗ ଗୁଡିକ ଅଧିକ ଅର୍ଥ ବ୍ୟୟ କରିପାରୁଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷର ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ସରକାର ୩୩,୭୭୦ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୧-୨୨ ବର୍ଷର ଅଗଷ୍ଟ ଶେଷସୁଦ୍ଧା ଅଧିକ ୬୫୨୨କୋଟି ଅର୍ଥାତ୍‍ ୪୦,୨୯୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଚଳିତ ବର୍ଷର ଜୁଲାଇ ଶେଷ ସୁଦ୍ଧା ସରକାର ୩୨,୭୭୬ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଅଗଷ୍ଟରେ ଆଉ ୭୫୦୦ କୋଟିରୁ ଅଧିକ ଅର୍ଥ ବ୍ୟୟ କରିଛନ୍ତି । ତେଣୁ ବଜେଟ୍‍ ବ୍ୟୟ ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।

୨୦୨୦-୨୧ ଆର୍ଥିକ ବର୍ଷରେ ଏହି ସମୟରେ ବଜେଟ୍‍ ବ୍ୟୟ ପରିମାଣ ୨୩.୯ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୨୭.୭୨ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ଏକ ସକରାତ୍ମକ ସଙ୍କେତ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । ଅନୁରୂପ ଭାବେ ଚଳିତବର୍ଷ ଏପ୍ରିଲ୍‍ରୁ ଅଗଷ୍ଟ ମଧ୍ୟରେ ଯୋଜନା ବ୍ୟୟ ୧୮,୮୨୭ କୋଟି ଟଙ୍କାରେ ପହଞ୍ଚି ଥିବାବେଳେ ଗତବର୍ଷ ଏହା ୧୪,୭୧୫ କୋଟି ଟଙ୍କା ରହିଥିଲା । ଯୋଜନା ବ୍ୟୟ ପରିମାଣ ଚଳିତ ଆର୍ଥିକ ବର୍ଷରେ ବଜେଟ୍‍ର ୨୪.୪୩ ପ୍ରତିଶତ ହୋଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ୧୯.୩୪ ପ୍ରତିଶତ ଥିଲା । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଆର୍ଥିକ ବିକାଶ ଭଲ ରହିଥିବା ଅର୍ଥନୀତିଜ୍ଞମାନେ ମତ ଦେଉଛନ୍ତି ।

୨୦୨୦-୨୧ ବର୍ଷରେ ରାଜ୍ୟରେ କରୋନା ମହାମାରୀ ଶୀର୍ଷରେ ଥିବାବେଳେ ସଫଳ ପରିଚାଳନା ସ୍ଥିତି ବିଗିଡିବାକୁ ଦେଇନଥିଲା । ବର୍ତ୍ତମାନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ, ବିପର୍ଯ୍ୟୟ ପରିଚାଳନା ଆଦିକୁ ଅଗ୍ରାଧିକାର ଦିଅଯିବା ସହିତ ଏହି କ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ ହେଉଛି । ଖାଦ୍ୟ ସୁରକ୍ଷା ରାଜ୍ୟ ସରକାରଙ୍କର ପ୍ରମୁଖ କ୍ଷେତ୍ର ହୋଇଥିବାବେଳେ ଏ ବାବଦରେ ୪୩.୭୦ ପ୍ରତିଶତ ଅର୍ଥ ବ୍ୟୟ ହୋଇଛି । ସାମାଜିକ କ୍ଷେତ୍ର ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ସ୍ୱାସ୍ଥ୍ୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ପୂର୍ବବର୍ଷଗୁଡିକ ତୁଳନାରେ ଅଧିକ ଅର୍ଥ ବ୍ୟୟ ହୋଇପାରିଛି ।

ତେବେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଅର୍ଥ ବ୍ୟୟ ବର୍ଷାଦିନ ସମେତ ଅନ୍ୟାନ୍ୟ କାରଣରୁ ଧିମେଇ ଯାଇଛି । ଯେହେତୁ ଏହି କ୍ଷେତ୍ରକୁ ଅଧିକ ଅର୍ଥ ଦିଆଯାଇଛି ତେଣୁ ଆଗାମୀ ଦିନରେ ଏଠାରେ ଅର୍ଥ ବ୍ୟୟ ତ୍ୱରାନ୍ୱିତ ହେବ ବୋଲି କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି । ତେବେ ଚଳିତ ଆର୍ଥିକ ବର୍ଷର ଯୋଜନା ବ୍ୟୟ ପରିମାଣ ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ ରହିଛି ।

ତେବେ ବର୍ତ୍ତମାନ କାପେକ୍ସ ଯୋଜନା ଅଧିନରେ ଅଧିକ ଅର୍ଥ ବ୍ୟୟ ଜରୁରୀ ହୋଇ ପଡିଛି । ନିୟମିତ ଭାବେ ଅର୍ଥ ବ୍ୟୟର ମନିଟରିଂ ହେଉଥିବାବେଳେ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ସ୍ତରକୁ ଗସ୍ତକରି ଖର୍ଚ୍ଚ ବଢାଇବାକୁ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)