Home Administration ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା ପାଇଁ ଏହାକୁ ପାଞ୍ଚ ପର୍ଯ୍ୟାୟରେ କରିବାକୁ ରାଜ୍ୟ ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ନିର୍ବାଚନ କମିଶନଙ୍କ ସଚିବ ଆର.ଏନ୍‍.ସାହୁ ଏ ସଂକ୍ରାନ୍ତରେ ଜିଲ୍ଲାପାଳମାନଙ୍କୁ ଅବଗତ କରିଛନ୍ତି । ଠିକଣା ସମୟରେ ନିର୍ବାଚନ ତାରିଖ ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ସେ ଦର୍ଶାଇଛନ୍ତି ।

୨୦୧୭ରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ଭଳି ଚଳିତଥର ମଧ୍ୟ ବ୍ଲକକୁ ୟୁନିଟ୍‍ ଭାବେ ଧରାଯିବ ଏବଂ ଏହି ବ୍ଲକ ଅଧିନରେ ଥିବା ସମସ୍ତ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଏବଂ ୱାର୍ଡ ପାଇଁ ମତଦାନ ଗୋଟିଏ ଦିନରେ ହେବ । ଯେଉଁ ବ୍ଲକଗୁଡିକରେ ସର୍ବାଧିକ ବୁଥ୍‍ ଥିବା ସେଠାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ବୁଥ୍‍ ସଂଖ୍ୟା ଅନୁଯାୟୀ ର୍ନିବାଚନ ହେବ ବୋଲି ଶ୍ରୀ ଦର୍ଶାଇଛନ୍ତି ।

ଜିଲ୍ଲାପାଳମାନଙ୍କୁ ୫ଟି ଭିନ୍ନ ଭିନ୍ନ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି କାର୍ଯ୍ୟସୂଚୀ ପ୍ରସ୍ତୁତି ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ବାଚନ ପାଇଁ ଦିନେ ଛାଡି ଦିନେ ବ୍ୟବଧାନରେ ମତଦାନ ହେବ । ଯେଉଁସବୁ ଜିଲ୍ଲାରେ କମ୍‍ ସଂଖ୍ୟକ ବ୍ଲକ ରହିଛି ସେଠାରେ ତିନି କିମ୍ବା ଚାରି ଟି ତାରିଖରେ ମତଦାନ ସାରିବାପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ଲାଗି ସଚିବ କହିଛନ୍ତି ।

ଜିଲ୍ଲାପାଳମାନେ ଚଳିତମାସ ୧୩ ତାରିଖ ସୁଦ୍ଧା ଧାର୍ଯ୍ୟ ଫର୍ମାଟରେ ବ୍ଲକ, ଜିଲ୍ଲାପରିଷଦ, ଗ୍ରାମ ପଞ୍ଚାୟତ, ୱାର୍ଡର ନାମ ସହିତ ମୋଟ୍‍ ଭୋଟର ସଂଖ୍ୟା ବ୍ଲକୱାରୀ ଜଣାଇବାପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ମତଦାନ ଦିନ ହିଁ ଭୋଟ ଗଣତି କରାଯାଇଥିଲା । କିନ୍ତୁ ଚଳିତ ଥର ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ତାରିଖରେ କେନ୍ଦ୍ରୀୟ ଭିତ୍ତିରେ ଗୋଟିଏ ସ୍ଥାନରେ ଭୋଟ ଗଣତି କରାଯିବ । ତେବେ ସମଗ୍ର ରାଜ୍ୟରେ ୫ପର୍ଯ୍ୟାୟ ମତଦାନ ସରିବାପରେ ଗୋଟିଏ ଦିନରେ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । (ତଥ୍ୟ)