Home Environment ପଶ୍ଚିମଓଡିଶା ଛଟ ପଟ

ପଶ୍ଚିମଓଡିଶା ଛଟ ପଟ

ଭୁବନେଶ୍ୱର : ପଶ୍ଚିମଓଡିଶାର ଅନେକ ଜିଲ୍ଲାରେ ଲୋକେ ପ୍ରବଳ ଖରା ଓ ଗୁଳୁଗୁଳିରେ ଛଟପଟ ହେଉଛନ୍ତି । ବହୁ ଜିଲ୍ଲାରେ ଆଜି ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ବଲାଙ୍ଗିରରେ ସର୍ବାଧିକ ୪୫.୩ ଡିଗ୍ରୀ ରେକର୍ଡ କରାଯାଇଛି ।

ଟିଟିଲାଗଡରେ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ବୌଦ୍ଦରେ ୪୪ ଡିଗ୍ରୀ, ଭବାନୀପାଟଣାରେ ୪୩.୬, ସୁନ୍ଦରଗଡ ଓ ସମ୍ବଲପୁରରେ ୪୨, ଝାରସୁଗୁଡାରେ ୪୨.୭, ହୀରାକୁଦରେ ୪୧.୩, ଦେବଗଡରେ ୪୧.୨ ବରଗଡରେ ୪୨.୬, ନବରଙ୍ଗପୁରରେ ୪୦, ସୋନପୁରରେ ୪୧.୬ ଓ ମାଲକାନଗିରିରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ପଶ୍ଚିମଓଡିଶାର ଜିଲ୍ଲାଗୁଡିକରେ ଦିନ ତମାମ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ସହିତ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ମଧ୍ୟାହ୍ନ ସମୟରେ ରାସ୍ତାଘାଟ ଶୂନଶାନ ହୋଇପଡିବା ସାଙ୍ଗକୁ ଲୋକେ ପଦାକୁ ବାହାରୁନଥିବା ଲକ୍ଷ୍ୟ କରାଯାଇଥିଲା ।

ଭୁବନେଶ୍ୱରରେ ଆଜି ଦିନସାରା ମେଘୁଆ ପାଗ ଯୋଗୁଁ ତାପମାତ୍ରା ଯଦିଓ ୩୩.୨ ଡିଗ୍ରୀ ରହିଥିଲା ତେବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ରାଜ୍ୟର ଅଧିକାଂଶ ଉପକୂଳ ଜିଲ୍ଲାରେ ବି ଗୁଳୁଗୁଳି ଅନୁଭୂତ ହୋଇଥିଲା ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା ତିନି ଚାରି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ଏବଂ ରଜ ପରେ ରାଜ୍ୟରେ ମୌସୁମୀ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ଫଳରେ ପଶ୍ଚିମ ଓଡିଶା ସମେତ ଉପକୂଳ ଓଡିଶାବାସୀ ମଧ୍ୟ ଆଉ ତିନି ଚାରିଦିନ ଖରା ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେବା ଏକ ପ୍ରକାର ନିଶ୍ଚିତ ।