Home News in Odia ପର୍ଯ୍ୟଟନ ସର୍କିଟ ପାଇଁ ଓଡିଶା ପାଉନି ପାଣ୍ଠି

ପର୍ଯ୍ୟଟନ ସର୍କିଟ ପାଇଁ ଓଡିଶା ପାଉନି ପାଣ୍ଠି

ଭୁବନେଶ୍ୱର : ଓଡିଶାରେ ପରିବେଶ, ବନ୍ୟପ୍ରାଣୀ, ଜନଜାତି, ବୌଦ୍ଧ ଏବଂ ଆଧ୍ୟାତ୍ମିକ ପରିବେଶ ଥିଲେ ମଧ୍ୟ ଏହିସବୁ ସର୍କିଟ ପାଇଁ ରାଜ୍ୟ ସରକାର କୌଣସି ପାଣ୍ଠି ପାଇ ନାହାନ୍ତି । ଉପକୂଳ ରାଜ୍ୟଭାବେ ଏଠାରେ ପର୍ଯ୍ୟଟନର ବ୍ୟାପକ ସୁଯୋଗ ଥିବାବେଳେ ପର୍ଯ୍ୟଟକମାନେ ଆକର୍ଷିତ ହୋଇ ଆସିଥାନ୍ତି । ହେଲେ ଦୀର୍ଘଦିନ ତଳେ କେବଳ ଉପକୂଳ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ପାଣ୍ଠି ପାଇଥିଲେ ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଉପକୂଳ ପର୍ଯ୍ୟଟନ ସର୍କିଟ ପାଇଁ ଅନୁମୋଦନ ମିଳିଛି । ଏହା ମଧ୍ୟରେ ଓଡିଶା ବି ରହିଛି । ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଓଡିଶା, ଆନ୍ଧ୍ରପ୍ରଦେଶ, ପୁଡୁଚେରୀ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ, ଗୋଆ ଏବଂ ଆଣ୍ଡାମାନ ଓ ନିକୋବରରେ ଉପକୂଳ ପର୍ଯ୍ୟଟନ ସର୍କିଟ ପାଇଁ ଅନୁମୋଦନ ଦେଇଛନ୍ତି ।

ଓଡିଶାର ୪୮୦ କିଲୋମିଟର ଦୈର୍ଘ୍ୟର ସାମୁଦ୍ରିକ ବେଳାଭୂମି ରହିଥିବାବେଳେ ଗୋପାଳପୁର-ବରକୂଳ-ସାତପଡା-ତାମ୍ପରା ବେଳାଭୂମି ପର୍ଯ୍ୟଟନର ବିକାଶ ପାଇଁ ଅବଶ୍ୟ କେନ୍ଦ୍ରୀୟ ସହାୟତା ମିଳିଛି । କିନ୍ତୁ ରାଜ୍ୟର ଅନ୍ୟ ଉପକୂଳବର୍ତ୍ତୀ ପର୍ଯ୍ୟଟନସ୍ଥଳୀଗୁଡିକ ଲାଗି ଏଯାବତ୍‍ କେନ୍ଦ୍ରୀୟ ସହାୟତା ମିଳିନାହିଁ । ଏଗୁଡିକର ଭିତ୍ତିଭୂମି ବିକାଶ କରାଗଲେ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ଓଡିଶାର ବେଳାଭୂମି ପ୍ରତି ଆକୃଷ୍ଟହୋଇ ଆସିପାରନ୍ତେ ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ବେଳାଭୂମି ପର୍ଯ୍ୟଟନ ବିକାଶ ପାଇଁ ଓଡିଶାକୁ ୭୦କୋଟି ୮୨ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ମଧ୍ୟ ଏଥିରୁ ଏଯାବତ୍‍ ୫୬କୋଟି ୬୫ଲକ୍ଷ ଟଙ୍କା ମିଳିଛି । ଆନ୍ଧ୍ରପ୍ରଦେଶ ପାଇଁ ୨ଟି ଉପକୂଳ ପର୍ଯ୍ୟଟନ ସର୍କିଟ ଲାଗି କେନ୍ଦ୍ରୀୟ ଅନୁମୋଦନ ମିଳିଥିବାବେଳେ ଓଡିଶା ପାଇଁ କିନ୍ତୁ ମାତ୍ର ଗୋଟିଏ ମିଳିଛି । ପଶ୍ଚିମବଙ୍ଗର ଉଦୟପୁର-ଦୀଘା-ଶଙ୍କରପୁର-ତେଜପୁର-ମନ୍ଦାରମଣି-ଥ୍ରାସେରଗଞ୍ଜ-ବଖଲାଇ-ହେନେରୀ ଦ୍ୱୀପ ପାଇଁ କେନ୍ଦ୍ରୀୟ ପାଣ୍ଠି ମିଳିଛି । ପଶ୍ଚିମବଙ୍ଗର ମନ୍ଦାରମଣି, ଦୀଘା ଏବଂ ଉଦୟପୁର ବେଳାଭୂମି ଓଡିଶା ଉପକୂଳକୁ ଲାଗିଥିବାରୁ ଉଦୟପୁର-କଷାଫଳ-ବଳରାମଗଡି-ତଳସାରୀ-ଚାନ୍ଦିପୁର ବେଳାଭୂମିର ବିକାଶ ଲାଗି ଓଡିଶା ଆଉ ଗୋଟିଏ ଉପକୂଳ ସର୍କିଟ ଆବଶ୍ୟକ କରୁଥିବା ଦୀର୍ଘଦିନ ଧରି ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଜଣେ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦର୍ଶାଇଛନ୍ତି ।

ଉପକୂଳ ସର୍କିଟ ପ୍ରୋତ୍ସାହନ ବାଦ୍‍ ଦେଶରେ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଇକୋ ସର୍କିଟ, ଜନଜାତି ସର୍କିଟ, ବନ୍ୟପ୍ରାଣୀ ସର୍କିଟ, ଐତିହ୍ୟ ସର୍କିଟ, ବୁଦ୍ଧିଷ୍ଟ ସର୍କିଟ, ମରୁଭୂମି ସର୍କିଟ, ହିମାଳୟାନ ସର୍କିଟ, ରାମାୟଣ ସର୍କିଟ, ଆଧ୍ୟାତ୍ମିକ ସର୍କିଟ ଏବଂ ଗ୍ରାମ୍ୟ ସର୍କିଟ ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ଜନଜାତି, ବୁଦ୍ଧିଷ୍ଟ, ଐତିହ୍ୟ, ଆଧ୍ୟାତ୍ମିକ ଏବଂ ପରିବେଶ ଓ ବନ୍ୟପ୍ରାଣୀ ସର୍କିଟ ପାଇବା ପାଇଁ ଓଡିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ।

ଛତିଶଗଡ ଜନଜାତି ସର୍କିଟ ପାଇଁ ପାଣ୍ଠି ପାଉଥିବାବେଳେ ଓଡିଶା ଜନଜାତି ଐତିହ୍ୟ ଥାଇ ମଧ୍ୟ ରାଜ୍ୟ ସରକାର ପାଣ୍ଠି ପାଉନାହାନ୍ତି । ଅନୁରୂପ ଭାବେ ଓଡିଶାର ବୌଦ୍ଧ କ୍ଷେତ୍ରଗୁଡିକ ଜାତୀୟ ଓ ଆର୍ନ୍ତଜାତୀୟ ପର୍ଯ୍ୟଟକମାନଙ୍କ ବହୁ ମାତ୍ରାରେ ଆକୃଷ୍ଟ କରିଥାନ୍ତି । ସେହିଭଳି ରାଜ୍ୟରେ ପରିବେଶ ପର୍ଯ୍ୟଟନ ଓ ବନ୍ୟପ୍ରାଣୀ ପର୍ଯ୍ୟଟନର ବ୍ୟାପକ ସମ୍ଭାର ରହିଛି । ତେବେ ଉପକୂଳ ସର୍କିଟ ବ୍ୟତିତ ଅନ୍ୟ କୌଣସି କ୍ଷେତ୍ରରେ କିନ୍ତୁ ଓଡିଶା ପାଣ୍ଠି ପାଇପାରି ନାହିଁ (ତଥ୍ୟ)