Home News in Odia ପର୍ଯ୍ୟଟନ ଶିଳ୍ପରେ ହା ହା କାର ଅବସ୍ଥା

ପର୍ଯ୍ୟଟନ ଶିଳ୍ପରେ ହା ହା କାର ଅବସ୍ଥା

ଭୁବନେଶ୍ୱର : ରାଜ୍ୟ ସରକାର ହଠାତ୍‍ କରୋନା କଟକଣା ଜାରି କରିବା ପରେ ପର୍ଯ୍ୟଟନ ଶିଳ୍ପରେ ଏକ ପ୍ରକାର ହା ହା କାର ଅବସ୍ଥା ସୃଷ୍ଟି ହୋଇଛି । କରୋନା ଥମିବାପରେ ପର୍ଯ୍ୟଟକଙ୍କୁ ଅନାଇ ବସିଥିବା ହୋଟେଲ ଠାରୁ ଆରମ୍ଭକରି ପରିବହନ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡିଯାଇଛନ୍ତି ।

ଫେବୃୟାରୀ ୨୬ ତାରିଖରେ ରାଜ୍ୟ ସରକାର ୧୨ଟି ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ୭ ଦିନିଆ ଗୃହ ସଂଗରୋଧ ନିଶ୍ଚିତ ବୋଲି ଘୋଷଣା କରିଥିଲେ । ଅବଶ୍ୟ ଦିନକ ପରେ ଏହି କଟକଣାକୁ ସାମାନ୍ୟ କୋହଳ କରି ୫ଟି ରାଜ୍ୟ ପାଇଁ କଟକଣା ଜାରି କରିଛନ୍ତି । ଏହି ୫ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ ରହିଛି । ତେବେ ଏହିସବୁ ରାଜ୍ୟରୁ ଆସୁଥିବା ଲୋକେ ଓଡିଶାରେ ପହଞ୍ଚିବାର ୭୨ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା କରି ନେଗେଟିଭ ରିପୋର୍ଟ ଆଣିଥିଲେ ସେମାନଙ୍କୁ ସଂଗରୋଧରେ ରହିବାକୁ ପଡିବନାହିଁ ।

ତେବେ ରାଜ୍ୟ ସରକାରଙ୍କ ହଠାତ୍‍ କଟକଣା ଘୋଷଣା କିନ୍ତୁ ଓଡିଶା ଆସିବାକୁ ଥିବା ଅନେକଙ୍କୁ ଭୟଭୀତ କରିଦେଇଛି । କିଛି ବ୍ୟକ୍ତି କ୍ଷତି ସହିବା ଆଶଙ୍କାରେ ଖବର ପାଇବା ମାତ୍ରେ ବିମାନ ଟିକଟ ଓ ହୋଟେଲ ସଂରକ୍ଷଣ ବାତିଲ କରିଛନ୍ତି । କାରଣ ବିଳମ୍ବ ହେଲେ ବିମାନ ଟିକଟ ବାତିଲ ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ । ସେହିଭଳି କଟକଣା ଜାରି ରାଜ୍ୟ ସଂଖ୍ୟା ୧୨ରୁ ୫କୁ ଖସିଥିଲେ ମଧ୍ୟ ଓଡିଶା ବୁଲିବାକୁ ଆସିବାକୁ ଲୋକେ କିନ୍ତୁ ଭୟଭୀତ ହୋଇପଡିଥିବା ଲକ୍ଷ୍ୟ କରାଯାଉଛି ।

ରାଜ୍ୟ ସରକାର ବିମାନ ବନ୍ଦରରେ ଆଣ୍ଟିଜେନ୍‍ ପରୀକ୍ଷା ସହିତ ଆଗନ୍ତୁକଙ୍କ ଉପରେ କଡା ନଜର ରଖିଥିବାବେଳେ ରେଳଷ୍ଟେସନ ଓ ବସ୍‍ଷ୍ଟାଣ୍ଡ କିନ୍ତୁ ମୁକୁଳା ପଡିଛି । ଏହି ବାଟ ଦେଇ କଟକଣା ଜାରି ରାଜ୍ୟକୁ ଆସୁଥିବା ଲୋକଙ୍କୁ ରୋକିବାକୁ କେହି ନାହିଁ ।

ଅନ୍ୟ ପକ୍ଷରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବିଶେଷକରି ପ୍ରାୟ ୧୦ମାସ ପରେ ପୁରୀ ଶ୍ରୀମନ୍ଦିର ଖୋଲିଥିବାରୁ ରାଜ୍ୟ ବାହାରର ପର୍ଯ୍ୟଟକମାନେ ଜଗନ୍ନାଥ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଆସୁଛନ୍ତି । ଏଥି ସହିତ ବିଭିନ୍ନ ସଂସ୍ଥା ଓ କମ୍ପାନୀର କର୍ମକର୍ତ୍ତାମାନେ ବି ଓଡିଶା ଆସୁଛନ୍ତି । ଧିରେ ଧିରେ ଏମାନଙ୍କ ସଂଖ୍ୟା ବଢୁଥିବାରୁ ପର୍ଯ୍ୟଟନଶିଳ୍ପ ସହିତ ଜଡିତ ହୋଟେଲ, ପରିବହନ ଓ ଅନ୍ୟାନ୍ୟ ସେବାପ୍ରଦାନକାରୀ ସଂସ୍ଥା ମୁଣ୍ଡ ଟେକିବା ଆରମ୍ଭ କରିଥିଲେ । ହେଲେ ରାଜ୍ୟ ସରକାରଙ୍କ ହଠାତ୍‍ ଏଭଳି କଟକଣା ଜାରି ପର୍ଯ୍ୟଟକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିବାବେଳେ ପର୍ଯ୍ୟଟନ ଶିଳ୍ପ ଜଗତ ଚିନ୍ତାରେ ପଡି ଯାଇଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ ଏବେ ମାତ୍ର ୬୭୩ ଜଣ ସକ୍ରିୟ କରୋନା ରୋଗୀ ଥିବାବେଳେ ଢେଙ୍କାନାଳ ଜିଲ୍ଲା କରୋନାମୁକ୍ତ ହୋଇଛି । ୧୨ଟି ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ଥିବାବେଳେ ସମ୍ବଲପୁରରେ ସର୍ବାଧିକ ୯୮ଜଣ ସକ୍ରିୟ ରୋଗୀ ରହିଥିବା ଜଣାଯାଇଛି ।